ପାଟନା: ବିହାର ବିଧାନସଭା ନିର୍ବାଚନ ୨୦୨୫ର ମତଦାନ ଜାରି ରହିଛି । ଏହାକୁ ନେଇ ଭୋଟରଙ୍କ ମଧ୍ୟରେ ବହୁତ ଉତ୍ସାହ ଦେଖିବାକୁ ମିଳିଛି । ଲୋକେ ସକାଳୁ ଧାଡିରେ ଛିଡା ହୋଇ ନିଜ ପାଳିକୁ ଅପେକ୍ଷା କରି ରହିଛନ୍ତି । ଅପରାହ୍ଣ ୧ଟା ସୁଦ୍ଧା ୪୭.୬୨ ପ୍ରତିଶତ ମତଦାନ ହୋଇଛି । ସବୁଠୁ ଅଧିକ ମତଦାନ କିଶନଗଞ୍ଜ ଜିଲ୍ଲାରେ ୫୧.୮୬ ପ୍ରତିଶତ ହୋଇଛି । ସବୁଠୁ କମ ମଧୁବନି ଜିଲ୍ଲାରେ ୪୩.୩୯ ପ୍ରତିଶତ ମତଦାନ ହୋଇଛି ।
ଆଜି ୨୦ ଜିଲ୍ଲାର ୧୨୨ ସିଟରେ ଭୋଟିଂ ଚାଲିଛି । ମଇଦାନରେ ଅଛନ୍ତି ୧୩୦୨ ପ୍ରାର୍ଥୀ । ଏଥିରେ ୧୨ ମନ୍ତ୍ରୀଙ୍କ ଭାଗ୍ୟ ବାଜିରେ ଲାଗିଛି । ଭୋଟରଙ୍କ ଯେମିତି ଭୋଟ୍ ଦେବାରେ କୌଣସି ଅସୁବିଧା ନ ହୁଏ ସେଥିପାଇଁ ପୋଲିଂ ବୁଥରେ ସବୁ ପ୍ରକାରର ସୁରକ୍ଷା ବ୍ୟବସ୍ଥା ଲାଗୁ କରାଯାଇଛି । ଏହା ପୂର୍ବରୁ ପୂର୍ବାହ୍ଣ ୧୧ଟା ସୁଦ୍ଧା ମତଦାନ ୩୫ ପ୍ରତିଶତ ହୋଇଥିଲା । ଏହା ପରେ ଅପରାହ୍ଣ ୩ଟାରେ ନିର୍ବାଚନ ଆୟୋଗ ଆଉ ଏକ ବୁଲେଟିନ ଜାରି କରିବେ ।
ଦ୍ୱିତୀୟ ପର୍ଯ୍ୟାୟରେ ୪୫ ହଜାର ୩୯୯ କେନ୍ଦ୍ରରେ ୩ କୋଟି ୭୦ ଲକ୍ଷ ୧୩ ହଜାର ୫୫୬ ଭୋଟର ନିଜର ମତାଧିକାର ସାବ୍ୟସ୍ତ କରିବେ । ଏଥିରୁ ଏକ କୋଟି ୯୫ ଲକ୍ଷ ୪୪ ହଜାର ୪୧ ପୁରୁଷ ରହିଛନ୍ତି । ମହିଳାଙ୍କ ସଂଖ୍ୟା ଏକ କୋଟି ୭୪ ଲକ୍ଷ ୬୮ ହଜାର ୫୭୨ ରହିଛି । ଥାର୍ଡ ଜେଣ୍ଡର ମୋଟ୍ ୯୪୩ ଭୋଟର ଅଛନ୍ତି । ୨୦୨୦ ବିଧାନସଭା ନିର୍ବାଚନରେ ଏହି ୧୨୨ ସିଟରୁ ଆରଜେଡି ୩୩, ବିଜେପି ୪୨, ଜେଡିୟୁ ୨୦, କଂଗ୍ରେସ ୧୧ଟି ସିଟ୍ ମିଳିଥିଲା ।
Also read: ଦିଲ୍ଲୀ ବିସ୍ଫୋରଣ: ସାମ୍ନାକୁ ଆସିଲା ସନ୍ଦିଗ୍ଧ ବ୍ୟକ୍ତିର ପ୍ରଥମ ଫଟୋ