ନୂଆଦିଲ୍ଲୀ: ଏକ ସରକାରୀ ସ୍କୁଲରେ ଶିକ୍ଷୟତ୍ରୀଙ୍କୁ ଭଲ ପାଇ ବସିଲେ ପ୍ରଧାନ ଶିକ୍ଷକ ଓ ଜଣେ ଶିକ୍ଷକ । ଆଉ ଏହି ତ୍ରିକୋଣୀୟ ପ୍ରେମ କାହାଣୀରେ ବଳି ପଡିଛନ୍ତି ଜଣେ ଶିକ୍ଷକ । ହତ୍ୟାର ଶିକାର ହୋଇଥିବା ଶିକ୍ଷକ ହେଉଛନ୍ତି ରାମାଶ୍ରୟ ଯାଦବ । ଏହି ହତ୍ୟାକାଣ୍ଡ ଜାନୁଆରୀ ମାସରେ ବିହାରର ଦରଭଙ୍ଗା ଜିଲ୍ଲାର କୁଶେଶ୍ୱରରେ ଘଟିଛି । ପୋଲିସ ଘଟଣାର ତଦନ୍ତ କରି ୫୫ ଦିନ ପରେ ଘଟଣାର ପର୍ଦ୍ଦାଫାସ କରିଛି । ସବୁ ଖୁଲାସା ହେବା ପରେ ସତ ଜାଣି ସମସ୍ତେ ଆଚମ୍ବିତ ହୋଇ ପଡିଛନ୍ତି । ପୋଲିସ ହତ୍ୟା ଅଭିଯୋଗରେ ପ୍ରଧାନ ଶିକ୍ଷକ ସମେତ ୭ ଜଣଙ୍କୁ ଗିରଫ କରିଛି । ଏଥିରେ ତିନି ସୁଟର ମଧ୍ୟ ସାମିଲ ।
ଏସଡିପିଓ ମନୀଷ ଚନ୍ଦ୍ର ଚୌଧୁରୀ ମଙ୍ଗଳବାର ଘଟଣାର ଖୁଲାସା କରି କହିଛନ୍ତି, ଅଦଲପୁର ଉଚ୍ଚ ମାଧ୍ୟମିକ ବିଦ୍ୟାଳୟର ପ୍ରଧାନ ଶିକ୍ଷକ ରାମଚନ୍ଦ୍ର ପାସୱାନ ଓ ଶିକ୍ଷକ ରାମାଶ୍ରୟ ଯାଦବ ସ୍କୁଲର ଜଣେ ଶିକ୍ଷୟତ୍ରୀଙ୍କୁ ଭଲ ପାଇ ବସିଥିଲେ । ଏହା ଧିରେ ଧିରେ ତ୍ରିକୋଣୀୟ ପ୍ରେମ କାହାଣୀର ରୂପ ନେଇଥିଲା । ଘଟଣାରେ ସୁଟର ମୁକେଶ ଯାଦବଙ୍କୁ ସୁପାରୀ ଦିଆଯାଇଥିବା ତଦନ୍ତରୁ ଜଣା ପଡିଛି । ମୁକେଶ ନିଜର ଅନ୍ୟ ସାଙ୍ଗମାନଙ୍କ ସହ ମିଶି ରାମାଶ୍ରୟଙ୍କ ହତ୍ୟା କରିଥିଲେ ।
ଏହା ବ୍ୟତୀତ ପରସ୍ପର ଶତ୍ରୁତାକୁ ନେଇ ମଧ୍ୟ ରାମାଶ୍ରୟ ଯାଦବଙ୍କ ହତ୍ୟା ହୋଇଥିବା ତଦନ୍ତକାରୀ ଅଧିକାରୀ କହିଛନ୍ତି । ପୋଲିସ କହିଛି ବହେରା ଗାଁ ନିବାସୀ ଗଙ୍ଗା ଯାଦବ, ଲାଲୋ ଯାଦବ ଓ ହୀରା ଯାଦବ ମଧୟ୍ ଶିକ୍ଷକଙ୍କୁ ହତ୍ୟା କରିବାକୁ ସୁପାରୀ ଦେଇଥିଲେ । ଗାଁରେ ପତିଆରା ବୃଦ୍ଧି ନେଇ ଗଙ୍ଗା ଯାଦବ ଓ ଶିକ୍ଷକ ରାମାଶ୍ରୟଙ୍କ ମଧ୍ୟରେ ବିବାଦ ଲାଗି ରହିଥିଲା । ତେଣୁ ଦୀର୍ଘ ସମୟ ଧରି ଉଭୟଙ୍କ ମଧ୍ୟରେ ଶତ୍ରୁତ ଥିଲା ।
ଅଦଲପୁର ସରକାରୀ ସ୍କୁଲର ଶିକ୍ଷକ ରାମାଶ୍ରୟ ଯାଦବଙ୍କୁ ଜାନୁଆରୀ ୨୮ରେ ବିଚ୍ ରାସ୍ତାରେ ଫିଲ୍ମ ଷ୍ଟାଇଲରେ ଗୁଳି କରି ହତ୍ୟା କରାଯାଇଥିଲା । ଏହି ଘଟଣା ସକାଳ ପ୍ରାୟ ୯ଟା ୩୦ରେ ଘଟିଥିଲା, ଯେତେବେଳେ ଶିକ୍ଷକ ଜଣକ ବାଇକରେ ସ୍କୁଲ ଯାଉଥିଲେ । ସୁଟରମାନେ ବାଇକରେ ତାଙ୍କୁ ଓଭରଟେକ୍ କରିଥିଲେ ଏବଂ ମୁଣ୍ଡକୁ ଗୁଳି କରି ଫେରାର ମାରିଥିଲେ । କୁହାଯାଉଛି ଘଟଣା ସମୟରେ ରାମାଶ୍ରୟ ଯାଦବଙ୍କ ସହ ବାଇକରେ ଜଣେ ମହିଳା ଶିକ୍ଷୟତ୍ରୀ ମଧ୍ୟ ଥିଲେ ।