ନୂଆଦିଲ୍ଲୀ: ଦିଲ୍ଲୀରେ ଅରବିନ୍ଦ କେଜ୍ରିୱାଲଙ୍କ ଇସ୍ତଫା ଘୋଷଣା ପରେ ରାଜନୈତିକ ହଟଚମଟ ତୀବ୍ର ହେବା ସହ ଆଜି ନୂଆ ମୁଖ୍ୟମନ୍ତ୍ରୀ ଘୋଷଣା କରାଯିବ। ସେପଟେ ଅରବିନ୍ଦ କେଜ୍ରିୱାଲ ସୋସିଆଲ ମିଡିଆରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ ଜନ୍ମଦିନର ଶୁଭେଚ୍ଛା ଜଣାଇଛନ୍ତି। ଆମର ପ୍ରଧାନମନ୍ତ୍ରୀ ଶ୍ରୀ ମୋଦୀଙ୍କୁ ଜନ୍ମଦିନର ଶୁଭେଚ୍ଛା। ମୁଁ ତାଙ୍କ ଦୀର୍ଘାୟୁ ଓ ସୁସ୍ଥ ଜୀବନ କାମନା କରୁଛି।
ଦିଲ୍ଲୀର ଆପ୍ ସରକାରରେ ମନ୍ତ୍ରୀ ସୌରଭ ଭରଦ୍ୱାଜ କହିଛନ୍ତି, ଆମ ମଧ୍ୟରୁ ଜଣେ ମୁଖ୍ୟମନ୍ତ୍ରୀ ହେବେ। ସେ ବିଧାୟକ ହୋଇପାରନ୍ତି, ମନ୍ତ୍ରୀ ହୋଇପାରିବେ। ମୁଖ୍ୟମନ୍ତ୍ରୀ ପଦରେ କିଏ ବସିବ ତାହାର ପ୍ରଶ୍ନ ଉଠୁନାହିଁ। ଆମେ ଆଗୁଆ ନିର୍ବାଚନ ଚାହୁଁଛୁ। ସିଏମ୍ ପଦ ପାଇଁ ମୋ ନାଁ ମଧ୍ୟ ଚର୍ଚ୍ଚାରେ ଅଛି। କିନ୍ତୁ ମୁଁ ଦୌଡ଼ରେ ନାହିଁ।
ଲଗାତାର ତୃତୀୟ ଦିନ ପାଇଁ ଦିଲ୍ଲୀରେ ରାଜନୈତିକ ହଟଚମଟ ଜୋର ଧରିଛି। ସେପ୍ଟେମ୍ବର ୧୫ରେ ଅରବିନ୍ଦ କେଜ୍ରିୱାଲ ମୁଖ୍ୟମନ୍ତ୍ରୀ ପଦରୁ ଇସ୍ତଫା ଦେବାକୁ ଘୋଷଣା କରିଥିଲେ। ଏହାପରେ ଆଜି ବିଧାୟକ ଦଳ ବୈଠକ ବସୁଛି, ଯେଉଁଥିରେ ଦିଲ୍ଲୀର ପରବର୍ତ୍ତୀ ମୁଖ୍ୟମନ୍ତ୍ରୀ କିଏ ହେବେ ତାହା ସ୍ଥିର ହେବ। ଆଗାମୀ ବିଧାନସଭା ନିର୍ବାଚନ ପର୍ଯ୍ୟନ୍ତ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ପଦରେ କିଏ ବସିବ ତାହା ଆଜି ସ୍ଥିର ହେବ।
ଏହା ପୂର୍ବରୁ ସୋମବାର (ସେପ୍ଟେମ୍ବର ୧୬) ମୁଖ୍ୟମନ୍ତ୍ରୀଙ୍କ ବାସଭବନରେ ଏକ ପିଏସି ବୈଠକ ଅନୁଷ୍ଠିତ ହୋଇଥିଲା, ଯେଉଁଥିରେ ମନୀଷ ସିସୋଦିଆ, ରାଘବ ଚଢ଼ା, ଆତିଶୀଙ୍କ ସମେତ ଅନେକ ବଡ଼ ବଡ଼ ନେତା ଯୋଗ ଦେଇଥିଲେ। ସେହି ବୈଠକରେ ମଧ୍ୟ ସମ୍ଭାବ୍ୟ ନାମ ଉପରେ ଆଲୋଚନା ହୋଇଥିଲା, ଯାହାଆଜି ବିଧାୟକ ଦଳ ବୈଠକରେ ଉପସ୍ଥାପିତ ହେବ। ଆତିଶୀ, ସୌରଭ ଭରଦ୍ୱାଜ ଓ କୈଳାସ ଗେହଲଟ ମୁଖ୍ୟମନ୍ତ୍ରୀ ପଦ ଦୌଡ଼ରେ ଅଛନ୍ତି।
ଇସ୍ତଫା ଘୋଷଣା ସମୟରେ ଅରବିନ୍ଦ କେଜ୍ରିୱାଲ ଦିଲ୍ଲୀବାସୀଙ୍କ ଉପରେ ଆସ୍ଥା ପ୍ରକଟ କରି କହିଥିଲେ ଯେ ଯଦି ଲୋକମାନେ ତାଙ୍କୁ ସଚ୍ଚୋଟ ମନେ କରନ୍ତି ତେବେ ଆଗାମୀ ବିଧାନସଭା ନିର୍ବାଚନରେ ତାଙ୍କୁ ସଂଖ୍ୟାଗରିଷ୍ଠତା ଦେଇ ଜିତିବେ। ତା'ପରେ ହିଁ ସେ ପୁଣି ଥରେ ମୁଖ୍ୟମନ୍ତ୍ରୀଙ୍କ ଚେୟାରକୁ ଆସି ବସିବେ।
ଅଧିକ ପଢ଼ନ୍ତୁ: ନଭେମ୍ବରରେ ଦିଲ୍ଲୀରେ ବିଧାନସଭା ନିର୍ବାଚନ ହେବା ଅସମ୍ଭବ