ନୂଆଦିଲ୍ଲୀ: ସଂସଦର ବଜେଟ୍ ଅଧିବେଶନ ଆଜିଠାରୁ ଆରମ୍ଭ ହେଉଛି। ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କ ଅଭିଭାଷଣରୁ ଆରମ୍ଭ ହେବାକୁ ଥିବା ବଜେଟ୍ ଅଧିବେଶନର ପ୍ରଥମ ଦିନରେ ଅର୍ଥନୈତିକ ସର୍ଭେ ଉପସ୍ଥାପନ କରାଯିବ। ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ୨୦୨୪-୨୫ ଆର୍ଥିକ ବର୍ଷ ପାଇଁ ଅର୍ଥନୈତିକ ସମୀକ୍ଷା ଉପସ୍ଥାପନ କରିବେ, ଯାହାମୁଖ୍ୟ ଅର୍ଥନୈତିକ ପରାମର୍ଶଦାତା ଭି ଅନନ୍ତ ନାଗେଶ୍ୱରନଙ୍କ ନେତୃତ୍ୱରେ ଏକ ଟିମ୍ ପ୍ରସ୍ତୁତ କରିଛି।
ମୋଦୀ ସରକାର ବିକଶିତ ଭାରତକୁ ଲକ୍ଷ୍ୟ ରଖି ବଜେଟ୍ ପ୍ରସ୍ତୁତ କରିବେ ବୋଲି ଦେଶବାସୀ ଆଶା ରଖିଛନ୍ତି। ଏହି ଆଧାରରେ ଦେଶର ଜନତା ଶିକ୍ଷା, ସ୍ବାସ୍ଥ୍ୟ, ଗମନାଗମନ, କୃଷି, ଶିଳ୍ପ, ବାଣିଜ୍ୟ, ପରିବହନ, ପର୍ଯ୍ୟଟନ, ମହିଳା ସଶକ୍ତୀକରଣ କ୍ଷେତ୍ରରେ ଉନ୍ନତମାନର ବ୍ୟବସ୍ଥା ଆଶା ରଖୁଛନ୍ତି।
ରାଷ୍ଟ୍ରପତି ଆଜି ପୂର୍ବାହ୍ନ ୧୧ଟାରେ ଅଭିଭାଷଣ ରଖିବେ। ବଜେଟ୍ ଅଧିବେଶନର ପ୍ରଥମ ଦିନରେ ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ସଂସଦରେ ଅର୍ଥନୈତିକ ସର୍ଭେ ଉପସ୍ଥାପନ କରିବେ। ଉପଲବ୍ଧ କାର୍ଯ୍ୟସୂଚୀ ଅନୁଯାୟୀ ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ଅପରାହ୍ନରେ ଗୃହ ଟେବୁଲରେ ଅର୍ଥନୈତିକ ସର୍ଭେ ଉପସ୍ଥାପନ କରିପାରନ୍ତି। ଅପରାହ୍ନ ପ୍ରାୟ ଗୋଟାଏ ବେଳେ ଅର୍ଥମନ୍ତ୍ରୀ ସଂସଦରେ ଅର୍ଥନୈତିକ ସର୍ଭେ ଉପସ୍ଥାପନ କରିବେ।
ବଜେଟ୍ ଅଧିବେଶନର ପ୍ରଥମ ଦିନରେ ଭାରତୀୟ ଜନତା ପାର୍ଟି (ବିଜେପି)ର ରାଷ୍ଟ୍ରୀୟ ଅଧ୍ୟକ୍ଷ ତଥା ସ୍ୱାସ୍ଥ୍ୟମନ୍ତ୍ରୀ ଜେପି ନଡ୍ଡା ଜାତୀୟ ଗଣତାନ୍ତ୍ରିକ ମେଣ୍ଟର ସାଂସଦମାନଙ୍କର ଏକ ବୈଠକ ଡକାଇଛନ୍ତି। ଅପରାହ୍ନ ୧ଟା ୩୦ରେ ଜେପି ନଡ୍ଡା ଏନଡିଏ ସାଂସଦଙ୍କ ବୈଠକ ଡାକିଛନ୍ତି।
ଆଜିଠାରୁ ଆରମ୍ଭ ହେବାକୁ ଥିବା ସଂସଦୀୟ ବଜେଟ୍ ଅଧିବେଶନର ପ୍ରଥମ ପର୍ଯ୍ୟାୟ ଫେବ୍ରୁଆରି ୧୩ ପର୍ଯ୍ୟନ୍ତ ଚାଲିବ। ଦିଲ୍ଲୀ ବିଧାନସଭା ନିର୍ବାଚନ ପାଇଁ ମତଦାନ ଯୋଗୁଁ ଫେବ୍ରୁଆରି ୫ତାରିଖରେ ସଂସଦୀୟ କାର୍ଯ୍ୟ ହେବ ନାହିଁ। ବଜେଟ୍ ଅଧିବେଶନର ଦ୍ୱିତୀୟ ପର୍ଯ୍ୟାୟ ମାର୍ଚ୍ଚ ୧୦ତାରିଖରୁ ଆରମ୍ଭ ହେବ।