ନୂଆଦିଲ୍ଲୀ: ରାତି ପାହିଲେ ଇଦ୍ । ଏହା ପାଇଁ ଦେଶର ସବୁ ମସଜିଦରେ ଚାଲିଛି ସମୂହ ନମାଜ ପାଠର ଆୟୋଜନ । କିନ୍ତୁ ଏହା ପୂର୍ବରୁ ଗୁଇନ୍ଦା ବିଭାଗ ପାଇଁ ଚିନ୍ତା ବଢ଼ିଯାଇଛି । ସୋସିଆଲ ମିଡିଆର ଏକ ପୋଷ୍ଟ ସୁରକ୍ଷାକର୍ମୀଙ୍କ ନିଦ ହଜାଇ ଦେଇଛି । ଇଦ ଅବସରରେ ଉତ୍ତର ପ୍ରଦେଶ, ମାୟାନଗରୀ ମୁମ୍ବାଇ ଏବଂ ଜାତୀୟ ରାଜଧାନୀ ଦିଲ୍ଲୀରେ ଆକ୍ରମଣ ଓ ଦଙ୍ଗା ନେଇ ଚେତାବନୀ ଦିଆଯାଇଛି । ଯାହା ପରେ ଏହି ସ୍ଥାନରେ ସୁରକ୍ଷାବ୍ୟବସ୍ଥାକୁ କଡ଼ାକଡ଼ି କରାଯାଇଛି ।
ସମ୍ବାଦ ସରବରାହ ସଂସ୍ଥା ପିଟିଆଇର ରିପୋର୍ଟ ମୁତାବକ, ସୋସିଆଲ ମିଡିଆରେ ବୋମା ଆକ୍ରମଣ, ହିନ୍ଦୁ-ମୁସଲିମ ଦଙ୍ଗା ନେଇ ଚେତାବନୀ ଦିଆଯାଇଛି । ନଭି ମୁମ୍ବାଇର ଡୋଙ୍ଗ୍ରୀ ଅଞ୍ଚଳକୁ ଟାର୍ଗେଟ୍ କରାଯାଇଛି । କିଛି ଅବୈଧ ରୋହିଙ୍ଗ୍ୟା, ବାଂଲାଦେଶୀ କିମ୍ବା ପାକିସ୍ତାନୀ ଅନୁପ୍ରବେଶକାରୀ ଏଭଳି କରିପାରନ୍ତି ବୋଲି ଅନୁମାନ କରାଯାଉଛି । ‘ଦ ଶାସ୍ୱତ ଶୁକ୍ଳା ଟ୍ରୁଥ୍ ସ୍ପିକ୍ସ’ (The Shaswat Shukla truth speaks) ନାମରେ ଥିବା ଏକ୍ସ ଆକାଉଣ୍ଟରୁ ପୋଷ୍ଟ କରାଯାଇଛି । ଏହି ପୋଷ୍ଟ ପରେ ପୋଲିସ ସତର୍କ ହୋଇଯାଇଛି । ସାଇବର ସେଲ୍ ପକ୍ଷରୁ ପୋଷ୍ଟ କରିଥିବା ବ୍ୟକ୍ତିକୁ ଖୋଜି ବାହାର କରିବାକୁ ଚେଷ୍ଟା କରାଯାଉଛି । କିନ୍ତୁ ଏହି ମାମଲାରେ କୌଣସି ସନ୍ଦିଗ୍ଧଙ୍କୁ ଠାବ କରାଯାଇ ନାହିଁ । ପୋଲିସ କହିଛି ଯେ ମୁମ୍ବାଇ ପୋଲିସ କର୍ମଚାରୀଙ୍କ ବ୍ୟତୀତ କ୍ରାଇମବ୍ରାଞ୍ଚ, ଆତଙ୍କବାଦ ନିରୋଧୀ ସ୍କ୍ବାଡ୍ ଏବଂ ସ୍ପେଶାଲ ବ୍ରାଞ୍ଚ କଡ଼ା ନଜର ରଖୁଛନ୍ତି। ମୁମ୍ବାଇ ପୋଲିସ ଲୋକମାନଙ୍କୁ ଆଶ୍ୱାସନା ଦେଇଛି ଯେ କଡ଼ା ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରାଯାଇଛି। ପରିସ୍ଥିତି ଉପରେ କଡ଼ା ନଜର ରଖାଯାଇଛି ଏବଂ ଆଇନ ଶୃଙ୍ଖଳା ବଜାୟ ରହିଥିବା ସୁନିଶ୍ଚିତ କରାଯାଇଛି ।
ବ୍ୟକ୍ତି ଜଣକ ପୋଷ୍ଟ କରିଛନ୍ତି, 'ମୁମ୍ବାଇ ପୋଲିସ ସତର୍କ ରୁହ !' ୩୧ ମାର୍ଚ୍ଚ-୧ ଏପ୍ରିଲ ୨୦୨୫ ଇଦ୍ ସମୟରେ, ଡୋଙ୍ଗରି ଭଳି ଅଞ୍ଚଳରେ ରହୁଥିବା କିଛି ଅବୈଧ ରୋହିଙ୍ଗ୍ୟା/ବାଂଲାଦେଶୀ/ପାକିସ୍ତାନୀ ଅନୁପ୍ରବେଶକାରୀ ହିନ୍ଦୁ-ମୁସଲିମ ଦଙ୍ଗା, ପୋଡ଼ାଜଳା ଏବଂ ବୋମା ବିସ୍ଫୋରଣ ଘଟାଇପାରନ୍ତି । ତେବେ ଏହି ପୋଷ୍ଟରେ ନଭି ମୁମ୍ବାଇ ପୋଲିସ ଉତ୍ତର ଦେଇଛି । ପୋଲିସ ଲେଖିଛି, ଯୋଗାଯୋଗ କରିବା ପାଇଁ ଧନ୍ୟବାଦ । ଆପଣଙ୍କ ପୋଷ୍ଟ ସମ୍ବନ୍ଧରେ ଅଧିକ ସୂଚନା ପାଇଁ ଦୟାକରି ଆପଣଙ୍କର ମୋବାଇଲ୍ ନମ୍ବର ପଠାନ୍ତୁ।
ଉତ୍ତର ପ୍ରଦେଶ ଓ ଦିଲ୍ଲୀ ପାଇଁ ମଧ୍ୟ ରହିଛି ବିପଦ
ସେହିପରି ଦିଲ୍ଲୀ ସରକାରଙ୍କୁ ମଧ୍ୟ ଟାର୍ଗେଟ୍ କରାଯାଇଛି । ସେ ତାଙ୍କ ପୂର୍ବ ପୋଷ୍ଟରେ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ରେଖା ଗୁପ୍ତା, ଦିଲ୍ଲୀ ଏବଂ ୟୁପି ପୋଲିସକୁ ଟ୍ୟାଗ୍ କରିଥିଲେ। ବ୍ୟକ୍ତି ଜଣକ ଲେଖିଛନ୍ତି ଯେ ଦିଲ୍ଲୀ ମୁଖ୍ୟମନ୍ତ୍ରୀ, ଦିଲ୍ଲୀ ପୋଲିସ ଏବଂ ୟୁପି ପୋଲିସ ଦୟାକରି ସତର୍କ ରୁହନ୍ତୁ ! ୩୧ ମାର୍ଚ୍ଚ-୧ ଏପ୍ରିଲ ୨୦୨୫ ରେ ଈଦ ସମୟରେ, କିଛି ଅବୈଧ ରୋହିଙ୍ଗ୍ୟା/ବାଂଲାଦେଶୀ/ପାକିସ୍ତାନୀ ମୁସଲିମ ଜାହାଙ୍ଗୀରପୁରୀ, ଚାନ୍ଦନୀ ଚୌକ, ଜାମା ମସଜିଦରେ ହିନ୍ଦୁ-ମୁସଲିମ ଦଙ୍ଗା କିମ୍ବା ବୋମା ବିସ୍ଫୋରଣ ଘଟାଇପାରନ୍ତି ।