ସମସ୍ତୀପୁର: ବିହାରର ସମସ୍ତୀପୁରରେ ପ୍ରେସର ଲିକେଜ୍ କାରଣରୁ ଟ୍ରେନ୍ ମଝିପୋଲରେ ଅଟକି ଯାଇଥିଲା। ଏହା ପରେ ଲୋକୋ ପାଇଲଟ ଜୀବନକୁ ବାଜି ଲଗାଇ ସମସ୍ୟାର ସମାଧାନ କରିଥିଲେ। ଲୋକୋ ପାଇଲଟ ଟ୍ରେନ୍ରୁ ଓହ୍ଲାଇ ବଡ଼ସାହସ ଦେଖାଇଥିଲେ। ସେ ଟ୍ରେନ୍ର ତଳେ ଥିବା ପୋଲ ଦେଇ ଚଢ଼ିଥିଲେ ଏବଂ ଇଂଜିନ ନିକଟରେ ପହଞ୍ଚି ଥିଲେ। ଇଂଜିନର ପ୍ରେସର ଲିକେଜକୁ ଠିକ୍ କରିଥିଲେ। ଏହା ପରେ ଟ୍ରେନ୍ଟି ନିଜର ଗନ୍ତବ୍ୟ ପଥରେ ଆଗକୁ ବଢ଼ିଥିଲା। ଏହି ଘଟଣାର ଭିଡିଓ ଏବେ ସାମାଜିକ ଗଣମାଧ୍ୟମରେ ଭାଇରାଲ ହେଉଛି। ସମସ୍ତୀପୁର ରେଳମଣ୍ଡଳର ଡିଆରଏମ୍ ୨ ଜଣ ଲୋକୋ ପାଇଲଟଙ୍କୁ ପୁରସ୍କାର ଦେବାକୁ ଘୋଷଣା କରିଛନ୍ତି।
ସମସ୍ତୀପୁର ରେଳମଣ୍ଡଳର ବାଲ୍ମୀକିନଗର ଏବଂ ପନିୟାବା ଷ୍ଟେସନ ମଝିରେ ନିର୍ମିତ ପୋଲର ୩୮୨ ଖୁଣ୍ଟ ପାଖରେ ଅଚାନକ ଲୋକେ ଇଂଜିନର ଅନଲୋଡର ବଲ୍ବରୁ ଏୟାର ପ୍ରେସର ଲିକେଜ ହୋଇଥିଲା। ଏହି କାରଣରୁ ମଝିପୋଲରେ ଟ୍ରେନ୍ଟି ଅଟକି ଯାଇଥିଲା। ଅନ୍ୟପଟରେ ଯେଉଁ ସ୍ଥାନରେ ଟ୍ରେନ୍ର ଯାନ୍ତ୍ରିକ ତ୍ରୁଟି ଦେଖାଯାଇଥିଲା, ସେଠାରେ ଇଂଜିନ ପର୍ଯ୍ୟନ୍ତ ପହଞ୍ଚିବା କଷ୍ଟ ସାଧ୍ୟ ଥିଲା। କାରଣ ଇଂଜିନ ପାଖକୁ ଯିବା ପାଇଁ ରାସ୍ତା ନଥିଲା। ପୋଲ ଉପରେ ଅଘଟଣ ଘଟିଥିବାରୁ ଅଧିକ ସମସ୍ୟା ଉପୁଜି ଥିଲା। ତଥାପି ଏହାକୁ ଖାତିର ନକରି ଲୋକୋ ପାଇଲଟ ଓ ସହକାରୀ ଲୋକୋ ପାଇଲଟ ଉପସ୍ଥିତ ବୁଦ୍ଧି ଲଗାଇ ଟ୍ରେନ୍ ତଳେ ଥିବା ପୋଲ ମାଧ୍ୟମ ଦେଇ ଇଂଜିନ ପାଖକୁ ଯାଇ ଏହା ଠିକ୍ କରିଥିଲେ।
ଉଭୟ ଚାଳକଙ୍କ ଏହି ସାହସିକ କାର୍ଯ୍ୟକୁ ସମସ୍ତେ ପ୍ରଶଂସା କରୁଛନ୍ତି। ସମସ୍ତୀପୁର ରେଳ ମଣ୍ଡଳର ଡିଆରଏମ୍ ବିନୟ ଶ୍ରୀବାସ୍ତବ ଉଭୟ ଚାଳକଙ୍କୁ ୧୦ ହଜାର ଟଙ୍କା ପୁରସ୍କାର ଓ ପ୍ରମାଣପତ୍ର ଘୋଷଣା କରିଛନ୍ତି।