ରାଞ୍ଚି: ବହୁ ଚର୍ଚ୍ଚିତ ପିଚୁ ଦୁର୍ନୀତି ମାମଲାରେ ରାଞ୍ଚିର ସ୍ଵତନ୍ତ୍ର ସିବିଆଇ ଅଦାଲତ ରାୟ ଶୁଣାଇଛନ୍ତି। ୨୮ ବର୍ଷ ତଳର ଏହି ମାମଲାରେ ବିହାରର ପୂର୍ବତନ ମନ୍ତ୍ରୀ ଇଲିୟାସ ହୁସେନଙ୍କ ସହିତ ପାଞ୍ଚ ଜଣ ଅଭିଯୁକ୍ତଙ୍କ ବିରୋଧରେ ସଜା ଶୁଣାଇଛନ୍ତି ସିବିଆଇର ସ୍ଵତନ୍ତ୍ର କୋର୍ଟ। ସମସ୍ତ ଅଭିଯୁକ୍ତଙ୍କୁ କୋର୍ଟ ୫ ବର୍ଷ ଲେଖାଏଁ ଜେଲ୍ ଦଣ୍ଡରେ ଦଣ୍ଡିତ କରିବା ସହ ଜଣ ପିଛା ୧୫ ଲକ୍ଷ ଟଙ୍କାର ଜରିମାନା ଲଗାଯାଇଛି। ଜରିମାନା ରାଶି ଅନାଦେୟ ହେଲେ ଅତିରିକ୍ତ ଜେଲ୍ ଦଣ୍ଡ ଭୋଗିବାକୁ ପଡ଼ିବ। ଅନ୍ୟପଟେ ପ୍ରମାଣ ଅଭାବରୁ ସାତ ଜଣ ନିର୍ଦ୍ଦୋଷରେ ମୁକ୍ତ ହୋଇଛନ୍ତି।
ଅଦାଲତ ୨୭.୭୦ ଲକ୍ଷ ଟଙ୍କାର ଦୁର୍ନୀତି ମାମଲାରେ ଇଲିୟାସ ହୁସେନଙ୍କ ସହିତ ଶହାବୁଦ୍ଦୀନ ବେଗ, ପବନ କୁମାର ଅଗ୍ରଓ୍ଵାଲ, ଅଶୋକ କୁମାର ଅଗ୍ରଓ୍ଵାଲ ଏବଂ ବିନୟ କୁମାର ସିହ୍ନାଙ୍କୁ ୩ ବର୍ଷ ଲେଖାଏଁ ଜେଲ୍ ସଜା ଶୁଣାଇଛନ୍ତି। ୧୯୯୪ରେ ହୋଇଥିବା ଏହି ଦୁର୍ନୀତିର ପର୍ଦ୍ଦାଫାଶ ୧୯୯୭ରେ ହୋଇଥିଲା। ଏହା ପରେ ସିବିଆଇ ମନ୍ତ୍ରୀ ସହିତ ଅନ୍ୟ ଅଭିଯୁକ୍ତ ଅଧିକାରୀ ଓ ଯୋଗାଣକାରୀଙ୍କ ବିରୋଧରେ ଏଫଆଇଆର ରୁଜୁ କରି ତଦନ୍ତ ଚଳାଇଥିଲା।
ସୂଚନାଯୋଗ୍ୟ, ୧୯୯୪ର ପିଚୁ ଦୁର୍ନୀତି ମାମଲାରେ ପିଚ ବହୁଳ ମାତ୍ରାରେ ଝାଡ଼ଖଣ୍ଡରେ ପରିବହନ କରାଯିବାର ଥିଲା। କାଗଜପତ୍ରରେ ପିଚୁ ଯୋଗାଣ ହୋଇଥିବା ଦର୍ଶାଯାଇଥିଲା। କିନ୍ତୁ ବାସ୍ତବରେ କୌଣସି ପିଚୁ ଦିଆଯାଇ ନ ଥିଲା। ଏଥିପାଇଁ ନକଲି କାଗଜପତ୍ର ପ୍ରସ୍ତୁତ କରାଯାଇଥିଲା। କେସ୍ ସାମ୍ନାକୁ ଆସିବା ପରେ ସେ ସମୟରେ ଚାଞ୍ଚଲ୍ୟ ଖେଳି ଯାଇଥିଲା। ସିବିଆଇ ମାମଲାର ତଦନ୍ତ କରିଥିଲା।