ଉତ୍ତରପ୍ରଦେଶ: ଉତ୍ତରପ୍ରଦେଶ ମିରଟରେ ହୋଇଥିବା ସୌରଭ ହତ୍ୟାକାଣ୍ଡ ମାମଲାକୁ ନେଇ ସାରା ଦେଶ ଚକିତ ହୋଇପଡ଼ିଛି । ଏହାରି ଭିତରେ ଏବେ ପୁଣି ଗୋଣ୍ଡାରୁ ଜଣେ ମହିଳା ସମାନ ଢଙ୍ଗରେ ତାଙ୍କ ସ୍ୱାମୀଙ୍କୁ ହତ୍ୟା କରିବାକୁ ଧମକ ଦେଇଛନ୍ତି । ପତ୍ନୀ ଜଣକ ନିଜ ପ୍ରେମିକ ସହ ଧରାପଡ଼ିବା ପରେ ସ୍ୱାମୀଙ୍କ ସହ ଝଗଡ଼ା ହୋଇଥିଲା । ଝଗଡ଼ା ଉଗ୍ର ରୂପ ନେବା ପରେ ମହିଳା ଜଣକ ରାଗରେ ସ୍ୱାମୀଙ୍କୁ ମେରଟ ଘଟଣା ଭଳି ହତ୍ୟା କରିବାକୁ ଧମକ ଦେଇଛନ୍ତି । ଯାହାର ଭିଡ଼ିଓ ଏବେ ସୋସିଆଲ ମିଡ଼ିଆରେ ଭାଇରାଲ ହେବାରେ ଲାଗିଛି ।
ତେବେ ଏନେଇ ପୋଲିସ କହିଛି, ଶନିବାର ଉଭୟ ପକ୍ଷରୁ ଅଭିଯୋଗ ହୋଇଥିଲା, ଯାଂଚ ପରେ ନିୟମନୁଯାୟୀ କାର୍ଯ୍ୟାନୁଷ୍ଠାନ ନିଆଯିବ । ତେବେ ଅଭିଯୋଗ ମୁତାବିକ ଝାନ୍ସୀର ବାସିନ୍ଦା ଧମେନ୍ଦ୍ର କୁଶୱାହା, ଯିଏ ବର୍ତ୍ତମାନ ଗୋଣ୍ଡାର ଜଳ ନିଗମରେ ଜେଇ ଭାବେ କାର୍ଯ୍ୟରତ, ତାଙ୍କ ଉପରେ ପତ୍ନୀ ଓ ତାଙ୍କ ପ୍ରେମିକ ହତ୍ୟା କରିବାକୁ ଧମକ ଦେଇଥିବା ସେ ଅଭିଯୋଗ କରିଛନ୍ତି ।
କୁଶୱାହାଙ୍କ କହିବାନୁଯାୟୀ ୨୦୧୬ରେ ମାୟା ମୌର୍ଯ୍ୟଙ୍କ ସହ ତାଙ୍କ ପ୍ରେମ ବିବାହ ହୋଇଥିଲା । ତାଙ୍କ ଝିଅ ହେବା ପରେ ସେ ପତ୍ନୀଙ୍କ ନାଁରେ ୩ଟି ଚାରିଚକିଆ ଗାଡ଼ି କିଣିଥିଲେ । ୨୦୨୨ ମସିହାରେ ମାୟାଙ୍କ ନାମରେ ଏକ ଜମି କିଣିଥିଲେ ଏବଂ ତାଙ୍କ ସମ୍ପର୍କୀୟ ନୀରଜ ମୌର୍ୟ୍ୟଙ୍କୁ ଘର ନିର୍ମାଣର ଠିକା ଦେଇଥିଲେ। ଏହି ସମୟରେ ମାୟା ଏବଂ ନୀରଜ ନିକଟତର ହୋଇଥିଲେ ଏବଂ କୋଭିଡ୍-୧୯ ସମୟରେ ନୀରଜଙ୍କ ପତ୍ନୀଙ୍କ ମୃତ୍ୟୁ ପରେ ମାୟାଙ୍କ ସହିତ ନୀରଜଙ୍କ ସମ୍ପର୍କ ଆହୁରି ଗଭୀର ହୋଇଯାଇଥିଲା ।
