ନୂଆଦିଲ୍ଲୀ: ଆମ୍ ଆଦମୀ ପାର୍ଟିର ଆବାହକ ତଥା ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ ଆଜି ମୁଖ୍ୟମନ୍ତ୍ରୀ ପଦରୁ ଇସ୍ତଫା ଦେବେ। ଏନେଇ ସେ ଦୁଇ ଦିନ ତଳେ ଦଳୀୟ କର୍ମୀଙ୍କୁ ସମ୍ବୋଧିତ କରି ସେ ଇସ୍ତଫା ଘୋଷଣା କରିଥିଲେ। ଏବେ ଜନତା ତାଙ୍କୁ ବିଜୟ ଦେବା ପରେ ହିଁ ସେ ମୁଖ୍ୟମନ୍ତ୍ରୀ ଆସନରେ ବସିବେ ବୋଲି କହିଥିଲେ।
ଏହା ସହ ମହାରାଷ୍ଟ୍ର ବିଧାନସଭା ନିର୍ବାଚନ ସହିତ ଦିଲ୍ଲୀରେ ବିଧାନସଭା ନିର୍ବାଚନ କରିବାକୁ ସେ ନିର୍ବାଚନ କମିଶନଙ୍କ ନିକଟରେ ଦାବି କରିଥିଲେ। ତେବେ କେଜ୍ରିୱାଲଙ୍କ ଏହି ଦାବିକୁ କାର୍ଯ୍ୟକାରୀ କରିବା ଅତ୍ୟନ୍ତ କଷ୍ଟକର। ଏହି ପ୍ରତିବନ୍ଧକ ପଛରେ ଅନେକ କାରଣ ରହିଛି, କିନ୍ତୁ ଗୋଟିଏ କାରଣ ସବୁଠାରୁ ଗୁରୁତ୍ୱପୂର୍ଣ୍ଣ।
ଦିଲ୍ଲୀର ଭୋଟର ତାଲିକା ଏପର୍ଯ୍ୟନ୍ତ ପ୍ରସ୍ତୁତ ହୋଇନାହିଁ ଏବଂ ଏହା ପ୍ରସ୍ତୁତ ହେବାକୁ ଅତି କମରେ ଦୁଇ ମାସ ସମୟ ଲାଗିବ। ଜୁନ୍ ୨୫ତାରିଖରୁ ମହାରାଷ୍ଟ୍ର, ହରିୟାଣା, ଝାଡ଼ଖଣ୍ଡ ଓ ଜମ୍ମୁ-କଶ୍ମୀରର ଭୋଟର ତାଲିକା ପ୍ରକ୍ରିୟା ଆରମ୍ଭ କରିଛନ୍ତି ନିର୍ବାଚନ ଆୟୋଗ। ଅଗଷ୍ଟ ୨୦ତାରିଖରେ ଭୋଟର ତାଲିକାର ଚୂଡ଼ାନ୍ତ ତଥ୍ୟ ପ୍ରକାଶ ପାଇଥିଲା। ଭୋଟର ତାଲିକା ପ୍ରସ୍ତୁତ ହେବା ପରେ ହିଁ ହରିୟାଣା ଓ ଜମ୍ମୁ-କଶ୍ମୀର ବିଧାନସଭା ନିର୍ବାଚନ ତାରିଖ ଘୋଷଣା କରାଯାଇଥିଲା। ମିଳିଥିବା ସୂଚନା ଅନୁଯାୟୀ, ଅଗଷ୍ଟ ୨୦ତାରିଖରୁ ସାରା ଦେଶରେ ଭୋଟର ତାଲିକା ଅପଡେଟ୍ ପ୍ରକ୍ରିୟା ଆରମ୍ଭ ହୋଇଥିଲା। ଏଥିରେ ଦିଲ୍ଲୀ ମଧ୍ୟ ସାମିଲ ରହିଛି। ସମନ୍ୱିତ ଡ୍ରାଫ୍ଟ ତାଲିକା ଅକ୍ଟୋବର ୧୯ରୁ ୨୮ ମଧ୍ୟରେ ପ୍ରସ୍ତୁତ ହେବ ଏବଂ ଅକ୍ଟୋବର ୨୯ରେ ପ୍ରକାଶ ପାଇବ। ଏହାପରେ ନଭେମ୍ବର ୨୮ ସୁଦ୍ଧା