ନୂଆଦିଲ୍ଲୀ: ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ମୋଦୀ ସରକାରଙ୍କ ତୃତୀୟ କାର୍ଯ୍ୟକାଳରେ ଦ୍ଵିତୀୟ ବଜେଟ୍ ଉପସ୍ଥାପନ କରିଛନ୍ତି। ଚଳିତ ବଜେଟ୍ରେ ପ୍ରତିରକ୍ଷା କ୍ଷେତ୍ର ପାଇଁ ୬.୮୧ ଲକ୍ଷ କୋଟି ଟଙ୍କା ବ୍ୟୟବରାଦ କରିଛନ୍ତି କେନ୍ଦ୍ର ସରକାର। ଗତ ପ୍ରତିରକ୍ଷା ବଜେଟ୍ ତୁଳନାରେ ଏହା ସାମାନ୍ୟ ଅଦିକ ରହିଛି। ଗତ ବଜେଟ୍ରେ ପ୍ରତିରକ୍ଷା ପାଇଁ ୬,୨୧, ୯୪୦ କୋଟି ଟଙ୍କା ଆବଣ୍ଟନ କରାଯାଇଥିଲା।
ଶନିବାର ସଂସଦରେ ବଜେଟ୍ ଉପସ୍ଥାପନ କରି ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ପ୍ରତିରକ୍ଷା ପାଇଁ ମୋଟ୍ ୬,୮୧,୨୧୦ କୋଟି ଟଙ୍କା ଆବଣ୍ଟିତ କରିଛନ୍ତି। ବଜେଟ୍ରେ ମୋଟ୍ ପ୍ରତିରକ୍ଷା ପୁଞ୍ଜିଗତ ବ୍ୟୟ ୧,୯୨,୩୮୭ କୋଟି ଟଙ୍କା ରହିଥିବା ବେଳେ ଏଥିରେ ରାଜସ୍ଵ ବ୍ୟୟ ୪,୮୮,୮୨୨ କୋଟି ଟଙ୍କା ରଖାଯାଇଛି। ଏଥିରେ ପେନସନ ବାବଦକୁ ୧,୬୦,୭୯୫ କୋଟି ଟଙ୍କା ଆବଣ୍ଟନ କରାଯାଇଛି। ପୁଞ୍ଜିଗତ ବ୍ୟୟବରାଦ ଆଧାରରେ ବିମାନ ଓ ଏୟରୋ ଇଞ୍ଜିନ ପାଇଁ ୪୮,୬୧୪ କୋଟି ଟଙ୍କା ଆବଣ୍ଟିତ କରାଯାଇଥିବା ବେଳେ ନୌସେନା ଜାହାଜ ପାଇଁ ୨୪,୩୯୦ କୋଟି ଟଙ୍କା ବ୍ୟୟବରାଦ କରାଯାଇଛି। ଅନ୍ୟ ପ୍ରତିରକ୍ଷା ଉପକରଣ ପାଇଁ ୬୩,୦୯୯ କୋଟି ଟଙ୍କା ବ୍ୟୟ ଅଟକଳ କରାଯାଇଛି।
ସରକାର ୨୦୨୪-୨୫ ପାଇଁ ପ୍ରତିରକ୍ଷା ବଜେଟ୍ରେ ୪,୫୪,୭୭୩ କୋଟି ଟଙ୍କା ବ୍ୟୟବରାଦ କରାଯାଇଥିଲା। ୨୦୨୩-୨୪ରେ ବଜେଟ୍ ଅନୁମାନ ୪,୩୨,୭୨୦ କୋଟି ଟଙ୍କା ରହିଥିଲା। ୨୦୨୪ରେ ୬,୨୧,୯୪୦ କୋଟି ଟଙ୍କା ବ୍ୟୟବରାଦ ହୋଇଥିଲା। ଦେଶ ସ୍ଵାଧୀନତା ପରେ ପ୍ରଥମ ବଜେଟ୍ ୧୯୪୭ ନଭେମ୍ବର ୨୬ ତାରିଖରେ ଆରକେ ଶନମୁଘନ ଉପସ୍ଥାପନ କରିଥିଲେ। ସେହି ସମୟରେ ବଜେଟ୍ର ମୋଟ୍ ଆକାର ଅନୁମାନ ୧୯୭.୩୯ କୋଟି ଟଙ୍କା ଥିଲା।
ଏହି ବଜେଟ୍ରେ ସର୍ବାଧିକ ଅର୍ଥ ପ୍ରତିରକ୍ଷା କ୍ଷେତ୍ରକୁ ଆବଣ୍ଟିତ କରାଯାଇଥିଲା। ସ୍ଵାଧୀନ ଭାରତର ପ୍ରଥମ ବଜେଟ୍ରେ ୯୨.୭୪ କୋଟି ଟଙ୍କା ଅର୍ଥାତ ୪୬ ପ୍ରତିଶତ ପ୍ରତିରକ୍ଷା ଉପରେ ଖର୍ଚ୍ଚ କରାଯାଇଥିଲା। ମୋଦୀ ସରକାର କ୍ଷମତାକୁ ଅସିବା ପୂର୍ବରୁ ଅର୍ଥାତ ୨୦୧୩-୧୪ରେ ପ୍ରତିରକ୍ଷା କ୍ଷେତ୍ରରେ ୨,୦୩,୬୭୨ କୋଟି ଟଙ୍କା ଖର୍ଚ୍ଚ ହେବ ବୋଲି ଆକଳନ କରାଯାଇଥିଲା। ମୋଦୀ ସରକାରରେ ପ୍ରତିରକ୍ଷା ବଜେଟ୍ର ଆକାର ଦୁଇ ଗୁଣ ବଢି ସାରିଛି।