ପ୍ରୟାଗରାଜ: ପ୍ରୟାଗରାଜ ମହାକୁମ୍ଭରେ କିନ୍ନର ଅଖାଡା ବଡ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛନ୍ତି । କିନ୍ନର ଅଖାଡାର ସଂସ୍ଥାପକ ଋଷି ଅଜୟ ଦାସ ମମତା କୁଲକର୍ଣ୍ଣିଙ୍କୁ ମହାମଣ୍ଡଳେଶ୍ୱର ପଦରୁ ହଟାଇ ଦେଇଛନ୍ତି । କୁହାଯାଉଛି ମମତା ଲଣ୍ଡା ନ ହେବା କାରଣରୁ ତାଙ୍କ ଉପରେ ଏହି କାର୍ଯ୍ୟାନୁଷ୍ଠାନ ନିଆଯାଇଛି । ଅଜୟ ଦାସ ଅଖାଡାର ଆଚାର୍ଯ୍ୟ ମହାମଣ୍ଡଳେଶ୍ୱର ଲକ୍ଷ୍ମୀ ନାରାୟଣ ତ୍ରିପାଠୀଙ୍କୁ ମଧ୍ୟ ବାହାର କରି ଦେଇଛନ୍ତି ।
ଅଜୟ ଦାସ କହିଛନ୍ତି ନୂତନ ଭାବେ ଅଖାଡାର ପୁନର୍ଗଠନ ହେବ । ଅନ୍ୟପଟେ ଲକ୍ଷ୍ମୀ ନାରାୟଣ ନିଜକୁ ଅଖାଡାର ସଂସ୍ଥାପକ କହୁଥିବାରୁ କିନ୍ନର ଅଖାଡାରେ ବିବାଦ ଘନେଇବାରେ ଲାଗିଛି । ଲକ୍ଷ୍ମୀ କହିଛନ୍ତି ଅଜୟଙ୍କୁ ୨୦୧୭ରେ ଅଖାଡାରୁ ବାହାର କରାଯାଇଥିଲା । ବିଶେଷ କରି ଅଭିନେତ୍ରୀ ମମତା କୁଲକର୍ଣ୍ଣିଙ୍କୁ ମହାମଣ୍ଡଳେଶ୍ୱର ପଦ ଦିଆଯିବା ପରଠୁ ଅଖାଡାରେ ବିବାଦ ବଢି ଥିଲା । ଆଉ ଆଜି ନିଜକୁ କିନ୍ନର ଅଖାଡାର ସଂସ୍ଥାପକ କହୁଥିବା ଅଜୟ ଦାସ ମମତାଙ୍କୁ ମହାମଣ୍ଡଳେଶ୍ୱରରୁ ବିଦା କରିଛନ୍ତି ।
ସୂଚନାଯୋଗ୍ୟ, ଅଭିନେତ୍ରୀ ମମତା କୁଲକର୍ଣ୍ଣି କିଛି ଦିନ ପୂର୍ବେ ପ୍ରୟାଗରାଜ କୁମ୍ଭମେଳାରେ ମହାମଣ୍ଡଳେଶ୍ୱର ହୋଇଥିଲେ । ମହାକୁମ୍ଭରେ ସଙ୍ଗମ ସ୍ନାନ ଓ ପିଣ୍ଡ ଦାନ ପରେ କିନ୍ନର ଅଖାଡାର ଆଚାର୍ଯ୍ୟ ଡ. ଲକ୍ଷ୍ମୀ ନାରାୟଣ ତ୍ରିପାଠୀ ମମତାଙ୍କୁ ପଟ୍ଟାଭିଷେକ କରାଇ ନାମକରଣ କରାଇଥିଲେ । ସେ କହିଥିଲେ, ମମତା ପ୍ରାୟ ଦେଢ ବର୍ଷ ଧରି ଆମ ଲୋକଙ୍କ ସଂପର୍କରେ ଥିଲେ । ଏହା ପୂର୍ବରୁ ସେ ଜୁନା ଅଖାଡାରେ ମହାମଣ୍ଡଳେଶ୍ୱର ସହିତ ରହିଥିଲେ । ତାଙ୍କ ଗୁରୁ ବ୍ରହ୍ମାଲୀନ ହେବା ପରେ ତାଙ୍କୁ ଉଚିତ୍ ଦିଗ ମିଳୁ ନ ଥିଲା । ଏବେ ମମତା ପୂର୍ଣ୍ଣ ରୂପେ ସନାତନ ପାଲଟିଛନ୍ତି ।