ନୂଆଦିଲ୍ଲୀ: ବିହାର ବିଧାନସଭା ନିର୍ବାଚନ ସରିବା ମାତ୍ରେ କଂଗ୍ରେସକୁ ଲାଗିଛି ବଡ଼ ଝଟକା। ଦଳର ବରିଷ୍ଠ ନେତା ଶକିଲ ଅହମ୍ମଦ ଖାନ ପାର୍ଟିରୁ ଇସ୍ତଫା ଦେଇଛନ୍ତି। ଶକିଲ ଅହମ୍ମଦ ଖାନ ମଙ୍ଗଳବାର କଂଗ୍ରେସର ପ୍ରାଥମିକ ସଦସ୍ୟତାରୁ ଇସ୍ତଫା ଦେଇଛନ୍ତି। ପାର୍ଟିର ରାଜ୍ୟ କଂଗ୍ରେସ ପ୍ରତି ଗଭୀର ଅସନ୍ତୋଷ କାରଣରୁ ସେ ଦଳ ଛାଡ଼ିଥିବା କୁହାଯାଉଛି। ବିହାର ନିର୍ବାଚନରେ ଟିକେଟ୍ ବଣ୍ଟନକୁ ନେଇ ସେ ଅସନ୍ତୁଷ୍ଟ ଥିଲେ।
ନିଜର ଇସ୍ତଫାକୁ ନେଇ ଶକିଲ ଅହମ୍ମଦ କହିଛନ୍ତି, ମୁଁ ପ୍ରଥମରୁ ଜଣାଇ ଦେଇଥିଲି ଯେ ମୁଁ ନିଜ ସାଥୀ ପାର୍ଟି ନେତାଙ୍କ ସହ ମତଭେଦ କାରଣରୁ ଦୁଃଖ ମନରେ ପାର୍ଟିରୁ ଇସ୍ତଫା ଦେଉଛି। ମୁଁ ପାର୍ଟିର ନୀତି ଓ ସିଦ୍ଧାନ୍ତର ସମର୍ଥନ କରି ଚାଲିବି। ମୁଁ ଏବେ ପ୍ରାଥମିକ ସଦସ୍ୟତାରୁ ଇସ୍ତଫା ଦେଇଛି।ତାଙ୍କର ଇସ୍ତଫାକୁ ନେଇ ଏ ପର୍ଯ୍ୟନ୍ତ କଂଗ୍ରେସ ପକ୍ଷରୁ କୌଣସି ପ୍ରତିକ୍ରିୟା ଆସିନାହିଁ।
ସୂଚନାଯୋଗ୍ୟ, ବିହାର ବିଧାନସଭା ନିର୍ବାଚନର ଦ୍ଵିତୀୟ ପର୍ଯ୍ୟାୟ ମତଦାନ ସହ ଏକଜିଟ୍ ପୋଲ ସାମ୍ନାକୁ ଆସିବାରେ ଲାଗିଛି। ସମସ୍ତ ଏକଜିଟ ପୋଲରେ ଜେଡିୟୁ ଓ ବିଜେପି ନେତୃତ୍ଵାଧୀନ ଏନଡିଏକୁ ସ୍ପଷ୍ଟ ବହୁମତ ମିଳୁଥିବା ପୂର୍ବାନୁମାନ କରାଯାଇଛି। ଅନ୍ୟପଟେ ଆରଜେଡି ନେତୃତ୍ଵାଧୀନ ମହାମେଣ୍ଟକୁ ପୁଣି ଥରେ ନିରାଶ ହେବାକୁ ପଡ଼ିଛି। ନୀତିଶ କୁମାର ପୁଣି ଥରେ ମୁଖ୍ୟମନ୍ତ୍ରୀ ହେବାକୁ ଯାଉଥିବା ଅନୁମାନ କରାଯାଇଛି।