ଯାଜପୁର: ପରିବାର ଲୋକଙ୍କୁ ନିଶା ଦେଇ ନାବାଳିକା ପ୍ରେମିକ ସହ ଫେରାର ହେବା ଘଟଣାରେ ଦୁଇ ସାନ ଭଉଣୀଙ୍କ ଅବସ୍ଥା ଗୁରୁତର ହୋଇପଡ଼ିଛି । ସେମାନଙ୍କୁ କଟକ ଶିଶୁ ଭବନକୁ ସ୍ଥାନାନ୍ତର କରାଯାଇଛି । ଉଭୟଙ୍କ ବୟସ ୮ ଓ ୫ ବର୍ଷ ହେବ ବୋଲି ଜଣାପଡ଼ିଛି । ଏ ନେଇ ଏଡିଏମ୍ ସୂଚନା ଦେଇଛନ୍ତି । ଅନ୍ୟପକ୍ଷରେ ଜିଲ୍ଲା ଶିଶୁ ସୁରକ୍ଷା ସମିତି ମଧ୍ୟ ମାମଲାରେ ଯାଞ୍ଚ କରିବାର ସୂଚନା ରହିଛି । ପୋଲିସ ଏହି ମାମଲାରେ ତଦନ୍ତ ଜାରି ରଖିଛି ।
ସୂଚନା ଅନୁଯାୟୀ, ଯାଜପୁର ଜିଲ୍ଲା କୁଆଖିଆ ଥାନା ନଠୁଆବର ଗାଁର ବିଜୟ ସେଠୀଙ୍କ ୧୩ ବର୍ଷର ନାବାଳିକା ଝିଅ ନିଜ ପ୍ରେମିକ ସହ ଫେରାର ହେବାକୁ ଯୋଜନା କରିଥିଲା । ବୁଧବାର ରାତିରେ ଝିଅ ଅଣ୍ଡା ତରକାରୀରେ ନିଶା ଔଷଧ ଦେଇଥିଲା । ଏହା ପରେ ଘରୁ ଫେରାର ହୋଇଯାଇଥିଲା । ନିଶା ଔଷଧ ମିଶା ଖାଦ୍ୟ ଖାଇ ପରିବାରର ୫ଜଣ ସଦସ୍ୟ ଚେତାଶୂନ୍ୟ ହୋଇପଡିଥିଲେ । ସକାଳୁ ବିଜୟଙ୍କ ଭାଇ ଡାକିବାରୁ କେହି କବାଟ ଖୋଲି ନ ଥିଲେ । ସନ୍ଦେହ ହେବାରୁ କବାଟ ଖୋଲି ଘର ଭିତରକୁ ଯାଇ ଦେଖିବାରୁ ସମସ୍ତେ ଗୁରୁତର ଅବସ୍ଥାରେ ପଡ଼ିଥିଲେ । ଯାଜପୁର ଯଯାତି କେଶରୀ ମେଡ଼ିକାଲରେ ଭର୍ତ୍ତି କରାଯାଇଥିଲା । ତେବେ ଦୁଇ ଛୋଟ ଛୋଟ ଭଉଣୀଙ୍କ ସ୍ୱାସ୍ଥ୍ୟ ଅବସ୍ଥା ଗୁରୁତର ହୋଇପଡ଼ିଛନ୍ତି । ନାବାଳିକା ଘରୁ ସୁନା ଗହଣା ସହ ୨୨ ହଜାର ଟଙ୍କା ନେଇଯାଇଥିବା ଜଣାପଡ଼ିଛି ।