ଭୁୁବନେଶ୍ୱର: ଯେଉଁମାନେ କଣ୍ଟ୍ରାକଚୁଆଲ ସରକାରୀ ଚାକିରି କରି ମାସକୁ ୧୫ ହଜାରରୁ କମ ଦରମା ପାଉଥିବେ ସେମାନଙ୍କ ରାସନକାର୍ଡ କଟିବ କି ନାହିଁ କି ସେମାନଙ୍କୁ କାର୍ଡ ଫେରାଇବାର ଆବଶ୍ୟକତା ନାହିଁ । କିନ୍ତୁ ଗ୍ରାମାଞ୍ଚଳରେ ଯେଉଁ ସରକାରୀ ଚାକିରିଆଙ୍କ ମାସକୁ ଦରମା ୧୫ ହଜାର ଟଙ୍କାରୁ ଅଧିକ ଥିବ ସେମାନଙ୍କୁ ରାସନକାର୍ଡ ଫେରାଇବାକୁ ପଡିବ । ଯଦି ନ ଫେରାନ୍ତି ଏବଂ ପରବର୍ତ୍ତୀ ସମୟରେ ଧରା ପଡେ ତେବେ ସେମାନଙ୍କ ଉପରେ କାର୍ଯ୍ୟାନୁଷ୍ଠାନ ନିଆଯିବ । ଏ ନେଇ ଶୁକ୍ରବାର ଟିପ୍ପଣୀ କରିଛନ୍ତି ଖାଦ୍ୟ ଯୋଗାଣ ମନ୍ତ୍ରୀ ।
ଖାଦ୍ୟ ଯୋଗାଣ ମନ୍ତ୍ରୀ କୃଷ୍ଣଚନ୍ଦ୍ର ପାତ୍ର କହିଛନ୍ତି ଯେ, ଯେଉଁମାନଙ୍କ ମାସକ ଦରମା ୧୧-୧୨ ହଜାର ଟଙ୍କା ଥିବ ସେମାନଙ୍କ ରାସନକାର୍ଡ କଟିବ ନାହିଁ । ସରକାରଙ୍କ ଏହି ନିର୍ଦ୍ଦେଶ ପରେ ଦୁଇ ଦିନ ତେଳେ ୧୨ ହଜାର ସରକାରୀ ଚାକିରିଆ କାର୍ଡ ଫେରାଇଥିବା ବେଳେ ଆଜି ସନ୍ଧ୍ୟା ସୁଦ୍ଧା ଏହି ସଂଖ୍ୟା ୨୦ ହଜାରରେ ପହଞ୍ଚିଲାଣି ।
ମନ୍ତ୍ରୀ ଶ୍ରୀ ପାତ୍ର କହିଛନ୍ତି ଜାତୀୟ ଖାଦ୍ୟ ସୁରକ୍ଷା ନିୟମ ଅନୁସାରେ ଗ୍ରାମାଞ୍ଚଳରେ ଯାହାର ୧୦ ହଜାର ରୋଜଗାର ଥିବ ସେମାନେ ରାସନକାର୍ଡ ଫେରେଇବେ ନାହିଁ। ଯାହାର ୧୫ ହଜାର ଉପରେ ରୋଜଗାର ଥିବ ସେମାନେ ରାସନକାର୍ଡ ଫେରେଇବେ। ସବୁ ଜିଲ୍ଲାରୁ କାର୍ଡ ଫେରାଉଛନ୍ତି। ଯେଉଁମାନେ ଭଲ ଚାକିରି କରିଛନ୍ତି ସେମାନେ ଫେରେଇଦେବା ଉଚିତ। ବଡ଼ବଡ଼ ଚାକିରିଆ କାର୍ଡ ନେଇଥିଲେ। ଆମ କଥା ମାନିକି ଫେରେଇଦେଲାଣି।
ରାଜ୍ୟରେ ମୋଟ ୩କୋଟି ୩୫ଲକ୍ଷ ୫୭୦ଜଣ ହିତାଧିକାରୀଙ୍କ ମଧ୍ୟରୁ ୨କୋଟି ୯୫ଲକ୍ଷ ୮୯ହଜାର ୯୧୨ଜଣ ହିତାଧିକାରୀଙ୍କ କେୱାଇସି କରିସାରିଛନ୍ତି । ରାଜ୍ୟରେ ମୋଟ ୨.୯୪କୋଟି ଓ ରାଜ୍ୟ ବାହାରେ ୧.୩୦ଲକ୍ଷ ହିତାଧିକାରୀ ଇକେୱାଇସି କରିଛନ୍ତି । ଜାନୁୟାରୀ ୩୧ସୁଦ୍ଧା ଇକେୱାଇସି ସାରିବା ପାଇଁ ମନ୍ତ୍ରୀ ପୂର୍ବରୁ ସୂଚନା ଦେଇଥିଲେ,ମାତ୍ର ଏହାକୁ ପୁଣିଥରେ ସରକାର ଫେବୃୟାରୀ ୧୫ତାରିଖ ପର୍ୟ୍ୟନ୍ତ ବୃଦ୍ଧି କରିଛନ୍ତି ।