କେନ୍ଦୁଝର : ମଦ୍ୟପ କାର୍ ଡ୍ରାଇଭର ର ଉନ୍ମତ୍ତ କାଣ୍ଡ । ମୋପେଡ୍ ଚାଳକଙ୍କୁ ଧକ୍କା ଦେଲା କାର୍। ଯାହାର ଛାତିଥରା ଦୁର୍ଘଟଣାର ଦୃଶ୍ୟ ସିସିଟିଭି ରେ ହେଲା କଏଦ୍ । ଗୁରୁତର ଅବସ୍ଥାରେ ମୋପେଡ୍ ଆରୋହୀ କଟକ ସ୍ଥାନାନ୍ତର ।
ଶୁକ୍ରବାର କେନ୍ଦୁଝର ଜିଲ୍ଲା ତୁରୁମୁଙ୍ଗା ଥାନା ବାଉଁଶୁଳି ସରକାରୀ ମଦ ଦୋକାନ ନିକଟରେ ସନ୍ଧ୍ୟାରେ ଏକ କାର୍ ମୋପେଡ୍ ଆରୋହୀଙ୍କୁ ଧକ୍କା ଦେବା ଫଳରେ ମୋପେଡ୍ ଆରୋହୀ ଗୁରୁତର ହୋଇ କଟକର ଏକ ଘରୋଇ ମେଡ଼ିକାଲରେ ଭର୍ତ୍ତି ହୋଇଛନ୍ତି । ଗୁରୁତର ଆହତ ବ୍ଯକ୍ତି ଜଣକ ହେଲେ କଣ୍ଟିଆପଡା କଲରାଟାଙ୍ଗର ସାହିର ଲକ୍ଷ୍ମୀଧର ନାୟକ। ଲକ୍ଷ୍ମୀଧର, ସାନଭାଇ ବରୁଣଙ୍କ ସହ ବାଉଁଶୁଳିରେ ଇଟା ତିଆରି କରୁଥିଲେ । କାମ ସାରି ସନ୍ଧ୍ୟାରେ ଘରକୁ ଫେରିବା ସମୟରେ ବାଉଁଶୁଳି ସରକାରୀ ମଦ ଦୋକାନ ନିକଟରେ ଛିଡା ହୋଇଥିବା ଏକ କାର୍ ଯାଇ ତାଙ୍କୁ ଧକ୍କା ଦେଇଥିଲା । ଗୁରୁତର ଅବସ୍ଥାରେ ୧୦୮ ଆମ୍ବୁଲାନସ୍ ସହାୟତାରେ ତାଙ୍କୁ ପ୍ରଥମେ କେନ୍ଦୁଝର ଓ ପରେ କଟକର ଏକ ଘରୋଇ ମେଡ଼ିକାଲ କୁ ସ୍ଥାନାନ୍ତର କରାଯାଇଛି। ଲକ୍ଷ୍ମୀଧର ଙ୍କ ଦୁଇଟି ଯାକ ଗୋଡ଼ ଭାଙ୍ଗିଥିବା ସୂଚନା ରହିଛି । ଘଟଣାକୁ ନେଇ ପୁଲିସ୍ ଅଧିକ ତଦନ୍ତ ଜାରି ରଖିଛି।