ନାଗପୁର: ମୋଗଲ ବାଦଶାହ ଔରଙ୍ଗଜେବଙ୍କ ସ୍ମାରକ ହଟାଇବାକୁ ନେଇ ଦେଶରେ ରାଜନୀତି ଜୋର ଧରିଛି। କିଛି ଦକ୍ଷିଣପନ୍ଥୀ ସଂଗଠନର ଏହି ଦାବି ମଧ୍ୟରେ ରାଷ୍ଟ୍ରୀୟ ସ୍ଵଂୟସେବକ ସଂଘ(ଆରଏସଏସ)ର ବରିଷ୍ଠ ନେତା ସୁରେଶ ଭୈୟାଜୀ ଯୋଶୀ ନିଜର ମତ ରଖିଛନ୍ତି। ସେ କହିଛନ୍ତି ଏହି ବିଷୟକୁ ଅଯଥା ଉଠାଯାଉଛି। ଯାହାର ଆସ୍ଥା ଥିବ ସେ ମହାରାଷ୍ଟ୍ରର ଛତ୍ରପତି ସମ୍ଭାଜିନଗର ସ୍ଥିତ ଉକ୍ତ କବରସ୍ଥାନକୁ ଯିବ।
ଯୋଶୀ କହିଛନ୍ତି, ଔରଙ୍ଗଜେବଙ୍କ କବର ବିଷୟକୁ ଅଯଥା ଉଠାଗଲା। ତାର ନିଧନ ଭାରତରେ ହୋଇଥିଲା। ତେଣୁ ତାଙ୍କ କବର ଉପରେ ସ୍ମାରକ ନିର୍ମାଣ ହୋଇଥିଲା। ଯାହାଙ୍କ ଆସ୍ଥା ଥିବ ସେମାନେ ସେଠାକୁ ଯିବେ। ଛତ୍ରପତି ଶିବାଜୀ ମହାରାଜ ହେଉଛନ୍ତି ଆମର ଆଦର୍ଶ। ସେ ଅଫଜଲ ଖାନଙ୍କ ସ୍ମାରକ ନିର୍ମାଣ କରାଇଥିଲେ। ଏହା ଭାରତର ଉଦାରତା ଓ ସମିଶ୍ରଣର ପ୍ରତୀକ। ସ୍ମାରକ ରହିବ ଏବଂ ଯାହାଙ୍କ ଇଚ୍ଛା ସେମାନେ ଯିବେ।
ସୂଚନାଯୋଗ୍ୟ, ମହାରାଷ୍ଟ୍ର ନବ ନିର୍ମାଣ ସେନା ପ୍ରମୁଖ(ମନସେ) ରାଜ ଠାକରେ ରବିବାର ଔରଙ୍ଗଜେବଙ୍କ କବରକୁ ନେଇ ସାଂପ୍ରଦାୟିକ ଉତ୍ତେଜନା ଉସୁକାଇବା ଉଦ୍ୟମକୁ ନିନ୍ଦ କରିଥିଲେ। ସେ କହିଥିଲେ, ଇତିହାସକୁ ଜାତି ଓ ଧର୍ମର ଚଷମାରେ ଦେଖାଯିବା ଉଚିତ୍ ନୁହେଁ। ଐତିହାସିକ ସୂଚନା ପାଇଁ ହ୍ଵାଟ୍ସଆପ୍ ଫରଓ୍ଵାର୍ଡ ଉପରେ ଭରସା କରନ୍ତୁ ନାହିଁ। ମୋଗଲ ଶାସକ ଶିବାଜୀ ନାମକ ଏକ ବିଚାରକୁ ମାରିବାକୁ ଚାହୁଁଥିଲେ। ମାତ୍ର ସେମାନେ ବିଫଳ ହେଲେ ଏବଂ ମହାରାଷ୍ଟ୍ରରେ ମୃତ୍ୟୁ ଘଟିଲା।
ରାଜ ଠାକରେ କହିଥିଲେ,ବିଜାପୁରର ସେନାପତି ଅଫଜଲ ଖାନଙ୍କୁ ପ୍ରତାପଗଡ଼ କିଲ୍ଲା ନିକଟରେ କବର ଦିଆଯାଇଥିଲା। ଏହା ଛତ୍ରପତି ଶିବାଜୀ ମହାରାଜଙ୍କ ଅନୁମତି ବିନା ହୋଇ ପାରିବ ନାହିଁ। ଔରଙ୍ଗଜେବଙ୍କ କବର ହଟାଯିବା ଦାବିରେ ବିଶ୍ଵ ହିନ୍ଦୁ ପରିଷଦ ନେତୃତ୍ଵରେ ବିରୋଧ ପ୍ରଦର୍ଶନ ସମୟରେ ଗୁଜବ କାରଣରୁ ମାର୍ଚ୍ଚ ମାସ ଆରମ୍ଭରେ ନାଗପୁରରେ ହିଂସା ଘଟିଗଲା।