ନୂଆଦିଲ୍ଲୀ: ଦିଲ୍ଲୀ ବିଧାନସଭା ନିର୍ବାଚନ ପୂର୍ବରୁ ଆମ୍ ଆଦମୀ ପାର୍ଟିକୁ ଲାଗିଛି ଶକ୍ତ ଝଟକା। ଗୋଟିଏ ଦିନରେ ଶୁକ୍ରବାର ପାର୍ଟିର ସାତ ବିଧାୟକ ଦଳରୁ ଇସ୍ତଫା ଦେଇଛନ୍ତି। ଭୋଟିଂର ପାଞ୍ଚ ଦିନ ପୂର୍ବରୁ ତ୍ରିଲୋକପୁରୀର ବିଧାୟକ ରୋହିତ କୁମାର, ମହରୌଲୀର ବିଧାୟକ ନରେଶ ଯାଦବ, କସ୍ତୁରବାନଗରର ବିଧାୟକ ମଦନ ଲାଲ, ପାଲମରୁ ବିଧାୟକ ଭାବନା ଗୌଡ଼, ଜନକପୁରୀରୁ ବିଧାୟକ ରାଜେଶ ଋଷି, ବିଜବାସନରୁ ବିଧାୟକ ବିଏସ ଜୁନ ଓ ଆଦର୍ଶନଗରରୁ ବିଧାୟକ ପବନ ଶର୍ମା ନିଜ ପଦରୁ ଇସ୍ତଫା ଦେଇଛନ୍ତି।
ଏହି ସବୁ ବିଧାୟକଙ୍କୁ ଚଳିତ ନିର୍ବାଚନରେ ପାର୍ଟି ପକ୍ଷରୁ ଟିକେଟ୍ କାଟି ଦିଆଯାଇଛି। ଟିକେଟ୍ କଟିବାରୁ ଏହି ସବୁ ବିଧାୟକ ପାର୍ଟି ପ୍ରତି ଅସନ୍ତୁଷ୍ଟ ଥିଲେ। ଏସବୁ ବିଧାୟକ ନିଜର ଇସ୍ତଫା ପତ୍ର ଆପ୍ର ରାଷ୍ଟ୍ରୀୟ ସଂଯୋଜକ ଅରବିନ୍ଦ କେଜ୍ରିଓ୍ଵାଲଙ୍କୁ ପଠାଇ ଦେଇଛନ୍ତି। ଏଥିରେ ଅନେକ ନେତା ପାର୍ଟି ନିଜର ସିଦ୍ଧାନ୍ତରୁ ଓହରି ଦୁର୍ନୀତିରେ ବୁଡ଼ି ରହିଥିବା ଅଭିଯୋଗ କରିଛନ୍ତି।
ରୋହିତ କୁମାର ନିଜ ଇସ୍ତଫା ପତ୍ରରେ ଅରବିନ୍ଦ କେଜ୍ରିଓ୍ଵାଲଙ୍କ ଉପରେ ଗୁରୁତର ଅଭିଯୋଗ ଆଣିଛନ୍ତି। ସେ କହିଛନ୍ତି, ଆପଣଙ୍କ କଥାକୁ ଭରସା କରି ମୋର ସମାଜ ଏକତରଫା ଆପଣଙ୍କୁ ସମର୍ଥନ ଜଣାଇଛନ୍ତି। ଯାହା ବଳରେ ଦିଲ୍ଲୀରେ ତିନି ଥର ଆମ୍ ଆଦମୀ ପାର୍ଟି ସରକାର ଗଠନ କରିଥିଲା। ଏହା ସତ୍ତ୍ଵେ ଦଳରେ ଠିକାଦାରୀ ପ୍ରଥା ବନ୍ଦ ହୋଇନି। ଦଳ ଦୁର୍ନୀତିରେ ବୁଡ଼ି ରହିଛି।
ଟିକେଟ୍ କଟିବାରୁ ଅସନ୍ତୁଷ୍ଟ ଜନକପୁରୀର ବିଧାୟକ ରାଜେଶ ଋଷି ପାର୍ଟିର ରାଷ୍ଟ୍ରୀୟ ସଂଯୋଜକ ଅରବିନ୍ଦ କେଜ୍ରିଓ୍ଵାଲଙ୍କୁ ନିଜର ଇସ୍ତଫା ପତ୍ର ପ୍ରଦାନ କରିଛନ୍ତି। ସେ ଅଭିଯୋଗ କରିଛନ୍ତି ଯେ, ପାର୍ଟି ନିଜର ମୂଳ ସିଦ୍ଧାନ୍ତକୁ ତ୍ୟାଗ କରି ଦୁର୍ନୀତିରେ ବୁଡ଼ି ରହିଛି। ସନ୍ତୋଷ କୋଲିଙ୍କ ବଳିଦାନ ସହିତ ଭୁଲ୍ ବ୍ୟବହାର କରାଗଲା। ସନ୍ତୋଷ କୋଲିଙ୍କ ହତ୍ୟାକାରୀଙ୍କୁ ଟିକେଟ୍ ଦିଆଗଲା। ଏହା ପାର୍ଟିର କର୍ମକର୍ତ୍ତାଙ୍କ ପ୍ରତି ବିଶ୍ଵାସଘାତ ହୋଇଛି ବୋଲି ସେ କହିଛନ୍ତି।
ମହରୌଲିର ବିଧାୟକ ନରେଶ ଯାଦବ ମଧ୍ୟ ପାର୍ଟି ଉପରେ ଦୁର୍ନୀତିର ଅଭିଯୋଗ ଲଗାଇଛନ୍ତି। ନରେଶ ଯାଦବଙ୍କୁ ପାର୍ଟି ଟିକେଟ୍ ଦେଇଥିଲା, ମାତ୍ର ପରେ ଫେରାଇ ନେଇଥିଲା। ଯାଦବଙ୍କ କୁରାନ ଅପମାନ ସଂପର୍କିତ ଏକ ମାମଲାରେ ପଞ୍ଜାବର ଏକ ଅଦାଲତ ଦଣ୍ଡାଦେଶ ଶୁଣାଇଥିଲେ। କିନ୍ତୁ ସେ ଉପର ଅଦାଲତ ଦ୍ଵାରା ଦଣ୍ଡାଦେଶ ଉପରେ ସ୍ଥଗିତାଦେଶ ଲଗାଇଥିଲେ।
ପାଲମ ବିଧାୟକ, ଭାବନା ଗୌଡ଼
ମହରୌଲୀ ବିଧାୟକ, ନରେଶ ଯାଦବ
ଜନକପୁରୀ ବିଧାୟକ, ରାଜେଶ ଋଷି
କସ୍ତୁରବାନଗର ବିଧାୟକ, ମଦନ ଲାଲ
ତ୍ରିଲୋକପୁରୀ ବିଧାୟକ, ରୋହିତ ମହରୌଲିଆ
ବିଜବାସନ ବିଧାୟକ, ବିଏସ ଜୁନଟ
ଆଦର୍ଶ ନଗର ବିଧାୟକ, ପବନ ଶର୍ମା