ନୂଆଦିଲ୍ଲୀ: ମହାକୁମ୍ଭର ମହାସଙ୍ଗମରେ ବୁଡ଼ ପକାଇଲେ, ସବୁ କିଛି ଭଲରେ ଭଲରେ ସମ୍ପନ୍ନ ହେଲା, କିନ୍ତୁ ଘରେ ପହଁଚି ପାରିଲେନି । ସଡ଼କ ଦୁର୍ଘଟଣାରେ ଚାଲିଗଲା ୬ ଶ୍ରଦ୍ଧାଳୁଙ୍କ ଜୀବନ । ଏଭଳି ଏକ ଦୁଃଖଦ ଘଟଣା ଘଟିଛି ଉତ୍ତର ପ୍ରଦେଶ ଗାଜୀପୁରରେ ।
ମହାକୁମ୍ଭରୁ ଫେରୁଥିବାବେଳେ ଶୁକ୍ରବାର ଏକ ବଡ଼ ଦୁର୍ଘଟଣା ହୋଇଛି । ଗୋରଖପୁରର ବାଂସଗାଓଁ ଅଞ୍ଚଳର ହଲଦିଚକ ଏବଂ ବାଲୋଚକରୁ ୨୨ ଜଣ ଶ୍ରଦ୍ଧାଳୁ ଏକ ପିକ୍ ଅପ୍ ପ୍ରୟାଗରାଜ ଯାଇଥିଲେ । ମହାକୁମ୍ଭରୁ ସ୍ନାନ ସାରି ଶ୍ରଦ୍ଧାଳୁମାନେ ଗୋଖପୁର ଫେରୁଥିଲେ । ବାରଣାସୀ-ଗାଜୀପୁର-ଗୋରଖପୁର ଚାରି ଥାକିଆ ରାସ୍ତାରେ ଯାଉଥିବା ସମୟରେ ନନ୍ଦଗଞ୍ଜ କୁସମହୀ ନିକଟରେ ଅଟୋର ଡାଲା ଖୋଲି ଯାଇଥିଲା । ଫଳରେ ଶ୍ରଦ୍ଧାଳୁମାନେ ତଳେ ପଡ଼ିଯାଇଥିଲେ । ଏହି ସମୟରେ ରାସ୍ତାରେ ଯାଉଥିବା ଏକ ଟ୍ରକ୍ ସେମାନଙ୍କ ଉପରେ ମାଡ଼ିଯାଇଥିଲା । ଫଳରେ ୬ ଜଣଙ୍କର ପ୍ରାଣବାୟୁ ଉଡ଼ିଯାଇଥିଲା । ୮ ଲୋକ ଗୁରୁତର ହୋଇପଡ଼ିଛନ୍ତି ।
ଖବର ପାଇ ପୋଲିସ ଏବଂ ଜିଲ୍ଲାପାଳ ଆର୍ଯ୍ୟକା ଅଖୌରୀ ତୁରନ୍ତ ଘଟଣା ସ୍ଥଳରେ ପହଁଚି ମୃତ ଦେହ ଜବତ କରିବା ସହିତ ଗୁରୁତରଙ୍କୁ ଉଦ୍ଧାର କରି ରାଜକୀୟ ମେଡ଼ିକାଲ କଲେଜରେ ଭର୍ତ୍ତି କରିଛନ୍ତି । ମୃତକଙ୍କ ପରିଚୟ ମିଳି ପାରି ନ ଥିବାବେଳେ ପୋଲିସ ତଦନ୍ତ ଆରମ୍ଭ କରିଛି ।
ତେବେ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ମୃତକଙ୍କ ପରିବାରକୁ ସମବେଦନା ଜଣାଇବା ସହିତ ଘଟଣାକୁ ଅତ୍ୟନ୍ତ ଦୁର୍ଭାଗ୍ୟପୂର୍ଣ୍ଣ ବୋଲି କହିଛନ୍ତି । ଗୁରୁତର ଉଚିତ ଚିକିତ୍ସା ସେବା ଯୋଗାଇ ଦେବାକୁ ନିର୍ଦ୍ଦେଶ ଦେବା ସହିତ ଆଶୁ ଆରୋଗ୍ୟ କାମନା କରିଛନ୍ତି ।
ଅଧିକ ପଢ଼ନ୍ତୁ:ରାସ୍ତା କଡ଼ରେ ଥିବା କ୍ୟାଣ୍ଟର୍ ପିଟିଲା ପିକ୍ ଅପ୍ ଭ୍ୟାନ୍, ୮ ମୃତ, ୧୫ରୁ ଉର୍ଦ୍ଧ୍ୱ ଗୁରୁତର
ଅନ୍ୟପକ୍ଷରେ ଆଜି ସକାଳେ ପଞ୍ଜାବ ଫିରୋଜପୁର-ଫାଜିଲ୍କା ଜାତୀୟ ରାଜପଥରେ ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଛି । ଯେଉଁଥିରେ ୮ ଜଣଙ୍କ ଜୀବନ ଯାଇଥିବାବେଳେ ୧୫ରୁ ଉର୍ଦ୍ଧ୍ୱ ଯାତ୍ରୀ ଗୁରୁତର ଆହତ ହୋଇଥିଲେ । ରାସ୍ତର ଗୋଟିଏ ପାର୍ଶ୍ୱରେ ଛିଡ଼ା ହୋଇଥିବା କ୍ୟାଣ୍ଟରକୁ ପିକ୍ ଅପ୍ ଭ୍ୟାନ୍ ଧକ୍କା ଦେବାରୁ ଦୁର୍ଘଟଣା ଘଟିଥିଲା ।