ନୂଆଦିଲ୍ଲୀ : ହରିୟାଣାର ପୂର୍ବତନ କଂଗ୍ରେସ ବିଧାୟକ ଧର୍ମ ସିଂହ ଛୋକ୍କର ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ ଦିଲ୍ଲୀରୁ ଗିରଫ କରିଛି । ପୂର୍ବତନ ବିଧାୟକ ଏବଂ ତାଙ୍କ କମ୍ପାନୀ ଦୀନଦୟାଲ ଆବାସ ଯୋଜନା ଅଧୀନରେ ପ୍ରାୟ ୧୫୦୦ କୋଟି ଟଙ୍କାର ମନି ଲଣ୍ଡରିଂ କରିଥିବା ଅଭିଯୋଗରେ ଗିରଫ ହୋଇଛନ୍ତି ।
ଧର୍ମ ସିଂହ ଛୋକ୍କର ହରିୟାଣାର ସମଲଖା ବିଧାନସଭା ନିର୍ବାଚନମଣ୍ଡଳୀର କଂଗ୍ରେସ ବିଧାୟକ ଅଛନ୍ତି । ତାଙ୍କ ବିରୋଧରେ ପୂର୍ବରୁ ମଧ୍ୟ ଜମି ଦୁର୍ନୀତି ଅଭିଯୋଗ ଆସିଥିଲା । ପୂର୍ବରୁ ମଧ୍ୟ ଛୋକ୍କର ଏବଂ ତାଙ୍କ ସମ୍ପର୍କୀୟଙ୍କ ଘରେ ଚଢାଉ କରାଯାଇ ବିପୁଳ ପରିମାଣର ଦସ୍ତାବିଜ ଓ ଅନେକ ଦୁର୍ନୀତି କାରବାର ହୋଇଥିବା ପ୍ରମାଣ ମିଳିଥିଲା। ଧର୍ମ ସିଂହ ଛୋକ୍କରଙ୍କୁ ଗିରଫ ପରେ କୋର୍ଟରେ ହାଜର କରାଯିବ ଯେଉଁଠାରେ ଇଡି ତାଙ୍କୁ ରିମାଣ୍ଡରେ ନେବାକୁ ଆବେଦନ କରିପାରେ । ଯାହାଫଳରେ ଜେରା ସମୟରେ ସମଗ୍ର ନେଟୱାର୍କ ଏବଂ ଅନ୍ୟାନ୍ୟ ସହଯୋଗୀମାନଙ୍କ ବିଷୟରେ ସୂଚନା ସଂଗ୍ରହ କରାଯାଇପାରିବ । ଧର୍ମ ସିଂହଙ୍କୁ ହରିୟାଣାର ପୂର୍ବତନ ମୁଖ୍ୟମନ୍ତ୍ରୀ ଭୂପିନ୍ଦର ସିଂହ ହୁଡାଙ୍କ ନିକଟତର ବୋଲି କୁହାଯାଏ । ତାଙ୍କ କମ୍ପାନୀ ସାଇ ଆଇନା ଫାର୍ମସ୍ ଉପରେ ଗୁରୁଗ୍ରାମରେ ଘର ଦେବା ବଦଳରେ ଲୋକଙ୍କଠାରୁ କୋଟି କୋଟି ଟଙ୍କା ନେଇଥିବା ଅଭିଯୋଗ ହୋଇଛି । ପରେ ସେ ଲୋକମାନଙ୍କୁ ଘର ଦେଇନଥିଲେ କିମ୍ବା ଟଙ୍କା ଫେରାଇ ନଥିଲେ।
ଧରମ ସିଂହଙ୍କ ଦୁଇପୁଅ ସିକନ୍ଦର ଛୋକ୍କର ଓ ବିକାଶ ମଧ୍ୟ ଛୋକ୍କର ମଧ୍ୟ ଘୋଟାଲାରେ ଜଣେ ଜଣେ ଅଭିଯୁକ୍ତ ଅଛନ୍ତି । ଇଡି ତାଙ୍କ ବିରୋଧରେ ଏକ ମାମଲା ମଧ୍ୟ ରୁଜୁ କରିଛି। ପୁଅ ସିକନ୍ଦର ସିଂହଙ୍କ ବିରୋଧରେ ୧୫୦୦ ରୁ ଅଧିକ ଘର କ୍ରେତାଙ୍କୁ ଠକି ସେମାନଙ୍କ ପାଣ୍ଠିରୁ ୫୦୦ କୋଟି ଟଙ୍କାରୁ ଅଧିକ ହଡ଼ପ କରିବାର ଅଭିଯୋଗ ରହିଛି। ଇଡି ଉଭୟଙ୍କ ବିରୋଧରେ ମନି ଲଣ୍ଡରିଂ ମାମଲା ରୁଜୁ କରିଛି। ତାଙ୍କ ପୁଅ ବିକାଶ ବର୍ତ୍ତମାନ ପଳାତକ ଏବଂ ସିକନ୍ଦରଙ୍କୁ ଗତ ବର୍ଷ ଇଡି ଗିରଫ କରିଥିଲା ବର୍ତ୍ତମାନ ସେ ଜାମିନରେ ଅଛନ୍ତି।