ଭୁବନେଶ୍ୱର: ସୋନିଆ ଗାନ୍ଧିଙ୍କ କୁଶପୁତ୍ତଳିକା ଦାହ କଲା ବିଜେପି ମହିଳା ମୋର୍ଚ୍ଚା । ଭୁବନେଶ୍ୱରର କଂଗ୍ରେସ ଭବନ ଠାରେ ଥିବା ମାଷ୍ଟରକ୍ୟାଣ୍ଟିନ ଛକରେ ସୋନିଆଙ୍କ କୁଶପୁତ୍ତଳିକା ଦାହ କରିଛି ବିଜେପି ମହିଳା ମୋର୍ଚ୍ଚା । ରାଷ୍ଟ୍ରପତିଙ୍କ ପ୍ରତି ସୋନିଆଙ୍କ ମନ୍ତବ୍ୟକୁ ବିରୋଧ କରି ବିଜେପି କୁଶପୁତ୍ତଳିକା ଦାହ କରିଛି ।
ଆଜି ସଂସଦର ଉଭୟ ଗୃହକୁ ସମ୍ବୋଧନା କରି ଅଭିଭାଷଣ ରଖିଥିଲେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ। ଅଭିଭାଷଣ ପରେ ସଂସଦ ବାହାରେ ସୋନିଆ ଗାନ୍ଧୀ ରାଷ୍ଟ୍ରପତିଙ୍କ ପ୍ରତି ବିବାଦୀୟ ମନ୍ତବ୍ୟ ଦେଇଥିଲେ। ସେ କହିଛନ୍ତି, ରାଷ୍ଟ୍ରପତି ଶେଷ ଆଡକୁ ବହୁତ ଥକ୍କା ଲାଗୁଥିଲେ । ସେ ବହୁତ ଥକି ଯାଇଥିଲେ ଏବଂ ଶେଷ ଆଡକୁ ବହୁତ ମୁସ୍କିଲରେ ଭାଷଣ ପଢି ପାରୁଥିଲେ । ବିଚାରି ମହିଳା କହି ତାଚ୍ଛଲ୍ୟ କରିଛନ୍ତି ସୋନିଆ ଗାନ୍ଧୀ । ସେପଟେ ଏହା ପୂର୍ବରୁ ଲୋକସଭାର ବିରୋଧୀ ଦଳ ନେତା ରାହୁଲ ଗାନ୍ଧୀ ରାଷ୍ଟ୍ରପତିଙ୍କ ଅଭିଭାଷଣ ବହୁତ ବୋରିଂ ଲାଗିଲା ବୋଲି କହିଛନ୍ତି । ରାଷ୍ଟ୍ରପତିଙ୍କ ଭାଷଣରେ ଅତ୍ୟଧିକ ସରକାରଙ୍କ ପ୍ରଚାର ଥିଲା ଏବଂ ଏଥିରେ କିଛି ନୂତନତ୍ୱ ନ ଥିବା କହିଛନ୍ତି ରାହୁଲ।
ଅଧିକ ପଢନ୍ତୁ: 'ବିଚରା ମହିଳା, କହି ବି ପାରୁ ନ ଥିଲେ'; ରାଷ୍ଟ୍ରପତି ମୁର୍ମୁଙ୍କ ଭାଷଣ ଉପରେ ସୋନିଆଙ୍କ ବିବାଦୀୟ ଟିପ୍ପଣୀ
କଂଗ୍ରେସ ନେତାଙ୍କ ଏମିତି ବୟାନ ପରେ ତେଜିଛି ରାଜନୈତିକ ବୟାନବାଜି । ଶାସକ ଦଳ ପକ୍ଷରୁ ଏହାକୁ ନେଇ କଂଗ୍ରେସକୁ ସମାଲୋଚନା କରାଯାଇଛି । ବିଭିନ୍ନ ଆଡ଼ୁ ପ୍ରତିବାଦର ଚିତ୍ର ଦେଖିବାକୁ ମିଳିଛି । ରାଜଧାନୀ ଭୁବନେଶ୍ୱରରେ ବିଜେପି ମହିଳା ମୋର୍ଚ୍ଚା ଏହାକୁ ବିରୋଧ କରି ସୋନିଆ ଗାନ୍ଧୀଙ୍କ କୁଶ ପୁତ୍ତଳିକା ଦାହ କରିଛନ୍ତି ।