ପୁଣେ: ମହାରାଷ୍ଟ୍ରର ବିବାଦୀୟ ଟ୍ରେନି ଆଇଏଏସ୍ ଅଧିକାରୀ ପୂଜା ଖେଡକରଙ୍କ ଅଡୁଆ ଲଗାତାର ବଢ଼ିବାରେ ଲାଗିଛି। ପୁଣେ ପୁଲିସ (ଗ୍ରାମାଞ୍ଚଳ) ପୂଜାଙ୍କ ମା’ ମନୋରମା ଖେଡକର ଓ ପିତା ଦିଲୀପ ଖେଡକରଙ୍କ ସହିତ ଅନ୍ୟ ୫ ଜଣଙ୍କ ବିରୋଧରେ ମାମଲା ରୁଜୁ କରିଛି। ଜଣେ ଚାଷୀଙ୍କୁ ପିସ୍ତଲରେ ଧମକାଇବା ଅଭିଯୋଗରେ ମନୋରମାଙ୍କ ବିରୋଧରେ ମାମଲା ରୁଜୁ ହୋଇଛି।
ପୌଡ ପୁଲିସ ଷ୍ଟେସନରେ ଜଣେ ଚାଷୀ ଅଭିଯୋଗ କରିଛନ୍ତି। ସେ କହିଛନ୍ତି ମନୋରମା ତାଙ୍କୁ ପିସ୍ତଲ ଦେଖାଇ ଧମକ ଦେଇଥିଲେ। ପୁଲିସ ଷ୍ଟେସନର ନିରୀକ୍ଷକ ମନୋଜ ଯାଦବ କହିଛନ୍ତି ଏଫ୍ଆଇଆର ଧାରା ୩୨୩, ୫୦୪, ୫୦୭ ଆଧାରରେ ରୁଜୁ କରାଯାଇଛି। ମନୋରମା ଖେଡକରଙ୍କ ଉପରେ ଆର୍ମସ ନିୟମ ଲାଗୁ ହୋଇଛି।
ଚାଷୀଙ୍କୁ ମନୋରମା ଏକ ପିସ୍ତଲ ଦେଖାଉଥିବା ସମୟରେ ଭିଡିଓ ଭାଇରାଲ ହୋଇଛି। ଏହି ଘଟଣା ପୁନେର ମୁଲଶୀ ଅଞ୍ଚଳରେ ଥିବା ଧଡାୱଲି ଗାଁରେ ଘଟିଛି, ଯେଉଁଠି ପୂଜାଙ୍କ ବାପା ଦିଲୀପ ଖେଡକର ଜମି କିଣିଥିଲେ। ସୂଚନାଯୋଗ୍ୟ, ପୂଜା ଖେଡକର ବାପା ମଧ୍ୟ ଜଣେ ଅବସରପ୍ରାପ୍ତ ଅଧିକାରୀ ଏବଂ ସେ ରାଜନୀତିରେ ପାଦ ଥାପିଛନ୍ତି।