ଦାବି ଓ ଆପତ୍ତି ଦାଖଲ କରାଯିବ। ଡିସେମ୍ବର ୨୪ ସୁଦ୍ଧା ଏହି ସବୁ ଦାବି ଓ ଆପତ୍ତିର ସମାଧାନ ପରେ ୨୦୨୫ ଜାନୁଆରି ୬ ସୁଦ୍ଧା ଚୂଡ଼ାନ୍ତ ଭୋଟର ତାଲିକା ପ୍ରକାଶ ପାଇବ। ଅର୍ଥାତ୍ ଭୋଟର ତାଲିକା ପ୍ରସ୍ତୁତ କରିବାକୁ ୩ ମାସ ସମୟ ଲାଗିବ। ଏହି କାରଣରୁ ନଭେମ୍ବରରେ ନିର୍ବାଚନ କଷ୍ଟକର ମନେ ହେଉଛି।
ବର୍ତ୍ତମାନର ଦିଲ୍ଲୀ ବିଧାନସଭାର କାର୍ଯ୍ୟକାଳ ୨୦୨୫ ଫେବ୍ରୁଆରି ୨୩ରେ ଶେଷ ହେଉଛି। ଜନପ୍ରତିନିଧି ଆଇନର ଧାରା ୧୫ ଅନୁଯାୟୀ ନିର୍ବାଚନ ଆୟୋଗ କୌଣସି ରାଜ୍ୟର କାର୍ଯ୍ୟକାଳ ଶେଷ ହେବାର ୬ ମାସ ପୂର୍ବରୁ ବିଧାନସଭା ନିର୍ବାଚନ ଘୋଷଣା କରିପାରିବେ। ଅର୍ଥାତ୍ ନିର୍ବାଚନ ଆୟୋଗ ଚାହିଁଲେ ନିର୍ବାଚନ ତାରିଖ ଘୋଷଣା କରିପାରିବେ, କିନ୍ତୁ ସମସ୍ୟା ହେଉଛି ସେହି ରାଜ୍ୟର ବିଧାନସଭା ଭଙ୍ଗ ହେଲେ ହିଁ ଏହି ଘୋଷଣା କରାଯାଇପାରିବ। ଦିଲ୍ଲୀ ବିଧାନସଭା ଏପର୍ଯ୍ୟନ୍ତ ଭଙ୍ଗ ହୋଇନାହିଁ। ଆଗୁଆ ନିର୍ବାଚନ ପାଇଁ ଦିଲ୍ଲୀ ସରକାରଙ୍କୁ ବିଧାନସଭା ଭଙ୍ଗ ପାଇଁ ସୁପାରିସ କରିବାକୁ ପଡ଼ିବ। ଏହାପରେ ଉପରାଜ୍ୟପାଳ ବିଧାନସଭା ଭଙ୍ଗ କରିବେ, କିନ୍ତୁ ଦିଲ୍ଲୀ ସରକାର ଓ ଉପରାଜ୍ୟପାଳଙ୍କ ମଧ୍ୟରେ ଯେଉଁ ଭଳି ମତଭେଦ ଦେଖିବାକୁ ମିଳୁଛି, ସେଥିପାଇଁ ଉପରାଜ୍ୟପାଳ ବିଧାନସଭା ଭଙ୍ଗ ପ୍ରସ୍ତାବକୁ ଅନୁମୋଦନ ଦେବାର ସମ୍ଭାବନା ବହୁତ କମ୍।
ଦିଲ୍ଲୀ ବିଧାନସଭାର କାର୍ଯ୍ୟକାଳ ଶେଷ ହେବାର ୫ ମାସ ପୂର୍ବରୁ କାହିଁକି ନିର୍ବାଚନ ହେବ ସେ ନେଇ ଦିଲ୍ଲୀ ସରକାରଙ୍କୁ ନିର୍ବାଚନ କମିଶନଙ୍କୁ କାରଣ ଦେବାକୁ ପଡ଼ିବ। କାରଣ ଦୃଢ଼ ହେଲେ ହିଁ ନିର୍ବାଚନ କମିଶନ ଏହାକୁ ବିଚାର କରିପାରିବେ।
ଅଧିକ ପଢ଼ନ୍ତୁ: ଉପ ରାଜ୍ୟପାଳଙ୍କୁ ଭେଟିବାକୁ ସମୟ ମାଗିଲେ ଦିଲ୍ଲୀ ମୁଖ୍ୟମନ୍ତ୍ରୀ