ନୂଆଦିଲ୍ଲୀ: ଆମ୍ ଆଦମୀ ପାର୍ଟିରୁ ଇସ୍ତଫା ଦେଇଥିବା ସମସ୍ତ ୮ ବିଧାୟକ ବିଜେପିରେ ସାମିଲ ହୋଇଛନ୍ତି । ବିଜେପିର ରାଷ୍ଟ୍ରୀୟ ଉପାଧ୍ୟକ୍ଷ ବୈଜୟନ୍ତ ପଣ୍ଡା ଓ ଦିଲ୍ଲୀ ବିଜେପି ସଭାପତି ବୀରେନ୍ଦ୍ର ସଚଦେବାଙ୍କ ଉପସ୍ଥିତିରେ ଏହି ସବୁ ନେତା ପଦ୍ମ ଧରିଛନ୍ତି । ସମସ୍ତ ୮ ବିଧାୟକ ଦୁର୍ନୀତି ଅଭିଯୋଗ ଲଗାଇ ଗତକାଲି ଆମ୍ ଆଦମୀ ପାର୍ଟିରୁ ଇସ୍ତଫା ଦେଇଥିଲେ ।
ଏହି ଆଠ ବିଧାୟକ ହେଉଛନ୍ତି ପାଲମରୁ ଭାବନା ଗୌଡ, ବିଜବାସନରୁ ବିଏସ ଜୁନ, ଆଦର୍ଶ ନଗରରୁ ପବନ ଶର୍ମା, କସ୍ତୁରବାନଗରରୁ ମଦନଲାଲ, ଜନକପୁରୀରୁ ରାଜେଶ ଋଷି, ତ୍ରିଲୋକପୁରୀରୁ ରୋହିତ ମୋହରୌଲିଆ, ମହରୌଲୀରୁ ନରେଶ ଯାଦବ ଓ ମାଦୀପୁରରୁ ଗିରିଶ ସୋନି ସାମିଲ । ଏହି ସବୁ ୮ ବିଧାୟକ ଶନିବାର ବିଜେପିର ସଦସ୍ୟତା ଗ୍ରହଣ କରିଛନ୍ତି ।
ଏହି ସମୟରେ ବିଜେପି ରାଷ୍ଟ୍ରୀୟ ଉପାଧ୍ୟକ୍ଷ ବୈଜୟନ୍ତ ପଣ୍ଡା କହିଛନ୍ତି ଯେ, ଆଜି ବହୁତ ଐତିହାସିକ ଦିନ କାରଣ ଦିଲ୍ଲୀ ନିର୍ବାଚନର ମାତ୍ର କିଛି ଦିନ ପୂର୍ବରୁ ଏତେ ବଡ ସଂଖ୍ୟାରେ ନେତା ଆପ୍-ଦାରୁ ମୁକ୍ତି ପାଇଗଲେ । ଏବେ ଦିଲ୍ଲୀର ମୁକ୍ତ ହେବା ପାଳି । ୧୦ ବର୍ଷ ଧରି ମିଛ ପ୍ରତିଶ୍ରୁତି ଦେଇ ଆପ୍ ଦିଲ୍ଲୀରେ ବସି ରହିଛି । ଯେଉଁ ଲୋକେ ବିଶ୍ୱାସ କରି ସେମାନଙ୍କ ସହ ଥିଲେ, ଏବେ ସେମାନେ ପାର୍ଟି ଛାଡିବାରେ ଲାଗିଛନ୍ତି ଏବଂ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ନେତୃତ୍ୱ ଉପରେ ବିଶ୍ୱାସ କରି ବିଜେପିରେ ସାମିଲ ହୋଇଛନ୍ତି ।
ଯେଉଁ ୮ ବିଧାୟକ ଗତକାଲି ଆମ୍ ଆଦମୀ ପାର୍ଟିରୁ ଇସ୍ତଫା ଦେଇଥିଲେ, ସେମାନଙ୍କ ମଧ୍ୟରୁ ରାଜେଶ ଋଷି ଅରବିନ୍ଦ କେଜ୍ରିୱାଲଙ୍କ ତୁଳନା ହିଟଲର ସହ କରିଥିଲେ । ପାର୍ଟି ସମ୍ବିଧାନରେ ପରିବର୍ତ୍ତନ କରାଯାଇଛି । ପ୍ରଥମେ ପାର୍ଟି ସଂଯୋଜକ ୨ ବର୍ଷ ପାଇଁ ଥିଲେ । କିନ୍ତୁ ଏବେ ସେ ସବୁ ଦିନ ପାଇଁ ସଂଯୋଜକ ପାଲଟି ଯାଇଛନ୍ତି । ତେବେ ନିର୍ବାଚନର କିଛି ଦିନ ପୂର୍ବରୁ ଏତେ ମାତ୍ରାରେ ଆପ୍ ନେତା ବିଜେପିରେ ମିଶିବା ଦଳକୁ ମତଦାନ ସମୟରେ ବେଶ ଫାଇଦା ଦେବ ବୋଲି ଦଳୀୟ ନେତା ଆଶା ରଖିଛନ୍ତି ।