କର୍ଣ୍ଣାଟକ: ଆଖି ପିଛୁଳାକେ ହାତରୁ ଚାଲିଗଲା ୫୦ ଲକ୍ଷ ଟଙ୍କା। ମୋଟା ଅଙ୍କର ପୁଞ୍ଜି ହରାଇବା ପରେ ଜୀବନ ହାରିଲେ ବୃଦ୍ଧ ଦମ୍ପତି। ସାଇବର ଠକେଇର ଶିକାର ହୋଇଥିବା କର୍ଣ୍ଣାଟକ ବେଲାଗାଭି ଜିଲ୍ଲାର ବୟସ୍କ ଦମ୍ପତି ପ୍ରାଣ ହରାଇଛନ୍ତି। ସୂଚନା ମୁତାବିକ ୮୩ ବର୍ଷୀୟ ଦିୟାଙ୍ଗୋ ନଜାରତ ନିଜ ଗଳା କାଟି ଆତ୍ମହତ୍ୟା କରିଥିବା ବେଳେ, ତାଙ୍କ ସ୍ତ୍ରୀ ୭୯ ବର୍ଷୀୟ ପ୍ଲେୟଭିଆନା ନଜାରତ ବିଷ ପିଇ ପ୍ରାଣ ହରାଇଛନ୍ତି। ସାଇବର ଠକଙ୍କ ହାତରେ ୫୦ ଲକ୍ଷରୁ ଅଧିକ ଟଙ୍କା ହରାଇବା ପରେ ହତାଶା ହୋଇ ଉଭୟେ ଏହି ଚରମ ପଦକ୍ଷେପ ନେଇଥିବା ଜଣାପଡ଼ିଛି। ତେବେ ଆତ୍ମହତ୍ୟା କରିବା ପୂର୍ବରୁ ସେମାନେ ଏକ ସୁଇସାଇଡ଼ ନୋଟ ମଧ୍ୟ ଲେଖିଥିଲେ, ଯେଉଁଥିରେ ୩ ମାସର ନିର୍ଯ୍ୟାତନାର କାହାଣୀ ଉଲ୍ଲେ୍ଖ କରିଛନ୍ତି, କିଭଳି ସେମାନେ ଠକଙ୍କ ଶିକାର ହେଲେ, ପରେ ଧମକ ଓ ନିରାଶାର କାରଣ ଏଥିରେ ଲେଖିଛନ୍ତି।
ଗତ ୩ ମାସ ହେବ ଦମ୍ପତିଙ୍କୁ ସାଇବର ଠକ ବାରମ୍ବାର ଧମକ ଦେଉଥିଲେ, ତେବେ ଦୀର୍ଘଦିନ ହେବ ମାନସିକ ଉତ୍ପୀଡ଼ନର ଶିକାର ହେବା ପରେ ନିଜ ଘରେ ଦୁହେଁ ଆତ୍ମହତ୍ୟା କରିଛନ୍ତି। ପୋଲିସ ସୂତ୍ରରୁ ମିଳିଥିବା ଖବର ଅନୁସାରେ, ଠକମାନେ ଦିଲ୍ଲୀ କ୍ରାଇମ୍ ବ୍ରାଞ୍ଚର ଅଧିକାରୀ ପରିଚୟ ଦେଇ ଏହି ଦମ୍ପତିଙ୍କୁ ଭିଡିଓ କଲ୍ ମାଧ୍ୟମରେ ସମ୍ପର୍କ କରିଥିଲେ। ସେମାନେ ଦାବି କରିଥିଲେ ଯେ ଦମ୍ପତିଙ୍କ ମୋବାଇଲ ନମ୍ବର ଓ ପରିଚୟ ପ୍ରମାଣପତ୍ର କୌଣସି ଅପରାଧିକ ମାମଲାରେ ଜଡ଼ିତ ହୋଇଛି। ଏହି ମିଛ ଅଭିଯୋଗରୁ ମୁକ୍ତି ପାଇବା ପାଇଁ ସେମାନେ ପ୍ରଥମେ ୫ ଲକ୍ଷ ଟଙ୍କା ଦାବି କରିଥିଲେ। ମହାରାଷ୍ଟ୍ର ସଚିବାଳୟରୁ ଅବସରପ୍ରାପ୍ତ ଏହି ଦମ୍ପତି କିଛି ଟଙ୍କା ଦେଇଥିଲେ। କିନ୍ତୁ ଏହା ପରେ ମଧ୍ୟ ଠକ ଆଉ ପାଦେ ଆଗକୁ ବଢ଼ିଥିଲେ। ସେମାନେ ଲଗାତାର ଧମକ ଦେଇ ଅଧିକ ଟଙ୍କା ଆଦାୟ କରିଚାଲିଥିଲେ, ଯାହା ଶେଷରେ ୫୦ ଲକ୍ଷ ଟଙ୍କାରୁ ଅଧିକ ହୋଇଥିଲା। ଶେଷରେ କୌଣସି ଉପାୟ ନ ପାଇଁ ଜୀବନ ହାରିଛନ୍ତି ବୃଦ୍ଧ ଦମ୍ପତି।
ଅଧିକ ପଢନ୍ତୁ: ଚାର୍ଟ ଜିପିଟିର ନୂଆ ଫିଚର ସଭିଁଙ୍କୁ କଲାଣି ପାଗଳ; ଟ୍ରେଣ୍ଡରେ ଏଲନ ମସ୍କ ସାମିଲ, ଲୋକଙ୍କ ମନ ଜିଣୁଛି ଇଣ୍ଟରନେଟର ଏହି ଖାସ୍ ଟୁଲ୍