ନୂଆଦିଲ୍ଲୀ: ଦିଲ୍ଲୀ ଲାଲକିଲ୍ଲା କାର୍ ବିସ୍ଫୋରଣ ପଛରେ ଥିବା ଷଡ଼ଯନ୍ତ୍ରୀକାରୀଙ୍କୁ ଛଡ଼ା ଯିବ ନାହିଁ । ଦିଲ୍ଲୀ ବିସ୍ଫୋରଣ ପରେ ପ୍ରଥମ ଥର ପାଇଁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ପ୍ରତିକ୍ରିୟା ଆସିଛି । ସେହିପରି କେନ୍ଦ୍ର ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂହ ମଧ୍ୟ ସମାନ ପ୍ରତିକ୍ରିୟା ଦେଇଛନ୍ତି ।
ପ୍ରଧାନମନ୍ତ୍ରୀ ମୋଦୀ ମଙ୍ଗଳବାର ପୂର୍ବାହ୍ନରେ ଭୁଟାନ ଗସ୍ତ କରିଛନ୍ତି । ସେଠାରେ ସମ୍ବୋଧନ କରିବା ସମୟରେ ଦିଲ୍ଲୀ ବିସ୍ଫୋରଣକୁ ଗଭୀର ଦୁଃଖ ପ୍ରକାଶ କରିଛନ୍ତି । ପ୍ରଧାନମନ୍ତ୍ରୀ କହିଛନ୍ତି, “ବହୁତ ଦୁଃଖିତ ମନରେ ଆସିଛି । ଗତକାଲି ସନ୍ଧ୍ୟାରେ ଦିଲ୍ଲୀରେ ହୋଇଥିବା ଭୟାବହ ଘଟଣା ସମସ୍ତଙ୍କ ମନକୁ ବ୍ୟଥିତ କରିଛି । ମୁଁ ପୀଡ଼ିତ ପରିବାରର ଦୁଃଖକୁ ବୁଝୁଛି । ଆଜି ସାରା ଦେଶ ସେମାନଙ୍କ ସହିତ ଛିଡ଼ା ହୋଇଛି ।”
ସେହିପରି ମୋଦି ଆହୁରି କହିଛନ୍ତି, “ଗତକାଲି ରାତି ତମାମ ଏହି ଘଟଣାର ତଦନ୍ତରେ ଜଡ଼ିତ ସମସ୍ତ ସଂସ୍ଥା ଏବଂ ସମସ୍ତ ଗୁତୁତ୍ୱପୂର୍ଣ୍ଣ ଅଧିକାରୀଙ୍କ ସହିତ ସମ୍ପର୍କରେ ଥିଲି, ବିଚାର ବିମର୍ଶ ଚାଲିଥିଲା । ଆମ ତଦନ୍ତକାରୀ ସଂସ୍ଥା ଏହି ଷଡ଼ଯନ୍ତ୍ରର ମୂଳ ପର୍ଯ୍ୟନ୍ତ ଯିବେ । ଏହା ପଛରେ ଥିବା ଷଡ଼ଯନ୍ତ୍ରକାରୀଙ୍କୁ ଛଡ଼ା ଯିବ ନାହିଁ।” ଭୁଟାନରୁ ଏଭଳି କଡ଼ା ଶବ୍ଦରେ ଷଡ଼ଯନ୍ତ୍ରକାରୀଙ୍କୁ ପ୍ରଧାନମନ୍ତ୍ରୀ ଚେତାବନୀ ଦେଇଛନ୍ତି” ।
ଅନ୍ୟପକ୍ଷରେ ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂହ ମଧ୍ୟ ଅନୁରୂପ ପ୍ରତିକ୍ରିୟା ରଖିଛନ୍ତି । ରାଜନାଥ କହିଛନ୍ତି, "ଏହି ଦୁଃଖଦ ଘଟଣା ପାଇଁ ଦାୟୀ ଲୋକଙ୍କୁ ନ୍ୟାୟ ଦିଆଯିବ ଏବଂ କୌଣସି ପରିସ୍ଥିତିରେ ସେମାନଙ୍କୁ ଛଡ଼ାଯିବ ନାହିଁ। ତଦନ୍ତକାରୀ ସଂସ୍ଥା ପୁଙ୍ଖାନୁପୁଙ୍ଖ ତଦନ୍ତ ଜାରି ରଖିଛନ୍ତି । ଯେଉଁମାନେ ଏହି ବିସ୍ଫୋରଣରେ ସାମିଲ ଥିବେ ସେମାନଙ୍କୁ ଛଡ଼ା ଯିବା ନାହିଁ । ସେମାନଙ୍କୁ ଦଣ୍ଡିତ କରାଯିବ । ମୃତକମାନଙ୍କୁ ନ୍ୟାୟ ପ୍ରଦାନ କରାଯିବ ବୋଲି ଦେଶବାସୀଙ୍କୁ ଆଶ୍ୱାସନା ଦେଇଛନ୍ତି ପ୍ରତିରକ୍ଷା ମନ୍ତ୍ରୀ । ଦିଲ୍ଲୀରେ ହୋଇଥିବା କାର ବିସ୍ଫୋରଣ ଘଟଣା ଅତ୍ୟନ୍ତ ଯନ୍ତ୍ରଣାଦାୟକ ଏବଂ ବିଚଳିତକାରୀ। ମୃତକଙ୍କ ପରିବାର ପ୍ରତି ଗଭୀର ସମବେଦନା ଜଣାଇବା ସହିତ ଆହତମାନଙ୍କ ଆଶୁ ଆରୋଗ୍ୟ କାମନା କରିଛନ୍ତି ରାଜନାଥ ।