ନୂଆ ଦିଲ୍ଲୀ: ଆଜି ସଂସଦରେ ୨୦୨୫ର ସାଧାରଣ ବଜେଟ ଉପସ୍ଥାପନ କରିଛନ୍ତି କେନ୍ଦ୍ର ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ। ବଜେଟରେ ଶିକ୍ଷା କ୍ଷେତ୍ରକୁ ଅଧିକ ଧ୍ୟାନ କରାଯାଇଛି । । ଦେଶରେ ଆର୍ଟିଫିସିଆଲ୍ ଇଣ୍ଟେଲିଜେନ୍ସ ବା (ଏଆଇ) ଲାଗି ଏକ ବଡ଼ ଘୋଷଣା କରିଛନ୍ତି ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ । AI ଶିକ୍ଷାକୁ ପ୍ରୋତ୍ସାହନ ପାଇଁ ୩ଟି ଏଆଇ ସେଣ୍ଟର ଖୋଲିଯିବା ନେଇ ସେ କହିଛନ୍ତି, ଯେଉଁଥିପାଇଁ ୫ ଶହ କୋଟିର ସ୍ବତନ୍ତ୍ର ବ୍ୟୟ ବରାଦ କରାଯାଇଛି ।
୨୦୨୪ ରେ ଉପସ୍ଥାପିତ ହୋଇଥିବା ବଜେଟ୍ ସମୟରେ ଅର୍ଥମନ୍ତ୍ରୀ AI ଶିକ୍ଷାକୁ ପ୍ରୋତ୍ସାହିତ କରିବା ପାଇଁ ୨୫୫ କୋଟି ଟଙ୍କା ବଜେଟ୍ ଉପସ୍ଥାପନ କରିଥିଲେ, ଯାହା ବର୍ତ୍ତମାନ ପ୍ରାୟ ଦୁଇଗୁଣ ଅର୍ଥାତ୍ ୫୦୦ କୋଟି ଟଙ୍କାକୁ ବୃଦ୍ଧି କରାଯାଇଛି। କେନ୍ଦ୍ର ସରକାର ଆର୍ଥିକ ବିକାଶ ଓ ଡିଜିଟାଲ ପରିବର୍ତ୍ତନ କ୍ଷେତ୍ରରେ ଏଆଇର ଲାଭ ଉଠାଇବା ପାଇଁ ଶିଳ୍ପ, ଷ୍ଟାର୍ଟଅପ୍ ଓ ଶିକ୍ଷାନୁଷ୍ଠାନକୁ ସହାୟତା ପ୍ରଦାନ କରିବା ଲାଗି ଉନ୍ନତ ଏଆଇ ହବ୍ ସ୍ଥାପନ କରିବା ପାଇଁ ଯୋଜନା କରିଛନ୍ତି ।
ଅଧିକ ପଢନ୍ତ: କେନ୍ଦ୍ର ବଜେଟରେ ପଡୋଶୀ ଦେଶକୁ ଗୁରୁତ୍ୱ; ବୈଦେଶିକ ମନ୍ତ୍ରଣାଳୟକୁ ୨୦, ୫୧୬ କୋଟିର ସହାୟତା ଘୋଷଣା; ଆର୍ଥିକ ସହାୟତା ଗ୍ରହଣ କରୁଥିବା ଦେଶ ତାଲିକାରେ ଶୀର୍ଷରେ ରହିଛି ଭୁଟାନ
ବିଶ୍ବସ୍ତରରେ AI ପ୍ରଯୁକ୍ତିବିଦ୍ୟା କ୍ଷେତ୍ରରେ ଭାରତକୁ ବିଶ୍ବନେତା ଭାବେ ପ୍ରଦର୍ଶିତ କରିବା ଲାଗି ଏଆଇ ଅନୁସନ୍ଧାନ, ବିକାଶ ଓ ଉଦ୍ଭାବନକୁ ପ୍ରୋତ୍ସାହିତ କରିବା ଲାଗି ଯୋଜନା କରିଛନ୍ତି ସରକାର । ସାରା ବିଶ୍ୱରେ ଏଆଇର ଦ୍ରୁତଗତିରେ ବୃଦ୍ଧି ପାଉଥିବା ଲୋକପ୍ରିୟତା ମଧ୍ୟରେ, ଅନେକ କ୍ଷେତ୍ରରେ ଚାକିରି ପ୍ରଭାବିତ ହେବାର ଆଶଙ୍କା ରହିଛି । ଆର୍ଥିକ ସର୍ଭେ ୨୦୨୪-୨୫ ରେ ସତର୍କ କରାଯାଇଥିଲା ଯେ ଭାରତରେ କମ୍ ଦକ୍ଷତା ଏବଂ କମ୍ ମୂଲ୍ୟଯୁକ୍ତ ସେବାରେ କାର୍ଯ୍ୟରତ କର୍ମଚାରୀମାନେ AI ଦ୍ୱାରା ଅଧିକ ପ୍ରଭାବିତ ହୋଇପାରନ୍ତି ।