ନୂଆଦିଲ୍ଲୀ: କାର ବିସ୍ଫୋରଣରେ ସୋମବାର ସନ୍ଧ୍ୟାରେ ଦୋହଲି ଯାଇଛି ରାଜଧାନୀ ଦିଲ୍ଲୀ । ପ୍ରତିଦିନ ପରି ସୋମବାର ସନ୍ଧ୍ୟାରେ ଲାଲକିଲ୍ଲା ନିକଟରେ ଲୋକଙ୍କ ଗହଳି ଲାଗି ରହିଥିଲା । ଏହା ମଧ୍ୟରେ ଆଇ ଟ୍ୱେଣ୍ଟି କାରରେ ଭୟଙ୍କର ବିସ୍ଫୋରଣ ପୂରା ଦେଶକୁ ସ୍ତବ୍ଧ କରି ଦେଇଛି । ଏ ପର୍ଯ୍ୟନ୍ତ ୧୩ ଜଣଙ୍କ ମୃତ୍ୟୁ ଘଟି ସାରିଥିବା ବେଳେ ୨୦ ଜଣ ଆହତ ହୋଇଛନ୍ତି । ଅନେକ ମୃତକଙ୍କ ଚିହ୍ନଟ ଡିଏନଏ ମାଧ୍ୟମରେ କରାଯାଉଛି । ମୁଖ୍ୟ ଅଭିଯୁକ୍ତ ମହମ୍ମଦ ଉମରର ଭାଇ ଓ ପରିବାର ଲୋକଙ୍କୁ ପଚରା ଉଚୁରା କରାଯାଉଛି । ତେବେ ଏହା ଜାଣିବା ଜରୁରୀ ଯେ, ପୂରା ଘଟଣା କେବେ ଏବଂ କେମିତି ହୋଇଛି ।
ଜାଣନ୍ତୁ ପୂରା ଟାଇମଲାଇନ
ସୋମବାର ସକାଳ ୮ଟା ୪- ହରିୟାଣା ନମ୍ବରର ଏକ ହ୍ୟୁଣ୍ଡଇ ଆଇ ଟ୍ୱେଣ୍ଟି କାର ବଦରପୁର ବର୍ଡରରେ ଦିଲ୍ଲୀରେ ଏଣ୍ଟ୍ରି କରିଥିଲା । ସକାଳଠୁ ନେଇ ଅପରାହ୍ଣ ପର୍ଯ୍ୟନ୍ତ ଦିଲ୍ଲୀର ଅନେକ ସ୍ଥାନରେ ଘୁରି ବୁଲିଥିଲା ।
୩ଟା ୧୯- ଏହା ପରେ ହ୍ୟୁଣ୍ଡଇ ଆଇ ଟ୍ୱେଣ୍ଟି କାର ଲାଲକିଲ୍ଲା ମେଟ୍ରୋ ଷ୍ଟେସନର ଗେଟ ନମ୍ବର ୧ ନିକଟରେ ପହଞ୍ଚିଥିଲା । ସୁନହରୀ ମସଜିଦ ପାର୍କିଂରେ ପ୍ରବେଶ କରିଥିଲା । ଏଠାରେ କାର ପ୍ରାୟ ୩ ଘଣ୍ଟା ଧରି ଛିଡା ହୋଇଥିଲା ।
ସନ୍ଧ୍ୟା ୬ଟା ୪୮- ତିନି ଘଣ୍ଟା ପରେ ଧଳା ରଙ୍ଗର ଏହି କାର ପାର୍କିଂରୁ ବାହାରିବା ମାତ୍ରେ ସିସିଟିଭିରେ କଏଦ ହୋଇଥିଲା । କିଛି ମିନିଟ୍ ପରେ ଏହା ଲାଲକିଲ୍ଲା ମେଟ୍ରୋ ଷ୍ଟେସନ ଗେଟ୍ ନମ୍ବର ୧ରେ ଲାଗିଥିବା ଟ୍ରାଫିକ ସିଗ୍ନାଲ ନିକଟରେ ପହଞ୍ଚିଥିଲା ।
