ସମ୍ବଲପୁର: ସମ୍ବଲପୁର ଜିଲ୍ଲା ସମର୍ଥ ଅନୁଷ୍ଠାନରେ ନିର୍ଯ୍ୟାତନା ଅଭିଯୋଗ ଆସିବା ପରେ ସମସ୍ତ ଅନ୍ତେବାସୀଙ୍କୁ ସ୍ଥାନାନ୍ତର କରାଯାଇଛି ।ସମସ୍ତ ୪୨ ଜଣ ଅନ୍ତେବାସୀଙ୍କୁ ସ୍ଥାନାନ୍ତର କରାଯାଇଛି । ସେମାନଙ୍କ ମଧ୍ୟରେ ୧୫ ଜଣ ମହିଳା ଓ ୨୭ ଜଣ ରହିଛନ୍ତି । ବେଇଜାମୁଣ୍ଡାସ୍ଥିତ ସରକାରୀ ଇଣ୍ଟିଗ୍ରେଟେଡ୍ ଇନଫ୍ରାଷ୍ଟ୍ରକ୍ଚର୍ କମ୍ଲେକ୍ସରେ ରଖାଯାଇଛି । ପରିଚୟ ଓ ସମ୍ବଳ ସେଚ୍ଛାସେବୀ ସଂଗଠନ ଏମାନଙ୍କର ଦେଖାଶୁଣା କରିବେ । ଏ ନେଇ ଜିଲ୍ଲାପାଳ ସିଦ୍ଧେଶ୍ୱର ବଳିରାମ ବୋନ୍ଦର ସୂଚନା ଦେଇଛନ୍ତି ।
ପୂର୍ବରୁ ଏହି ମାମଲାରେ ପୋଲିସ ସମର୍ଥର ସମ୍ପାଦକ ହରିଶ ଚନ୍ଦ୍ର ଦାସ ଓ ତାଙ୍କ ପତ୍ନୀଙ୍କୁ ଗିରଫ କରିଛି । ଅନ୍ତେବାସୀଙ୍କୁ ଦୁଷ୍କର୍ମ କରିଥିବା ନେଇ ମଧ୍ୟ ଧନୁପାଲି ଥାନାରେ ମାମଲା ରୁଜୁ ହୋଇଛି । ସମର୍ଥ ଅନୁଷ୍ଠାନର ଅଧ୍ୟକ୍ଷ ଓ କେୟାରଟେକର ଅନ୍ତେବାସୀଙ୍କୁ ନିର୍ଯ୍ୟାତନା ଦେବା ବେଳର ଭିଡ଼ିଓ ଭାଇରାଲ ହୋଇଥିଲା । ଜଣେ ମାନସିକ ଅନଗ୍ରସର ମହିଳାଙ୍କୁ ଉଭୟ ସମ୍ପାଦକ ଓ ତାଙ୍କ ସ୍ତ୍ରୀ ନିସ୍ତୁକ ମାଡ ମାରିବାର ଦୃଶ୍ୟ ସୋସିଆଲ ମିଡିଆରେ ଘୂରି ବୁଲିଥିଲା । ଜିଲ୍ଲାପାଳଙ୍କ ନିର୍ଦ୍ଦେଶ କ୍ରମେ ସମର୍ଥ ଅନୁଷ୍ଠାନକୁ କଳା ତାଲିକାଭୁକ୍ତ କରାଯାଇ ସମ୍ପାଦକ ହରିଶ ଚନ୍ଦ୍ର ଦାସ ଏବଂ ସହାୟିକା ସ୍ୱାଗତିକା ପ୍ରଧାନଙ୍କୁ ପୋଲିସ ଗିରଫ କରିଥିଲା ।