ନୂଆଦିଲ୍ଲୀ: ଟ୍ରାଫିକ ଚାଲାଣ ଦର ବଢିବା ପରେ ସରକାର ଏବେ ନିୟମକୁ ଆହୁରି କଡାକଡି କରିବାକୁ ଯାଉଛନ୍ତି । ଏବେ ଏହାକୁ ନେଇ ନୂତନ ଡ୍ରାଫ୍ଟ ପ୍ରସ୍ତୁତ କରାଯାଉଛି । ଏହା ଅନୁଯାୟୀ, ଯଦି କୌଣସି ଇ-ଚାଲାଣର ପେମେଣ୍ଟ ତିିନି ମାସ ଭିତରେ ନ ହୁଏ ତେବେ ଡ୍ରାଇଭରଙ୍କ ଲାଇସେନ୍ସ ବାତିଲ୍ କରାଯିବ । ଏହା ସହିତ ବିପଜ୍ଜନକ ଗାଡି ଚାଳନା ଓ ରେଡ୍ ଲାଇଟ ଅତିକ୍ରମ କରିବା ପରି ତ୍ରୁଟି ବର୍ଷକରେ ତିନି ଥର କଲେ ଗାଡି ଚାଲକଙ୍କ ଲାଇସେନ୍ସ ତିନି ମାସ ପାଇଁ ଜବତ କରାଯିବ ।
ଏମିତି ପ୍ରସ୍ତାବ ଉପରେ ସରକାର ଏଥିପାଇଁ ବିଚାର କରୁଛନ୍ତି କାରଣ ଦେଶରେ ପ୍ରାୟ ୪୦ ପ୍ରତିଶତ ଲୋକ ହିଁ ଇ-ଚାଲାଣ ପୈଠ କରିଥାନ୍ତି । ତେଣୁ ଚାଲାଣର ରିକଭରି ପାଇଁ ନିୟମକୁ ଆହୁରି କଡାକଡି କରିବାକୁ ଯାଉଛନ୍ତି ସରକାର । ଏହା ବ୍ୟତୀତ ଲାଇସେନ୍ସ ଉପରେ ବିପଦ ଆସିଲେ ଲୋକେ ଡ୍ରାଇଭିଂକୁ ନେଇ କିଛି ତ ଗମ୍ଭୀର ହେବେ ବୋଲି ସରକାର ଆଶା ରଖିଛନ୍ତି।
ସରକାରୀ ସୂତ୍ର ଅନୁଯାୟୀ, ବ୍ୟାପକ ମାତ୍ରାରେ ଟ୍ରାଫିକ ଚାଲାଣ ପୈଠ କରାଯାଉ ନାହିଁ । ତେଣୁ ଏ ଦିଗରେ ସରକାରଙ୍କ ଉଦ୍ଦେଶ୍ୟ ପୂରଣ ହୋଇ ପାରୁନି । ଏହା ବ୍ୟତୀତ ଆଉ ଏକ ପ୍ରସ୍ତାବ ରହିଛି, ଯେଉଁ ଲୋକଙ୍କ ଉପରେ ଅତି କମରେ ଦୁଇଟି ଚାଲାଣ ପେଣ୍ଡିଂ ରହିଛି ସେମାନଙ୍କ ଗାଡିକୁ ବୀମା ପ୍ରିମିୟମରେ ଅନ୍ତର୍ଭୁକ୍ତ କରାଯାଉ ।
ସୁପ୍ରିମକୋର୍ଟ ନିକଟରେ ୨୩ ରାଜ୍ୟ ଓ ୭ କେନ୍ଦ୍ରଶାସିତ ଅଞ୍ଚଳକୁ ରିପୋର୍ଟ ମାଗି ଏହା ଜାଣିବାକୁ ଚାହିଁଛନ୍ତି ଯେ, ଯାନ ବାହାନ ଆକ୍ଟ ଆଧାରରେ ଟ୍ରାଫିକ ଚାଲାଣ କାଟିବା ଏବଂ ପୈଠ କରିବାର ସ୍ଥିତି କଣ ରହିଛି । ଏହି ଆକ୍ଟ ଆଧାରରେ ସିସିଟିଭି କ୍ୟାମେରା ଲଗାଇବା, ସ୍ପିଡ ଗନ ଲଗାଇବା ଓ ଅଟୋମେଟିକ ନମ୍ବର ପ୍ଲେଟ ରେଜିଷ୍ଟ୍ରେସନ ଆଦି ସୁବିଧା ଆରମ୍ଭ କରାଯାଇଛି ।