ନୂଆଦିଲ୍ଲୀ: ସୋମବାର ସନ୍ଧ୍ୟାରେ ଦିଲ୍ଲୀରେ ଭୟଙ୍କର ବିସ୍ପୋରଣ ପରେ ସାରା ଦେଶରେ ଏବେ ହାଇଆଲର୍ଟ ଜାରି । ଦେଶରେ ସମସ୍ତ ଧାର୍ମିକ ସ୍ଥଳ ଓ ସମ୍ବେଦନଶୀଳ ଅଞ୍ଚଳରେ କଡାକଡି ସୁରକ୍ଷା କରାଯାଇଛି । ଏହାସହ ଭୁବନେଶ୍ୱରର ବିଭିନ୍ନ ସମ୍ବେଦନଶୀଳ ସ୍ଥାନ ରେଳ ଷ୍ଟେସନ୍, ସହରକୁ ପ୍ରବେଶ ଓ ପ୍ରସ୍ଥାନ ରାସ୍ତାରେ ଚେକିଂ କଡାକଡି କରାଯାଇଛି । ଏନେଇ ମୁଖ୍ୟମନ୍ତ୍ରୀ ମୋହନ ମାଝୀ ଘଟଣାରେ ଦୁଃଖ ପ୍ରକାଶ କରିବା ସହ କହିଛନ୍ତି, ଏଭଳି ଅମାନବୀୟ ଘଟଣାକୁ ଭାରତ କେବେ ବରଦାସ୍ତ କରିବ ନାହିଁ। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଏବଂ କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହାଙ୍କ ନେତୃତ୍ୱରେ କେନ୍ଦ୍ର ସରକାର ନିଶ୍ଚିତ ଭାବେ ଏ ଘଟଣାର ଉପଯୁକ୍ତ ତଦନ୍ତ କରି ଦୋଷୀମାନଙ୍କୁ ଦଣ୍ଡବିଧାନ କରିବେ ।
ଓଡିଶାରେ ମୁଖ୍ୟମନ୍ତ୍ରୀ ପୋଲିସ ମହାନିର୍ଦ୍ଦେଶକଙ୍କ ସହିତ ଆଲୋଚନା କରି ଓଡ଼ିଶାରେ ବ୍ୟାପକ ସୁରକ୍ଷା ବ୍ୟବସ୍ଥା କରିବା ପାଇଁ ନିର୍ଦ୍ଦେଶ ଦେଇଛନ୍ତି । ସେପଟେ କଟକ ବାଲିଯାତ୍ରା ପଡିଆରେ ପହଞ୍ଚି ସୁରକ୍ଷା ବ୍ୟବସ୍ଥାର ସମୀକ୍ଷା କରିଛନ୍ତି ପୋଲିସ ଡିଜି । ଅନ୍ୟପଟେ ପୁରୀ ଶ୍ରୀମନ୍ଦିର, ବଡ଼ଦାଣ୍ଡ, ରେଳଷ୍ଟେସନ, ବସ୍ ଷ୍ଟାଣ୍ଡ ଓ ସମୁଦ୍ର ଉପକୂଳରେ ସୁରକ୍ଷା ବ୍ୟବସ୍ଥାକୁ ବଢାଇ ଦିଆଯାଇଛି । ସମ୍ବଲପୁରରେ ମଧ୍ୟ ସକ୍ରିୟ ଅଛନ୍ତି ଜିଲ୍ଲା ପୋଲିସ । ହୀରାକୁଦ ଡ୍ୟାମ ଅଞ୍ଚଳରେ ହାଇଆଲର୍ଟ ଜାରି କରାଯାଇଛି । ବିଭିନ୍ନ ଜନଗହଳିପୂର୍ଣ୍ଣ ସ୍ଥାନ ମାନଙ୍କରେ ଚେକିଂକୁ କଡ଼ାକଡ଼ି କରାଯାଇଛି । ହୋଟେଲ ମାନଙ୍କରେ ଯାତ୍ରୀଙ୍କ ପରିଚୟ ଯାଞ୍ଚ କରାଯାଇଛି । ସେହିଭଳି ରାଉରକେଲା ସହରରେ ଥିବା ବିଭିନ୍ନ ହୋଟେଲରେ ଛାନବିନ୍ ଜାରି ରହିଛି । ଜନଗହଳିପୂର୍ଣ୍ଣ ସ୍ଥାନ ମାନଙ୍କରେ ସୁରକ୍ଷା ମଧ୍ୟ କରାଯାଇଛି । ପୋଲିସ ପକ୍ଷରୁ ସମ୍ପୂର୍ଣ୍ଣ ଭାବେ ସଜାଗ ରହିବାକୁ ମୁଖ୍ୟମନ୍ତ୍ରୀ ପରାମର୍ଶ ଦେଇଛନ୍ତି । ଏହା ସହିତ ରାଜ୍ୟର ପ୍ରମୁଖ ସହର ଏବଂ ବିଭିନ୍ନ ସମ୍ୱେଦନଶୀଳ ସ୍ଥାନ ମାନଙ୍କରେ ସୁରକ୍ଷା ବ୍ୟବସ୍ଥାକୁ କଡ଼ାକଡ଼ି କରିବାକୁ ମୁଖ୍ୟମନ୍ତ୍ରୀ ନିର୍ଦ୍ଦେଶ ଦେଇଛନ୍ତି ।
ସୋମବାର ସନ୍ଧ୍ୟା ପ୍ରାୟ ୬ଟା ୫୨ରେ ଲାଲକିଲ୍ଲା ନିକଟରେ ଏକ କାର୍ରେ ଭୟଙ୍କର ବିସ୍ଫୋରଣ ହୋଇଛି। ଏହି ଭୟଙ୍କର ବିସ୍ଫୋରଣ ପରେ କାର୍ଟି ସଂପୂର୍ଣ୍ଣ ଛିନ୍ଛତ୍ର ହୋଇଯାଇଛି। ବିସ୍ପୋରଣ ଏତେ ଭୟଙ୍କର ଥିଲା ଯେ, ଏଥିରେ ଆଉ ୮ ଗାଡ଼ି ସଂପୂର୍ଣ୍ଣ ପୋଡ଼ି ଯାଇଛି। ଖବର ପାଇ ଘଟଣାସ୍ଥଳରେ ଦିଲ୍ଲୀ ପୋଲିସ ପହଞ୍ଚି ତଦନ୍ତ ଆରମ୍ଭ କରିଛି। ଅଗ୍ନିଶମ ବାହିନୀ ପହଞ୍ଚି ନିଆଁକୁ ଆୟତ୍ତ କରିଛି। ଘଟଣାସ୍ଥଳରେ ଫରେନସିକ୍ ଟିମ୍ ଯାଞ୍ଚ୍ ଆରମ୍ଭ କରିଛି। ସିଆରପିଏଫ ଡିଜି ଘଟଣାସ୍ଥଳରେ ଅନୁଧ୍ୟାନ କରିଛନ୍ତି। ଘଟଣାପରେ ଦିଲ୍ଲୀ, ମୁମ୍ବାଇ, ଉତ୍ତରପ୍ରଦେଶକୁ ହାଇ ଆଲର୍ଟ ଜାରି କରାଯାଇଛି। ସେପଟେ ଘଟଣାକୁ ନେଇ ଦିଲ୍ଲୀ ସିପି, ଆଇବି ମୁଖ୍ୟଙ୍କ ସହ କଥା ହୋଇଛନ୍ତି ଗୃହମନ୍ତ୍ରୀ ଶାହ ଅମିତ ଶାହ। ଏହା ସହ ଏନଆଇ ଡିଜିଙ୍କୁ ମଧ୍ୟ ତଦନ୍ତ ନିର୍ଦ୍ଦେଶ ଦେବା ସହ ପ୍ରଧାନମନ୍ତ୍ରୀ ମୋଦୀଙ୍କୁ ଘଟଣା ସମ୍ପର୍କରେ ଅବଗତ କରିଛନ୍ତି ଗୃହମନ୍ତ୍ରୀ।
ଅଧିକ ପଢନ୍ତୁ: ଲାଲକିଲ୍ଲା ନିକଟରେ ବିସ୍ଫୋରଣ: ଚାରି ଜଣ ଅଭିଯୁକ୍ତ ଅଟକ