ନୂଆଦିଲ୍ଲୀ: ପଞ୍ଜାବ ଫିରୋଜପୁର-ଫାଜିଲ୍କା ଜାତୀୟ ରାଜପଥରେ ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଛି । ଯେଉଁଥିରେ ୮ ଜଣଙ୍କ ଜୀବନ ଯାଇଥିବାବେଳେ ୧୫ରୁ ଉର୍ଦ୍ଧ୍ୱ ଯାତ୍ରୀ ଗୁରୁତର ଆହତ ହୋଇଛନ୍ତି । ସମସ୍ତଙ୍କୁ ଉଦ୍ଧାର କରି ନିକଟସ୍ଥ ମେଡ଼ିକାଲରେ ଭର୍ତ୍ତି କରାଯାଇଛି । ଏକ ପିକ୍ ଅପ୍ ଗାଡ଼ି ଏବଂ କ୍ୟାଣ୍ଟର୍ ମଧ୍ୟରେ ଭୀଷଣ ଧକ୍କା ହେବାରୁ ଏପରି ହୋଇଥିବା ଜଣାପଡ଼ିଛି ।
ଫିରୋଜପୁର-ଫାଜିଲ୍କା ଜାତୀୟ ରାଜପଥରେ ଗୋଲୁକା ମୋଡ଼ ନିକଟରେ ଶୁକ୍ରବାର ସକାଳ ପ୍ରାୟ ୭ଟା ୪୫ ସମୟରେ ଏକ ପିକ୍ ଅପ୍ ଗାଡ଼ି ଓ କ୍ୟାଣ୍ଟର୍ ମଧ୍ୟରେ ଧକ୍କା ହୋଇଥିଲା । ପିକ୍ ଗାଡ଼ିରେ ୧୫ ଜଣ ୱେଟର୍ ଥିଲେ । ସେମାନେ ଜଲାଲାବାଦକୁ ଏକ କାର୍ଯ୍ୟକ୍ରମରେ ଯୋଗ ଦେବାକୁ ଯାଉଥିଲେ । ରାସ୍ତର ଗୋଟିଏ ପାର୍ଶ୍ୱରେ ଥିବା କ୍ୟାଣ୍ଟରକୁ ଉକ୍ତ ଗାଡ଼ି ପଛ ପଟୁ ଧକ୍କା ଦେଇଥିଲା । ଫଳରେ ୮ ଜଣଙ୍କର ଘଟଣା ସ୍ଥଳରେ ହିଁ ପ୍ରାଣ ବାୟୁ ଉଡ଼ିଯାଇଥିଲା ।
ଦୁର୍ଘଟଣାର ଶବ୍ଦ ଏତେ ତୀବ୍ର ଥିଲା ଯେ ଆଖପାଖରେ ଥିବା ସମସ୍ତ ଘରର ସଦସ୍ୟମାନେ ବାହାରକୁ ବାହାରି ଆସିଥିଲେ । ଖବର ପାଇ ସ୍ଥାନୀୟ ପୋଲିସ ଓ ସଡ଼କ ସୁରକ୍ଷା ଟିମ୍ ଘଟଣା ସ୍ଥଳରେ ପହଁଚି ସ୍ଥାନୀୟ ଲୋକଙ୍କ ସହାୟତାରେ ଉଦ୍ଧାର କାର୍ଯ୍ୟ ତୁରନ୍ତ ଆରମ୍ଭ କରିଥିଲେ । ଗୁରୁତର ଆହତଙ୍କୁ ଉଦ୍ଧାର କରି ଆମ୍ବୁଲାନ୍ସ ଯୋଗେ ଫିରୋଜପୁର, ଫରୀଦକୋଟ, ଜଲାଲାବାଦ ଏବଂ ଗୁରୁହରସହାୟ ମେଡ଼ିକାଲରେ ଭର୍ତ୍ତି କରାଯାଇଛି । ତେବେ ମୃତକଙ୍କ ପରିଚୟ ମିଳି ପାରି ନ ଥିବା ଡିଏସପି ସତନାମ ସିଂହ କହିଛନ୍ତି ।