ନୂଆଦିଲ୍ଲୀ: ମଣିପୁରରେ ସ୍ଥିତି ଏବେ ପୂର୍ବାପେକ୍ଷା ବହୁତ ଶାନ୍ତିପୂର୍ଣ୍ଣ ରହିଛି । ସରକାର ସ୍ଥାୟୀ ଶାନ୍ତି ସ୍ଥାପନ ପାଇଁ ମେଇତି ଓ କୁକି ସମୁଦାୟ ମଧ୍ୟରେ ଆଲୋଚନା କରୁଛନ୍ତି । ମଣିପୁରରେ ସ୍ୱାଭାବିକ ସ୍ଥିତି ଫେରାଇ ଆଣିବା ପାଇଁ ଠିକ୍ ସମୟରେ ରାଷ୍ଟ୍ରପତି ଶାସନ ଲାଗୁ କରାଯାଇଛି । ଟାଇମ୍ସ ନାଓ ସମିଟ ୨୦୨୫ରେ ଯୋଗ ଦେଇ ଏହା କହିଛନ୍ତି କେନ୍ଦ୍ର ଗୃହ ମନ୍ତ୍ରୀ ଅମିତ ଶାହ ।
ସେ କହିଛନ୍ତି, ସ୍ଥିତି ଅପେକ୍ଷାକୃତ ଶାନ୍ତିପୂର୍ଣ୍ଣ ରହିଛି । ରାଜ୍ୟରେ ସ୍ୱାଭାବିକ ଜୀବନ ପୁଣି ଥରେ ଆରମ୍ଭ ହୋଇଛି । ଗୃହ ମନ୍ତ୍ରଣାଳୟ ଦୁଇ ସମୁଦାୟ ସହିତ ଅଲଗା ଅଲଗା ବୈଠକ କରିଛନ୍ତି । ଉଭୟ ସମୁଦାୟ ପରସ୍ପର ମଧ୍ୟରେ ବି ଆଲୋଚନା କରିଛନ୍ତି । ଧିରେ ଧିରେ ସବୁ କିଛି ସକରାତ୍ମକ ଦିଗକୁ ଆଗକୁ ବଢିବାରେ ଲାଗିଛି । ଏବେ ଚିନ୍ତା କରିବାର କୌଣସି ବିଷୟ ନାହିଁ ।
ପ୍ରଥମ ଥର ରାଜ୍ୟରେ ଜାତିଆଣ ହିଂସା ଦେଖିବାକୁ ମିଳିନି । ରାଜ୍ୟରେ ପୂର୍ବରୁ ମଧ୍ୟ ଅନେକ ହିଂସା ଘଟି ସାରିଛି । କିନ୍ତୁ ବର୍ତ୍ତମାନ ସ୍ଥିତି ସ୍ୱାଭାବିକ ଦିଗକୁ ଅଗ୍ରସର ହେଉଛି । ଦିଲ୍ଲୀରେ ବସି ସବୁ କିଛି ସହଜରେ କହି ହେବ । ମାତ୍ର ବାସ୍ତବତା ଭିନ୍ନ । ଯେ ପର୍ଯ୍ୟନ୍ତ ଦୁଇ ସମୁଦାୟ ସଂପୂର୍ଣ୍ଣ ଭାବେ ବାସ୍ତବତାକୁ ସ୍ୱୀକାର କରି ନାହାନ୍ତି, ସେ ପର୍ଯ୍ୟନ୍ତ ରାଷ୍ଟ୍ରପତି ଶାସନକୁ ପୂରା ସଫଳ ବୋଲି କୁହାଯାଇ ପାରିବ ନାହିଁ । ବାସ୍ ଉଚିତ୍ ସମୟ ଦେଖି ଆମେ ରାଜ୍ୟରେ ରାଷ୍ଟ୍ରପତି ଶାସନ ଲାଗୁ କରିଛୁ ବୋଲି କାର୍ଯ୍ୟକ୍ରମକୁ ସମ୍ବୋଧିତ କରି ଶାହ ଏହା କହିଛନ୍ତି ।
ଶାହ କହିଛନ୍ତି, ଜମ୍ମୁ-କାଶ୍ମୀରରକୁ ପ୍ରତିଶ୍ରୁତି ମୁତାବକ ପୂର୍ଣ୍ଣ ରାଜ୍ୟର ମାନ୍ୟତା ମିଳିବ । କିନ୍ତୁ ଏହି ପରି ସାର୍ବଜନୀନ ମଞ୍ଚରେ ସମୟର ଘୋଷଣା କରାଯାଇ ପାରିବ ନାହିଁ । ନିଶ୍ଚିତ ରୂପେ ଏହି ଉପତ୍ୟକା ରାଜ୍ୟକୁ ରାଜ୍ୟ ମାନ୍ୟତା ମିଳିବ । କାଶ୍ମୀରରେ ଗତ ୪୦ ବର୍ଷ ପରେ ପ୍ରଥମ ଥର ନିର୍ବାଚନ ହୋଇଛି, ଯେଉଁଠି ଗୋଟିଏ ବି ଲୁହବୁହା ଗ୍ୟାସ୍ ଏବଂ ଗୁଳି ଚାଳନା ହୋଇନି । ସଂପୂର୍ଣ୍ଣ ଶାନ୍ତିପୂର୍ଣ୍ଣ ଢଙ୍ଗରେ ରାଜ୍ୟବାସୀ ନିଜର ମତାଧିକାର ସାବ୍ୟସ୍ତ କରିଛନ୍ତି ।