ନୂଆଦିଲ୍ଲୀ: ଦେଶର ପୂର୍ବତନ ଉପରାଷ୍ଟ୍ରପତି ଜଗଦୀପ ଧନଖଡଙ୍କୁ ଦୀର୍ଘ ସମୟ ପରେ ସାର୍ବଜନୀନ ମଞ୍ଚରେ ଦେଖିବାକୁ ମିଳିବ । ନଭେମ୍ବର ୨୧ରେ ମଧ୍ୟ ପ୍ରଦେଶର ରାଜଧାନୀ ଭୋପାଳରେ ଏକ ପୁସ୍ତକ ବିମୋଚନ ସମାରୋହକୁ ମୁଖ୍ୟ ବକ୍ତା ଭାବେ ସମ୍ବୋଧିତ କରିବେ । ସମାରୋହର ଆୟୋଜକ ମଙ୍ଗଳବାର ଏହି ସୂଚନା ଦେଇଛନ୍ତି । ଉପରାଷ୍ଟ୍ରପତି ପଦରୁ ଇସ୍ତଫା ଦେବା ପରେ ସମ୍ଭବତଃ ପ୍ରଥମ ଥର ଧନଖଡ କୌଣସି ଏକ ସାର୍ବଜନୀନ କାର୍ଯ୍ୟକ୍ରମକୁ ସମ୍ବୋଧିତ କରିବେ । ଧନଖଡ ଏହା ପୂର୍ବରୁ ଉପରାଷ୍ଟ୍ରପତି ସିପି ରାଧାକୃଷ୍ଣନଙ୍କ ଶପଥ ଗ୍ରହଣ ସମାରୋହରେ ନଜର ଆସିଥିଲେ ।
ସୁରୁଚି ପ୍ରକାଶନର ଅଧ୍ୟକ୍ଷ ରାଜୀବ ତୁଲୀ କହିଛନ୍ତି, ରାଷ୍ଟ୍ରୀୟ ସ୍ୱଂୟ ସେବକ ସଂଘ(ଆରଏସଏସ)ର ସହସରକାର୍ଯ୍ୟବାହ ମନମୋହନ ବୈଧ୍ୟଙ୍କ ଦ୍ୱାରା ଲିଖିତ ପୁସ୍ତକ ‘ହମ ଔର ୟହ ବିଶ୍ୱ’ର ବିମୋଚନ ଭୋପାଳର ରବୀନ୍ଦ୍ର ଭବନରେ ନଭେମ୍ବର ୨୧ରେ କରାଯିବ । ଏହି କାର୍ଯ୍ୟକ୍ରମରେ ବୃନ୍ଦାବନ-ମଥୁରା ସ୍ଥିତ ଆନନ୍ଦମ ଧାମର ପୀଠାଧୀଶ୍ୱର ରିତେଶ୍ୱର ମହାରାଜ ମଧ୍ୟ ସାମିଲ୍ ହେବେ । ଧନଖଡ ମୁଖ୍ୟ ବକ୍ତା ଭାବେ ଏହି କାର୍ଯ୍ୟକ୍ରମରେ ଯୋଗ ଦେବେ ।
ସୂଚନାଯୋଗ୍ୟ, ଧନଖଡ ସ୍ୱାସ୍ଥ୍ୟଗତ କାରଣ ଦର୍ଶାଇ ଜୁଲାଇ ୨୧ରେ ଅପ୍ରତ୍ୟାଶିତ ଭାବେ ଉପରାଷ୍ଟ୍ରପତି ପଦରୁ ଇସ୍ତଫା ଦେଇଥିଲେ । ଏହା ପରେ ଉପରାଷ୍ଟ୍ରପତି ନିର୍ବାଚନ ପରେ ରାଧାକୃଷ୍ଣନ ଭାରତର ୧୫ତମ ଉପରାଷ୍ଟ୍ରପତି ଭାବେ ନିର୍ବାଚିତ ହୋଇଥିଲେ ।
ଧନଖଡ ନିଜ ଇସ୍ତଫାର ୫୩ ଦିନ ପରେ ସେପ୍ଟେମ୍ବର ୧୨ରେ ରାଧାକୃଷ୍ଣନଙ୍କ ଶପଥ ସମାରୋହରେ ନଜର ଆସିଥିଲେ । ଧନଖଡଙ୍କ ଅଚାନକ ଇସ୍ତଫାକୁ ନେଇ କଂଗ୍ରେସ କେନ୍ଦ୍ର ସରକାରଙ୍କ ଉପରେ ପ୍ରଶ୍ନ କରିଥିଲା । ବିରୋଧୀ ପାର୍ଟି ଦାବି କରିଥିଲେ ଯେ, ଧନଖଡଙ୍କୁ ପଦରୁ ହଟିବା ପାଇଁ ବିବଶ କରାଯାଇଛି । କଂଗ୍ରେସର ନେତା ସେହି ସମୟରେ କହିଥିଲେ ଯେ, ଦେଶ ଧନଖଡଙ୍କ ଅପ୍ରତ୍ୟାଶିତ ଇସ୍ତଫା ପରେ ତାଙ୍କ ବୟାନ ଚାହୁଁଛି ।
Also read: ସକାଳେ କାରର ଏଣ୍ଟ୍ରି, ସନ୍ଧ୍ୟା ହେବା ମାତ୍ରେ ବ୍ଲାଷ୍ଟ; ଦିଲ୍ଲୀ ବ୍ଲାଷ୍ଟର ପୂରା ଟାଇମ ଲାଇନ