ନୂଆଦିଲ୍ଲୀ: ହରିୟାଣା ସରକାର ଖ୍ୟାତାନାମା ରେସଲର ତଥା ଜୁଲାନା ସିଟରୁ କଂଗ୍ରେସ ବିଧାୟକ ଭିନେଶ ଫୋଗାଟଙ୍କୁ ନିଜର କ୍ରୀଡା ନୀତି ଆଧାରରେ ତିନୋଟି ବିକଳ୍ପ ଚୟନ କରିବାକୁ କହିଛନ୍ତି । ବିଜେପି ଶାସିତ ରାଜ୍ୟ ସରକାର ଭିନେଶଙ୍କୁ କହିଛନ୍ତି, ୪ କୋଟି ନଗଦ ରାଶି, ଗ୍ରୁପ ଏର ସରକାରୀ ଚାକିରି କିମ୍ବା ହରିୟାଣା ସହରାଞ୍ଚଳ ବିକାଶ ପ୍ରାଧିକରଣ ଅନ୍ତର୍ଗତରେ ଏକ ଫ୍ଲାଟ ଏହି ତିନି ବିକଳ୍ପରୁ କୌଣସି ଗୋଟିଏ ଗ୍ରହଣ କରନ୍ତୁ ।
କଂଗ୍ରେସ ବିଧାୟକ ଫୋଗାଟ୍ ସଂପ୍ରତି ଏହା ଉପରେ କୌଣସି ପ୍ରତିକ୍ରିୟା ଦେଇ ନାହାନ୍ତି । ମୁଖ୍ୟମନ୍ତ୍ରୀ ନାଏବ ସିଂ ସାଇନିଙ୍କ ଅଧ୍ୟକ୍ଷତାରେ ମଙ୍ଗଳବାର ଅନୁଷ୍ଠିତ କ୍ୟାବିନେଟ୍ ବୈଠକରେ ଏହି ନିଷ୍ପତ୍ତି ନିଆଯାଇଛି । ମୁଖ୍ୟମନ୍ତ୍ରୀ ସାଇନି କହିଛନ୍ତି, ଭିନେଶ ଫୋଗାଟ ଜଣେ ବିଧାୟକ ହୋଇଥିବାରୁ , ସରକାର ନିଷ୍ପତ୍ତି ନେଇଛନ୍ତି ଯେ, ସେ କୌଣସି ଗୋଟିଏ ଲାଭ ନେବାକୁ ସ୍ଥିର କରନ୍ତୁ । ଏହି ଲାଭ ରାଜ୍ୟ ସରକାରଙ୍କ କ୍ରୀଡା ନୀତି ଆଧାରରେ ରୌପ୍ୟ ପଦକ ବିଜେତା ସମକକ୍ଷ ଖେଳାଳିଙ୍କୁ ଦିଆଯାଏ ।
ମୁଖ୍ୟମନ୍ତ୍ରୀ କହିଛନ୍ତି, ଭିନେଶ ଫୋଗାଟ୍ ଏହି ପ୍ରସଙ୍ଗ ବିଧାନସଭାରେ ଉଠାଇଥିଲେ । ଆଜିର କ୍ୟାବିନେଟରେ ଏହାକୁ ଗୁରୁତର ସହ ଗ୍ରହଣ କରି କ୍ରୀଡା ନୀତି ଆଧାରରେ ଫୋଗାଟଙ୍କୁ ଏହି ଲାଭ ଦେବାକୁ ବିଚାର କରାଯାଇଛି । ସୂଚନାଯୋଗ୍ୟ, ଭିନେଶ ଫୋଗାଟଙ୍କୁ ପ୍ୟାରିସ ଅଲିମ୍ପିକ୍ସରେ ଏକ ପ୍ରକ୍ରିୟାଗତ ନିର୍ଣ୍ଣୟ ଆଧାରରେ ଅଯୋଗ୍ୟ ଘୋଷିତ କରାଯାଇଥିଲା । ସେହି ସମୟରେ ମୁଖ୍ୟମନ୍ତ୍ରୀ ସାଇନି ଟୁଇଟ୍ କରି କହିଥିଲେ ଯେ, ହରିୟାଣାର ଗର୍ବ ଫୋଗାଟଙ୍କ ସମ୍ମାନକୁ କମ ହେବାକୁ ଦିଆଯିବ ନାହିଁ ।