ଭୁବନେଶ୍ୱର : ପୋଲିସ ଏସଆଇ (SI)ପରୀକ୍ଷା କେଳେଙ୍କାରୀ ମାମଲାରେ ତଦନ୍ତ କରିବ ସିବିଆଇ (CBI) । ଏନେଇ କେନ୍ଦ୍ର ସରକାରଙ୍କ ପକ୍ଷରୁ ଜାରି ହେଲା ବିଜ୍ଞପ୍ତି।
ଏହି ମାମଲାରେ ୧୧୪ ପରୀକ୍ଷାର୍ଥୀ ଜେଲ ଯାଇ ଜାମିନରେ ଆସିଛନ୍ତି। ଏପରିକି ମାମଲାର ମାଷ୍ଟରମାଇଣ୍ଡ କୁହାଯାଉଥିବା ଶଙ୍କର ପୃଷ୍ଟି ଏବଂ ମୁନା ମହାନ୍ତି ଗିରଫ ହୋଇ ଜେଲରେ ଅଛନ୍ତି। ଏହି ମାମଲାର ସିବିଆଇ ତଦନ୍ତ ପାଇଁ ରାଜ୍ୟ ସରକାର ସୁପାରିସ କରିଥିଲେ। ତିନୋଟି ଦିଗରୁ ସିବିଆଇ ତଦନ୍ତ କରିବ ବୋଲି ସୂଚନା ରହିଛି।
ସୂଚନା ଅନୁଯାୟୀ ଏହି ପରୀକ୍ଷା ଜାଲିଆତିରେ ବହୁ କୋଟି ଟଙ୍କାର ଠକେଇ ହୋଇଥିବା ତଦନ୍ତରୁ ଜଣାପଡ଼ିଛି। କ୍ରାଇମବ୍ରାଞ୍ଚ ଅଧିକାରୀମାନେ ଏହି ରାକେଟର ମୁଖ୍ୟ ମାଷ୍ଟରମାଇଣ୍ଡଙ୍କୁ ଧରିବାକୁ ଚେଷ୍ଟା କରି ସଫଳ ହୋଇଛନ୍ତି। ଏପର୍ଯ୍ୟନ୍ତ ୧୧୪ ଜଣ ପ୍ରାର୍ଥୀ ଓ ୯ ଜଣ ଦଲାଲ ଗିରଫ ହୋଇଥିଲେ । ଅକ୍ଟୋବର ୨୯ରେ ବିଶେଷ ଭିଜିଲାନ୍ସ କୋର୍ଟ ୧୧୪ ଜଣ ପ୍ରାର୍ଥୀଙ୍କୁ ସର୍ତସାପେକ୍ଷ ଜାମିନ ଦେଇଛନ୍ତି । ୭ ଜଣ ଦଲାଲଙ୍କ ଜାମିନ ନାମଞ୍ଜୁର ହୋଇଛି। ତେବେ ଠକେଇରେ ପ୍ରତ୍ୟେକ ପ୍ରାର୍ଥୀଠାରୁ ୨୫ ଲକ୍ଷ ଟଙ୍କା ନେଇ ଚାକିରି ନିଶ୍ଚିତ କରିବାର ପ୍ରତିଶ୍ରୁତି ଦିଆଯାଇଥିଲା। ଅନେକ ପ୍ରାର୍ଥୀଙ୍କୁ ଆନ୍ଧ୍ରପ୍ରଦେଶ ଭଳି ରାଜ୍ୟ ବାହାରେ “ବିଶେଷ କୋଚିଂ” ନାମରେ ନିଆଯାଉଥିଲା। ସମ୍ପୂର୍ଣ୍ଣ ଟଙ୍କା ନମିଳିବା ପର୍ଯ୍ୟନ୍ତ ମୂଳ ସାର୍ଟିଫିକେଟ ଜବତ ରଖାଯାଉଥିଲା।
ପୁଲିସ ଏସଆଇ କେଳେଙ୍କାରୀ ମାମଲାରେ ଗିରଫ ମାଷ୍ଟର ମାଇଣ୍ଡ ଶଙ୍କର ପୃଷ୍ଟି ଓ ସୁରେଶର ନାୟକଙ୍କ ପଲିଗ୍ରାଫ ଟେଷ୍ଟ ହେବ । ଗିରଫ ହେବା ଦିନ ଏୟାରପୋର୍ଟରେ ଚାଞ୍ଚଲ୍ୟକର ବୟାନ ଦେଇଥିଲା ଶଙ୍କର । ହଜାରେ କୋଟିର କେଳେଙ୍କାରୀ ଖୋଲିବାକୁ କହିଥିଲା। ମାତ୍ର ତଦନ୍ତ ବେଳେ କିଛି ସହଯୋଗ କରୁନଥିବା କ୍ରାଇମବ୍ରାଞ୍ଚ ଅଧିକାରୀ ସୂଚନା ଦେଇଛନ୍ତି । ଯାହାକୁ ନେଇ ତାର ପଲିଗ୍ରାଫ ଟେଷ୍ଟ ନେଇ ଆବେଦନ ହୋଇଛି ।