ମେରଠ: ଉତ୍ତର ପ୍ରଦେଶର ମେରଠରେ ସୌରଭ ରାଜପୁତ ମର୍ଡର କେସ ସଭିଙ୍କୁ ସ୍ତବ୍ଧ କରି ଦେଇଛି । ପ୍ରତିଦିନ ଘଟଣାକୁ ନେଇ ନୂଆ ନୂଆ ଖୁଲାସା ହେବାରେ ଲାଗିଛି । ସଦ୍ୟତମ ଖବର ଅନୁଯାୟୀ, ମୁସ୍କାନ ରସ୍ତୋଗି ନିଜ ସ୍ୱାମୀ ସୌରଭଙ୍କୁ ମାରିବା ପାଇଁ ପୂର୍ବରୁ ହିଁ ଯୋଜନା କରିଥିଲା । ଏପରିକି ଘଟଣାର ଆଠ ଦିନ ପୂର୍ବରୁ ହିଁ ସେ ଦୁଇଟି ଛୁରି କିଣିଥିଲା । ଦୁଇ ଛୁରିର ମୂଲ୍ୟ ୮୦୦ ଟଙ୍କା ଥିଲା । ଛୁରି ଜରିଆରେ କେମିତି ହତ୍ୟା କରାଯାଏ, ତାର ଅଭ୍ୟାସ ବି ସେ କରୁଥିଲା । ମୁସ୍କାନ ଲଣ୍ଡନରେ ନେଭି ମର୍ଚ୍ଚାଣ୍ଟ ଅଫିସର ରହିଥିବା ସୌରଭଙ୍କୁ ଅଚେତ କରାଇ ଶରୀରକୁ ଖଣ୍ଡ ଖଣ୍ଡ କରିଥିଲା । ପ୍ରେମିକ ସାହିଲ ସହ ମିଶି ସୌରଭଙ୍କ ମୁଣ୍ଡକୁ ଶରୀରରୁ ଅଲଗା କରିଥିଲା ।
ମୁସ୍କାନ କିଣିଥିବା ଛୁରି ଜରିଆରେ ସୌରଭଙ୍କ ଶରୀରକୁ ଖଣ୍ଡ ଖଣ୍ଡ କରିଥିଲା । ତଦନ୍ତରୁ ଜଣା ପଡିଛି ଯେ, ମୁସ୍କାନ ଓ ସାହିଲ ଡ୍ରଗ୍ସର ନିଶାଖୋର ଥିଲେ । ଉଭୟଙ୍କୁ ଡର ଥିଲା ଯେ, ସୌରଭ ଏସବୁ ଜାଣିଲେ ଦୁହେଁ ଆଉ ଡ୍ରଗ୍ସ ସେବନ କରି ପାରିବେ ନାହିଁ । ସୌରଭ ମଧ୍ୟ ମୁସ୍କାନ ଓ ସାହିଲର ସଂପର୍କ ବିଷୟରେ ପୂର୍ବରୁ ଜାଣିଥିଲା । ସେ ନିଜର ଛଅ ବର୍ଷର ଝିଅକୁ ଲଣ୍ଡନ ନେଇ ଯିବାକୁ ଚାହୁଁଥିଲା । ଝିଅର ଜନ୍ମଦିନ ପାଇଁ ହିଁ ସୌରଭ ଲଣ୍ଡନରୁ ମେରଠ ଆସିଥିଲା । ଆଉ ଏହି ସମୟରେ ହିଁ ମୁସ୍କାନ ଓ ସାହିଲ ଅତି ଅମାନୁଷିକ ଭାବେ ସୌରଭଙ୍କ ହତ୍ୟା କରିଥିଲେ ।
ତଦନ୍ତରୁ ଜଣା ପଡିଛି ଯେ, ସୌରଭଙ୍କ ଲଣ୍ଡନ ଭିସା ଶୀଘ୍ର ଶେଷ ହେବାକୁ ଯାଉଥଲା । ସେ ଏହାକୁ ନବୀକରଣ କରିବାକୁ ଚାହୁଁଥିଲେ । ପ୍ରଥମେ ସୌରଭ ପତ୍ନୀ ମୁସ୍କାନ ଓ ଝିଅ ଉଭୟଙ୍କୁ ଲଣ୍ଡନ ନେଇ ଯିବାକୁ ଚାହୁଁଥିଲା । ମାତ୍ର ମୁସ୍କାନ ଯିବାକୁ ପ୍ରସ୍ତୁତ ନ ଥିଲା । ସେ ମେରଠରେ ହିଁ ରହିବାକୁ ଚାହୁଁଥିଲା । ଏହା ପରେ ସୌରଭ ଝିଅକୁ ନେଇ ଲଣ୍ଡନ ଚାଲି ଯିବାକୁ ସ୍ଥିର କରିଥିଲେ । ଏଥିପାଇଁ ସେ ପାସପୋର୍ଟ ଆବେଦନ କରିଥିଲେ । ଏହା ମଧ୍ୟରେ ମୁସ୍କାନ ମାର୍ଚ୍ଚ ୩ ତାରିଖ ରାତିରେ ସୌରଭଙ୍କୁ ଖାଦ୍ୟରେ ନିଦ ବଟିକା ଖୁଆଇ ଦେଇଥିଲା । ଶୋଇବା ଅବସ୍ଥାରେ ମୁସ୍କାନ ସୌରଭର ଛାତି ଉପରେ ଥିନି ଥର ଛୁରି ଭୁସିଥିଲା । ପୁଣି ସାହିଲ ସହ ମିଶି ବେକକୁ କାଟି ଶରୀରରୁ ମୁଣ୍ଡକୁ ଅଲଗା କରି ଦେଇଥିଲା । ଏହା ପରେ ସୌରଭଙ୍କ ଶରୀରକୁ ୧୫ ଖଣ୍ଡ କରି ଡ୍ରମରେ ଭର୍ତ୍ତି କରି ସିମେଣ୍ଟ ଭର୍ତ୍ତି କରି ଦେଇଥିଲେ ।