ନୂଆଦିଲ୍ଲୀ: ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ ତିହାର ଜେଲରୁ ଫେରିବା ପରେ ଦିଲ୍ଲୀ ରାଜନୀତି ପାଣିପାଗ ଏବେ ସରଗରମ ରହିଛି । କାରଣ କେଜ୍ରିୱାଲ ଏବେ ନାମକୁ ମାତ୍ର ଜଣେ ମୁଖ୍ୟମନ୍ତ୍ରୀ । ସୁପ୍ରିମକୋର୍ଟଙ୍କ ଜାମିନ ସର୍ତ୍ତାବଳୀ ତାଙ୍କୁ ଶକ୍ତିହୀନ କରି ଦେଇଛି । ସେ ଇସ୍ତଫା ଦେବାକୁ ଘୋଷଣା କରିବା ପରେ ନେତାଙ୍କ ଭିତରେ ମୁଖ୍ୟମନ୍ତ୍ରୀ ପଦକୁ ନେଇ ଆଲୋଡ଼ନ ଖେଳି ଯାଇଛି । ଉପରାଜ୍ୟପାଳ ଭିକେ ସାକ୍ସେନାଙ୍କୁ ଭେଟିବାକୁ ସେ ସମୟ ମାଗିଛନ୍ତି । ମଙ୍ଗଳବାର ଅର୍ଥାତ ଆସନ୍ତା କାଲି ୪.୩୦ରେ ସାକ୍ଷାତ ପାଇଁ ସମୟ ଦେଇଛନ୍ତି ଉପରାଜ୍ୟପାଳ । ଫଳରେ କେଜ୍ରିୱାଲ ଆସନ୍ତାକାଲି ଇସ୍ତଫା ଦେବାର ସମ୍ଭାବନା ବଢିଯାଇଛି ।
ସେପଟେ ଦିଲ୍ଲୀର ପରବର୍ତ୍ତୀ ମୁଖ୍ୟମନ୍ତ୍ରୀ କିଏ ହେବେ, ତା’କୁ ନେଇ ଚର୍ଚ୍ଚା ଆରମ୍ଭ ହୋଇଯାଇଛି । ଆପର ୧୩ ଜଣିଆ ପିଏସି ରହିଛି, ଯେଉଁମାନେ ବିଧାୟକ ଦଳ ନେତା ଚୟନ କରିବାରେ ମୁଖ୍ୟ ଭୂମିକା ନିର୍ବାହ କରିବେ । ସେଥିରେ ଅଛନ୍ତି ଅରବିନ୍ଦ କେଜ୍ରିୱାଲ, ଭଗବନ୍ତ ମାନ, ମନୀଷ ସିସୋଦିଆ, ସଞ୍ଜୟ ସିଂ, ସନ୍ଦୀପ ପାଠକ, ଗୋପାଳ ରାୟ, ଆତିଶି, ଏନଡି ଗୁପ୍ତା, ଦୁର୍ଗେଶ ପାଠକ, ପଙ୍କଜ ଗୁପ୍ତା, ରାଘବ ଚଡ୍ଡା, ଇମରାନ ହୁସେନ, ରାଖୀ ବିଡଲାନ । ମୁଖ୍ୟମନ୍ତ୍ରୀ ଦୌଡ଼ରେ ଅତିଶି ମାର୍ଲେ, ସୌରଭ ଭରଦ୍ୱାଜ, ରାଘବ ଚଡ୍ଡା, ଗୋପାଳ ରାୟ, କୈଳାଶ ଗେହଲଟ ଓ ସୁନୀତା କେଜ୍ରିୱାଲଙ୍କ ନାମ ରହିଛି ।
ଅବକାରୀ ଦୁର୍ନୀତି ମାମଲାରେ ସୁପ୍ରିମକୋର୍ଟ ଜାମିନ ପ୍ରଦାନ ବେଳେ କିଛିଟା ସର୍ତ୍ତ ରଖିଥିଲେ । ଯେପରିକି ସେ ସାର୍ବଜନୀକଭାବେ ମାମଲାକୁ ନେଇ ମନ୍ତବ୍ୟ ଦେଇ ପାରିବେ ନାହିଁ, ମୁଖ୍ୟମନ୍ତ୍ରୀ କାର୍ଯ୍ୟାଳୟକୁ ଯାଇପାରିବେ ନାହଁ, କୌଣସି ସରକାରୀ କାଗଜପତ୍ରରେ ଦସ୍ତଖତ କରି ପାରିବେ ନାହିଁ କିମ୍ବା ସାକ୍ଷୀ ଭେଟି ନ ପାରିବା ଭଳି ସର୍ତ୍ତ ରହିଛି । ଯାହା ପରେ କେଜ୍ରିୱାଲ ମୁଖ୍ୟମନ୍ତ୍ରୀ ପଦରୁ ଇସ୍ତଫା ଦେବା ଏକ ପ୍ରକାର ନିଶ୍ଚିତ ହୋଇ ଯାଇଥିଲା ।