ସୁକମା: କିଛି ଦିନର ବ୍ୟବଧାନ ପରେ ଛତିଶଗଡ଼ରେ ସୁରକ୍ଷାବାହିନୀକୁ ପୁଣି ଏକ ବଡ଼ ସଫଳତା ମିଳିଛି । ସୁକମା ଜିଲ୍ଲାର ଗୋଗୁଣ୍ଡା ପାହାଡ଼ରେ ସୁରକ୍ଷାବାହିନୀ ଏବଂ ନକ୍ସଲବାଦୀଙ୍କ ମଧ୍ୟରେ ଗୁଳି ବିନିମୟ ହୋଇଛି । ଯବାନଙ୍କ ଗୁଳିରେ ୧୬ ଜଣ ମାଓବାଦୀ ନିପାତ ହୋଇଥିବା ଜଣାପଡ଼ିଛି । ଶନିବାର ଭୋରୁ ଗୋଗୁଣ୍ଡାରେ ଗୁଳି ବର୍ଷା ଜାରି ରହିଛି ।
ବିଶେଷ ସୁତ୍ରରୁ ଖବର ପାଇ ଜିଲ୍ଲା ପୁଲିସ, ସିଆରପିଏଫ ଏବଂ ଡ଼ିଆରଜି ଯବାନ କେରଲାପାଲ ଜଙ୍ଗଲରେ ଚଢ଼ାଉ କରିଥିଲେ। ଯବାନ ଏବଂ ଲାଲବାହିନୀ ମଧ୍ୟରେ ଘମାଘୋଟ ଗୁଳି ବିନିମୟ ହୋଇଥିଲା । ଶେଷରେ ୧୬ ଜଣ ନକ୍ସଲ ନିହତ ହୋଇଥିବା ଜଣାପଡ଼ିଛି । ଏହି ଗୁଳିବିନିମୟରେ ଦୁଇ ଜଣ ଯବାନ ଆହତ ମଧ୍ୟ ହୋଇଥିବା ସୂଚନା ମିଳିଛି । ଘଟଣାସ୍ଥଳରୁ ବିପୁଳ ପରିମାଣରେ ମାଓ ସାମଗ୍ରୀ ମଧ୍ୟ ଜବତ କରାଯାଇଥିବା ଜଣାଯାଇଛି। ସମ୍ପୃକ୍ତ ଅଞ୍ଚଳରେ ତଲାସୀ ଅଭିଯାନ ଜାରି ରହିଛି ।
ଏଠାରେ ଉଲ୍ଲେଖ ଯୋଗ୍ୟ, ଗତ ୨୦ ତାରିଖରେ ଛତିଶଗଡ଼ ବିଜାପୁର ଏବଂ କାଙ୍କେର ମାଓ ବିରୋଧୀ ଅପରେସନ୍ କରାଯାଇଥିଲା । ବିଜାପୁରରେ ୨୬ ମାଓବାଦୀଙ୍କୁ ଏନକାଉଣ୍ଟର କରାଯାଇଥିବାବେଳେ କାଙ୍କେରରେ ୪ଟି ମୃତ ଦେହ ମିଳିଥିଲା । ଏଥିରେ ସ୍ପେଶାଲ୍ ଟାସ୍କ ଫୋର୍ସ (ଏସଟିଏଫ୍), ଡିଷ୍ଟ୍ରିକ୍ଟ ରିଜର୍ଭ ଗାର୍ଡ (ଡିଆରଜି) ଓ କୋବ୍ରା ବାଟାଲିୟନ ପକ୍ଷରୁ ମିଳିତ ସର୍ଚ୍ଚ ଅପରେସନ୍ କରାଯାଇଥିଲା ।
ସେହିପରି ଗତ ୨୫ ତାରିଖରେ ଛତିଶଗଡ଼ର ସୀମାନ୍ତ ଦାନ୍ତେୱାଡାରେ ମାଓବାଦୀ ଏବଂ ସୁରକ୍ଷାକର୍ମୀଙ୍କ ମଧ୍ୟରେ ଗୁଳିବନିମୟ ହୋଇଥିଲା । ଏଥିରେ ୫ ହାର୍ଡକୋର ମାଓବାଦୀ ନିହତ ହୋଇଥିଲେ ।