ନୂଆଦିଲ୍ଲୀ: ବଜେଟ୍ ଅଧିବେଶନର ଶୁଭାରମ୍ଭ ଅବସରରେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଆଜି ସଂସଦର ଉଭୟ ଗୃହକୁ ସମ୍ବୋଧିତ କରୁଛନ୍ତି। ଫେବ୍ରୁଆରି ପହିଲାରେ କେନ୍ଦ୍ରୀୟ ବଜେଟ୍ ଉପସ୍ଥାପନ କରାଯିବ। ବଜେଟ୍ ଅଧିବେଶନର ଗୋଟିଏ ଦିନ ପୂର୍ବରୁ ଗୁରୁବାର ସରକାର ସମସ୍ତ ରାଜନୈତିକ ଦଳର ନେତାମାନଙ୍କୁ ନେଇ ଏକ ବୈଠକ ଡାକିଥିଲେ। ଚଳିତ ବଜେଟ୍ ଅଧିବେଶନରେ ସରକାର ୱାକଫ୍ ସଂଶୋଧନ ବିଲ୍ ସମେତ ଅନେକ ଗୁରୁତ୍ୱପୂର୍ଣ୍ଣ ବିଲ୍ ଉପସ୍ଥାପନ କରିପାରନ୍ତି। ଏହାବ୍ୟତୀତ ସରକାର ଆଉ ୧୬ଟି ବିଲ୍ ଉପସ୍ଥାପନ କରିପାରନ୍ତି। ତେବେ ବଜେଟ୍ ପୂର୍ବରୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ପ୍ରତିକ୍ରିୟା ଦେଇଛନ୍ତି।
ପ୍ରଧାନମନ୍ତ୍ରୀ କହିଛନ୍ତି, ଆଜି ବଜେଟ୍ ଅଧିବେଶନର ଆରମ୍ଭରେ ମୁଁ ସମୃଦ୍ଧିର ଦେବୀ ମା' ଲକ୍ଷ୍ମୀଙ୍କୁ ପ୍ରଣାମ କରୁଛି। ଏଭଳି ଅବସରରେ ମା' ଲକ୍ଷ୍ମୀଙ୍କୁ ଶହ ଶହ ବର୍ଷ ଧରି ଏଠାରେ ସ୍ମରଣ କରାଯାଇ ଆସୁଛି। ମା' ଲକ୍ଷ୍ମୀ ସଫଳତା ଦିଅନ୍ତି। ମା' ଲକ୍ଷ୍ମୀ ଗରିବ ଓ ମଧ୍ୟବିତ୍ତବର୍ଗଙ୍କ ଉପରେ ବିଶେଷ କୃପା ଜାରି ରଖନ୍ତୁ।
ପ୍ରଧାନମନ୍ତ୍ରୀ ମୋଦୀ କହିଛନ୍ତି, ଏହି ବଜେଟ୍ ବିକଶିତ ଭାରତର ଆତ୍ମବିଶ୍ୱାସ ବୃଦ୍ଧି କରିବ। ସମୃଦ୍ଧିର ଦେବୀ ମା' ଲକ୍ଷ୍ମୀଙ୍କୁ ନମସ୍କାର, ତୃତୀୟ ପାଳିରେ ସରକାରଙ୍କ ମିଶନ ମୋଡ। ଆମର ଲକ୍ଷ୍ୟ ହେଉଛି ସାମଗ୍ରିକ ବିକାଶ। ଆମ ଦେଶ ଏକ ଯୁବ ଦେଶ... ଏହା ହେଉଛି ଯୁବ ଶକ୍ତି। ଆଜି ୨୦-୨୫ ବର୍ଷ ବୟସ୍କ ଯୁବକମାନେ ୪୫-୫୦ ବର୍ଷ ବୟସରେ ବିକଶିତ ଭାରତର ସବୁଠାରୁ ବଡ଼ ହିତାଧିକାରୀ ହେବେ।
ସଂସଦର ବଜେଟ୍ ଅଧିବେଶନ ପୂର୍ବରୁ ପ୍ରଧାନମନ୍ତ୍ରୀ ମୋଦୀ କହିଥିଲେ, ବନ୍ଧୁଗଣ, ଆମ ଗଣତନ୍ତ୍ର୭୫ ବର୍ଷ ପୂରଣ କରିଛି। ଦେଶର ଜନତା ମୋତେ ତୃତୀୟ ଥର ପାଇଁ ଏହି ଦାୟିତ୍ୱ ଦେଇଛନ୍ତି। ଏହି ତୃତୀୟ ପାଳିର ଏହା ହେଉଛି ପ୍ରଥମ ପୂର୍ଣ୍ଣାଙ୍ଗ ବଜେଟ୍। ମୁଁ ବିଶ୍ୱାସ ସହ କହିପାରିବି ଯେ ୨୦୪୭ରେ ଯେତେବେଳେ ଆମେ ସ୍ୱାଧୀନତାର ୧୦୦ ବର୍ଷ ପୂର୍ତ୍ତି ପାଳନ କରିବ, ସେତେବେଳେ ଦେଶ ନେଇଥିବା ବିକଶିତ ଭାରତର ସଂକଳ୍ପ ଚଳିତ ବଜେଟ ଅଧିବେଶନରେ ପୂରଣ ହେବ ଏବଂ ଏହି ବଜେଟ୍ ଏକ ନୂତନ ଆତ୍ମବିଶ୍ୱାସ ସୃଷ୍ଟି କରିବ। ଏହା ନୂଆ ଶକ୍ତି ପ୍ରଦାନ କରିବ ଯେ ଦେଶ ସ୍ୱାଧୀନତାର ୧୦୦ ବର୍ଷ ପୂର୍ତ୍ତି ପାଳନ କଲେ ଏହାର ବିକାଶ ହେବ। ୧୪୦ କୋଟି ଦେଶବାସୀ ସାମୂହିକ ଉଦ୍ୟମ ରେ ଏହି ସଂକଳ୍ପକୁ ପୂରଣ କରିବେ।