ଗୁଜୁରାଟ: ଆତ୍ମଘୋଷିତ ଧର୍ମଗୁରୁ ଆଶାରାମ ବାପୁଙ୍କୁ କୋର୍ଟରୁ ଆଶ୍ୱସ୍ତି । ଗୁଜୁରାଟ ହାଇକୋର୍ଟ ତାଙ୍କ ମଧ୍ୟବର୍ତ୍ତୀକାଳୀନ ଜାମିନକୁ ଜୁନ୍ ୩୦ ଯାଏଁ ବୃଦ୍ଧି କରିଛନ୍ତି । ତିନି ମାସ ପାଇଁ କୋର୍ଟ ଆଶାରାମଙ୍କୁ ଜାମିନ ପ୍ରଦାନ କରିଛନ୍ତି। ଶୁକ୍ରବାର ଆଶାରାମ ବାପୁଙ୍କ ଶୁଣାଣି ଥିବା ବେଳେ ଶୁଣାଣି ସମୟରେ ଜଷ୍ଟିସ ଇଲେଶ ବୋରାଙ୍କ ମତାମତକୁ ଜଷ୍ଟିସ ଏଏସ୍ ସୁପିହିୟା ସମର୍ଥନ କରି ଆଶାରାମଙ୍କୁ ତିନି ମାସର ଜାମିନ ପ୍ରଦାନ କରାଯାଇଛି।
୨୦୧୩ ମସିହାରେ ହୋଇଥିବା ନାବାଳିକା ଦୁର୍ଷ୍କମ ମାମଲାରେ ୮୬ ବର୍ଷର ଅସାରାମ ବାପୁଙ୍କୁ ଦୋଷୀ ସାବ୍ୟସ୍ତ କରାଯାଇଥିଲା। ମାମଲାର ଯାଞ୍ଚ କରିବା ପରେ ଯୋଦ୍ଧପୁର ପୁଲିସ ଅଗଷ୍ଟ ୩୧ରେ ଆଶାରାମଙ୍କୁ ଗିରଫ କରି ସେପ୍ଟେମ୍ବର ୧ରେ ଯୋଦ୍ଧପୁରକୁ ଆଣିଥିଲା। ଏହାପରେ ତାଙ୍କୁ କେନ୍ଦ୍ରୀୟ ଜେଲ୍ ରେ ରଖାଯାଇଥିଲା। ସେବେଠାରୁ ସେ ଆଜୀବନ କାରାଦଣ୍ଡ ଭୋଗୁଛନ୍ତି।
ତେବେ ସ୍ୱାସ୍ଥ୍ୟଗତ ସମସ୍ୟା ପାଇଁ ଚିକିତ୍ସା ଆଧାରରେ ମେଡିକାଲରେ ମାର୍ଚ୍ଚ ୩୧ ପର୍ଯ୍ୟନ୍ତ ସୁପ୍ରିମକୋର୍ଟ ତାଙ୍କୁ ମଧ୍ୟବର୍ତ୍ତୀକାଳୀନ ଜାମିନ ପ୍ରଦାନ କରିଥିଲେ। ବର୍ତ୍ତମାନ ଆସାମ ବାପୁ ରାଜସ୍ଥାନର ଯୋଧପୁର ଜିଲ୍ଲାରେ ଆୟୁର୍ବେଦିକ ଚିକିତ୍ସା କରୁଛନ୍ତି। ତିନି ମାସର ଅବଧି ସୋମବାର ଦିନ ଶେଷ ହେବାକୁ ସ୍ଥିର ହୋଇଥିଲା, ତେଣୁ ତାଙ୍କ ଓକିଲମାନେ ତିନି ମାସ ପାଇଁ ଅତିରିକ୍ତ ଜାମିନ ଦେବାକୁ ଗୁଜରାଟ ହାଇକୋର୍ଟଙ୍କୁ ଅନୁରୋଧ କରିଥିଲେ। ଗୁଜୁରାଟ ହାଇକୋର୍ଟ ତାଙ୍କ ଅସ୍ଥାୟୀ ଜାମିନକୁ ଜୁନ୍ ୩୦ ପର୍ଯ୍ୟନ୍ତ ବୃଦ୍ଧି କରିଛନ୍ତି।
ଅଧିକ ପଢନ୍ତୁ: ବେରୁତରେ ହେଜବୁଲ୍ଲାର ଠିକଣା ଉଡ଼ାଇଲା ଇସ୍ରାଏଲ; ତୀବ୍ର ନିନ୍ଦାକଲା ଫ୍ରାନ୍ସ
ଆସାରାମ ବାପୁଙ୍କ ଓକିଲ ଯୁକ୍ତି କରିଛନ୍ତି ଯେ ଡାକ୍ତରମାନେ ତାଙ୍କୁ ପଞ୍ଚକର୍ମା ଚିକିତ୍ସା କରିବାକୁ ପରାମର୍ଶ ଦେଇଛନ୍ତି। ଏହା ଏକ ୯୦ ଦିନର ଚିକିତ୍ସା ହୋଇଥିବାରୁ ତାଙ୍କୁ ୩ ମାସର ଜାମିନ ନେଇ ଆବେଦନ କରିଥିଲେ । ଗୁଜୁରାଟ ହାଇକୋର୍ଟ ଏହି ପିଟିସନର ଶୁଣାଣି କରି ଗୁରୁବାରରେ ସଂରକ୍ଷିତ ରଖିଛନ୍ତି। ସ୍ଵାସ୍ଥ୍ୟଗତ ସମସ୍ୟା ପାଇଁ ଚିକିତ୍ସା ଆଧାରରେ ଆଶାରାମ ବାପୁଙ୍କୁ ଅନ୍ତରୀଣ ଜାମିନ ପ୍ରଦାନ କରିଥିଲେ ସର୍ବୋଚ୍ଚ ନ୍ୟାୟାଳୟ। ତେବେ ଏହି ଅବଧି ମଧ୍ୟରେ କଡା ସର୍ତ୍ତାବଳୀ ମଧ୍ୟ ଲାଗୁ ରହିବ। ଅନ୍ତରୀଣ ଜାମିନ ସମୟରେ ଆଶାରାମ ବାପୁ ତାଙ୍କ ଅନୁଗାମୀମାନଙ୍କୁ ଭେଟି ପାରିବେ ନାହିଁ।