କୁଶୱାହାଙ୍କ କହିବା ମୁତାବିକ୍ ୨୦୨୪ ମସିହା ଜୁଲାଇ ୭ ତାରିଖରେ ସେମାନଙ୍କୁ ଅସଙ୍ଗତ ଅବସ୍ଥାରେ ଦେଖିଥିଲେ, ବିରୋଧ କରିବାରୁ ମାଡ଼ ମାରିବା ସହ ପତ୍ନୀ ମାୟା ଘର ଛାଡ଼ି ଚାଲିଯାଇଥିଲେ ଏବଂ ପରେ ୨୫ ଅଗଷ୍ଟରେ ନୀରଜଙ୍କ ସହ ଘରକୁ ଫେରିବା ସହ ଜବରଦସ୍ତି ଭାବେ ତାଲା ଭାଙ୍ଗି ଘରେ ପଶିଥିଲେ । ଏହା ପରେ ୧୫ ଗ୍ରାମ ସୁନା ଚେନ୍ ସହ ନଗଦ ଟଙ୍କା ନେଇ ଫେରାର ହୋଇଥିଲେ ।
୨୯ ମାର୍ଚ୍ଚ ୨୦୨୫ରେ ମାୟା କୁଶୱାହାଙ୍କ ମାଆଙ୍କୁ ମାରିଦେବାକୁ ଧମକ ଦେଇଥିଲେ, ତେବେ ଏନେଇ କୁଶୱାହା ପ୍ରତିବାଦ କରିବାରୁ ପତ୍ନୀ ତାଙ୍କ ପ୍ରେମିକ ସହ ମିଶି ଉଭୟେ ମାଆ-ପୁଅକୁ ମାଡ଼ ମାରିଥିଲେ । ଏହି ସମୟରେ ପତ୍ନୀ ମାୟା କହିଥିଲେ, ତୁମେ ଯଦି କହିବ, ତେବେ ମିରଟ ହତ୍ୟା ଭଳି ତୁମକୁ ବି ମାରି ଡ୍ରମରେ ପ୍ୟାକ୍ କରିଦେବି ।
ସେପଟେ ମାୟା ଏ ଦାବିକୁ ଖଣ୍ଡନ କରି କହିଛନ୍ତି, ସ୍ୱାମୀ ତାଙ୍କ ନାଁରେ ମିଥ୍ୟା ଅଭିଯୋଗ କରିଛନ୍ତି । ପତ୍ନୀଙ୍କ କହିବାନୁଯାୟୀ ସ୍ୱାମୀ କୁଶୱାହା ତାଙ୍କୁ ହଇରାଣ କରିବା ସହ ୪ଥର ଗର୍ଭପାତ କରିବାକୁ ବାଧ୍ୟ କରିଛନ୍ତି । ୨୦୨୪ ଜୁଲାଇରେ ତାଙ୍କୁ ମାଡ଼ ମାରିବା ସହ ଛାଡ଼ପତ୍ର ଦାୟର କରି ଘରୁ ବାହର କରିଦେଇଛନ୍ତି । ତେବେ ଏନେଇ ଉଭୟ ପକ୍ଷ ପରସ୍ପର ବିରୁଦ୍ଧରେ ମାମଲା ରୁଜୁ କରିବା ପରେ ପୋଲିସ ଘଟଣାର ତଦନ୍ତ ଆରମ୍ଭ କରିଛି ।
ଅଧିକ ପଢନ୍ତୁ: ମର୍ଚ୍ଚାଣ୍ଟ ନେଭି ଅଫିସରଙ୍କୁ ବିଭତ୍ସ ହତ୍ୟା; ଶବକୁ ୧୫ ଖଣ୍ଡ କରି ପ୍ଲାଷ୍ଟିକ୍ ଡ୍ରମରେ ପୂରାଇ ପ୍ଲାଷ୍ଟର କଲା ପତ୍ନୀ