ପୁଣେ: ହାର୍ଦ୍ଦିକ ପାଣ୍ଡ୍ୟା ଓ ଶିବମ ଦୁବେଙ୍କ ବିସ୍ଫୋରକ ଅର୍ଦ୍ଧଶତକ ପରେ ରବି ବିଷ୍ଣୋଇ ଏବଂ ହର୍ଷିତ ରାଣାଙ୍କ ଶାଣିତ ବୋଲିଂ ଦମରେ ଭାରତ ଏଠାରେ ଖେଳା ଯାଇଥିବା ଚତୁର୍ଥ ଟି-୨୦ ମ୍ୟାଚରେ ଇଂଲଣ୍ଡକୁ ୧୫ ରନରେ ହରାଇଛି । ଏହି ବିଜୟ ସହ ଭାରତ ପାଞ୍ଚ ମ୍ୟାଚ୍ ବିଶିଷ୍ଟ ଟି-୨୦ ସିରିଜକୁ ଜିତିବା ସହ ୩-୧ରେ ଅଗ୍ରଣୀ ହାସଲ କରିଛି । ଏହା ସହିତ ଭାରତ ୨୦୧୯ଠୁ ଏ ପର୍ଯ୍ୟନ୍ତ ଘରୋଇ ମାଟିରେ ସିରିଜ୍ ଜିତିବାର ରେକର୍ଡ ନିଜ ନାଁରେ କରିଛି । ଏହାକୁ ମିଶାଇ ଭାରତ ଘରୋଇ ମାଟିରେ ଲଗାତାର ୧୭ ସିରିଜ୍ ଜିତି ସାରିଲାଣି ।
ଆଜିର ମ୍ୟାଚରେ ଟସ୍ ହାରି ପ୍ରଥମେ ବ୍ୟାଟିଂ କରିଥିବା ଭାରତ ପାଣ୍ଡ୍ୟାଙ୍କ ୫୩ ରନ ଓ ଶିବମ ଦୁବେଙ୍କ ୫୩ ରନ ବଳରେ ନିର୍ଦ୍ଧାରିତ ଓଭରରେ ୯ ୱିକେଟ୍ ହରାଇ ୧୮୧ ରନ କରିଥିଲା । ଜବାବରେ ଇଂଲଣ୍ଡ ୧୯.୪ ଓଭରରେ ୧୬୬ ରନରେ ଅଲଆଉଟ୍ ହୋଇଛି । ଦଳ ପକ୍ଷରୁ ହ୍ୟାରି ବ୍ରୁକ ୫୧ ରନର ବିସ୍ଫୋରକ ଇନିଂସ ଖେଳିଥିବା ବେଳେ ବେନ ଡକେଟ୍ ୩୯ ରନ କରିଥିଲେ । ବୋଲିଂରେ ଭାରତ ପକ୍ଷରୁ ଅର୍ଶଦୀପ ସିଂ ୩ ଓ ହର୍ଷିତ ରାଣା ୩ ୱିକେଟ୍ ନେଇ ଦଳ ବିଜୟରେ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିଛନ୍ତି । ଫେବୃଆରୀ ୩ରେ ସିରିଜର ଶେଷ ଟି-୨୦ ମ୍ୟାଚ୍ କେବଳ ଔପଚାରିକତା ବାକି ରହିଛି ।
୧୮୨ ରନର ବିଜୟ ଲକ୍ଷ୍ୟ ପିଛା କରିବାକୁ ଓହ୍ଲାଇଥିବା ଇଂଲଣ୍ଡର ଦୁଇ ଓପନର ବେନ ଡକେଟ୍ ଓ ଫିଲିପ୍ ସଲ୍ଟ ଆରମ୍ଭରୁ ଧୂଆଁଧାର ବ୍ୟାଟିଂ କରି ଭାରତକୁ ଚାପରେ ରଖିଥିଲେ । ଦୁଇ ବ୍ୟାଟର ୬ ଓଭରରେ ୬୧ ରନ ଯୋଡି ବିଜୟ ପାଇଁ ମୂଳଦୁଆ ପକାଇଥିଲେ । ତେବେ ବେନ ଡକେଟଙ୍କୁ ଆଉଟ୍ କରି ରବି ବିଷ୍ଣୋଇ ଭାରତକୁ ବଡ ସଫଳତା ଦେଇଥିଲେ । ଡକେଟ୍ ମାତ୍ର ୧୯ ବଲରୁ ୭ ଚୌକା ଓ ୧ ଛକା ଜରିଆରେ ୩୯ ରନର ଧୂଆଁଧାର ଇନିଂସ ଖେଳିଥିଲେ । ପ୍ରଥମ ୱିକେଟ୍ ପତନ ପରେ ଇଂଲଣ୍ଡ ଇନିଂସ ଦିଗହରା ହୋଇ ପଡିଥିଲା । ଫିଲିପ ସଟ୍ ୨୩ ରନ କରି ଅକ୍ଷର ପଟେଲଙ୍କ ବଲରେ କ୍ଲିନ ବୋଲ୍ଡ ହୋଇଥିଲେ ।
ଏହା ପରେ ଅଧିନାୟକ ଜୋସ ବଟଲର(୨ ରନ)ଙ୍କୁ ନିଜର ଦ୍ୱିତୀୟ ଶିକାର କରିଥିଲେ ରବି ବିଷ୍ଣୋଇ । ମଧ୍ୟକ୍ରମରେ ହ୍ୟାରି ବ୍ରୁକଙ୍କୁ ବାଦ୍ ଦେଲେ ଅନ୍ୟ ବ୍ୟାଟର କ୍ରିଜରେ ତିଷ୍ଠି ପାରି ନ ଥିଲେ । ବ୍ରୁକ ବିସ୍ଫୋରକ ବ୍ୟାଟିଂ କରି ମାତ୍ର ୨୬ ବଲରୁ ୫ ଚୌକା ଓ ୨ଛକା ସହ ୫୧ ରନର ଇନିଂସ ଖେଳି ଦଳର ବିଜୟ ଆଶା ଉଜ୍ଜୀବିତ ରଖିଥିଲେ । ତେବେ ଶେଷ ଆଡକୁ ଜେମି ଓଭରଟନ ୧୯ ଓ ଆଦିଲ ରସିଦ ୧୦ ରନ କରିଥିଲେ ହେଁ ତାହା ଦଳ ପାଇଁ ପର୍ଯ୍ୟାପ୍ତ ନ ଥିଲା । ଶେଷରେ ୧୯.୪ ଓଭରରେ ଇଂଲଣ୍ଡ ଅଲଆଉଟ୍ ହୋଇଥିଲା । ଆଉ ଭାରତ ମ୍ୟାଚକୁ ୧୫ ରନରେ ଜିତି ସିରିଜ କବଜା କରିଛି । ବୋଲିଂରେ ଭାରତ ପକ୍ଷରୁ ରବି ବିଷ୍ଣୋଇ ୪ ଓଭରରେ ୨୮ ରନ ଦେଇ ୩ଟି ୱିକେଟ ନେଇଥିବା ବେଳେ ହର୍ଷିତ ରାଣା ସମାନ ୪ ଓଭରରେ ୩୩ ରନ ବ୍ୟୟ କରି ୩ ସଫଳତା ପାଇଥିଲେ ।