ସନ୍ଧ୍ୟା ୬ଟା ୫୨- ଠିକ୍ ୪ ମିନିଟ୍ ପରେ ଏହି ହ୍ୟୁଣ୍ଡଇ କାର ଆଇ ଟ୍ୱେଣ୍ଟିରେ ଶକ୍ତିଶାଳୀ ବିସ୍ଫୋରଣ ଘଟିଥିଲା । ବିସ୍ଫୋରଣ ଏତେ ତୀବ୍ର ଥିଲା ଯେ, ଏହାର ଶବ୍ଦ କେବଳ ଚାନ୍ଦିନୀ ଚୌକ ବଜାର ନୁହେଁ ଲାଜପତ ରାୟ ମାର୍କେଟ୍, ଭାଗିରଥୀ ପ୍ୟାଲେସ ପର୍ଯ୍ୟନ୍ତ ଶୁଣିବାକୁ ମିଳିଥିଲା । ଘଟଣାରେ ଏ ପର୍ଯ୍ୟନ୍ତ ୧୩ ଜଣଙ୍କ ମୃତ୍ୟୁ ଘଟିଥିବା ବେଳେ ୨୦ରୁ ଅଧିକ ଆହତ ହୋଇଛନ୍ତି ।
ସନ୍ଧ୍ୟା ୭ଟା- ବିସ୍ଫୋରଣରେ ପାଖାପାଖି ୬ ଗାଡି ଜଳି ପାଉଁଶ ହୋଇ ଯାଇଛି । ନିଆଁକୁ ଆୟତ୍ତ କରିବା ପାଇଁ ୭ ଫାୟର ବ୍ରିଗେଡ ଘଟଣାସ୍ଥଳରେ ପହଞ୍ଚିଥିଲେ । ଆଖପାଖ ଅଞ୍ଚଳକୁ ସିଲ୍ କରାଗଲା ।
ସନ୍ଧ୍ୟା ୭ଟା ୨- ଦିଲ୍ଲୀ ପୋଲିସର କ୍ରାଇମ ବ୍ରାଞ୍ଚ ଓ ଦିଲ୍ଲୀର ସ୍ପେଶାଲ ସେଲର ଟିମ୍ ଯାଞ୍ଚ ପାଇଁ ଘଟଣାସ୍ଥଳରେ ପହଞ୍ଚିଥିଲେ ।
ସନ୍ଧ୍ୟା ୭ଟା ୨୯- ପ୍ରାୟ ୩୭ ମିନିଟ୍ ପରେ ନିଆଁକୁ ଆୟତ୍ତ କରାଯାଇଥିଲା । ଯାଞ୍ଚ ଆରମ୍ଭ ହୋଇଥିଲା ।
ସନ୍ଧ୍ୟା ୭ଟା ୩୦- ଦିଲ୍ଲୀ ପୋଲିସ ନିଜର ତଦନ୍ତ ଜୋରଦାର କରିଥିଲା । ବଦପୁର ବର୍ଡରରୁ ଲାଲକିଲ୍ଲା ପର୍ଯ୍ୟନ୍ତ ସମସ୍ତ ସିସିଟିଭି ଫୁଟେଜ୍ ଯାଞ୍ଚ ଆରମ୍ଭ କରାଗଲା । ପ୍ରାୟ ୧୦୦ ଫୁଟେଜ ଦେଖାଯିବା ସହ ଯାଞ୍ଚ କରାଗଲା ।
ରାତି ୯ଟା ୨୩- କେନ୍ଦ୍ର ଗୃହ ମନ୍ତ୍ରୀ ଅମିତ ଶାହ ଘଟଣାସ୍ଥଳ ଗସ୍ତ କରିଥିଲେ । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ରାତି ୯ଟା ୪୨ରେ ପୀଡିତଙ୍କ ପରିବାର ପ୍ରତି ସମବେଦନା ବ୍ୟକ୍ତ କରିଥିଲେ ।
Also read: ଲାଲକିଲ୍ଲା ନିକଟରେ ବିସ୍ଫୋରଣ: ଚାରି ଜଣ ଅଭିଯୁକ୍ତ ଅଟକ