ଭୁବନେଶ୍ୱର: ଆୟ ବର୍ହିଭୁତ ସମ୍ପତ୍ତି ଠୁଳ କରିବା ଅଭିଯୋଗରେ ଭିଜିଲାନ୍ସ ଟିମ୍ ସୁନ୍ଦରଗଡ଼ ଜିଲ୍ଲା ବଣାଇ ଆଇଟିଡିଏ ବିଭାଗ ପ୍ରକଳ୍ପ ଅଧିକାର ବିଶ୍ୱଦର୍ଶୀ ସାହୁଙ୍କୁ ଗିରଫ କରିଛି । ଜବତ ସମ୍ପତ୍ତିର ସନ୍ତୋଷ ଜନକ ଉତ୍ତର ନ ଦେଇପାରିବାରୁ ଭିଜିଲାନ୍ସ ତାଙ୍କୁ ଗିରଫ କରି ଶୁକ୍ରବାର କୋର୍ଟ ଚାଲାଣ କରିଛି ।
ସରକାରୀ ବାବୁଙ୍କର ଜମି ଉପରେ ଜମି, ସେ ପୁଣି କେଉଁ ଗାଁ ଗହଳିରେ ବରଂ ରାଜଧାନୀରେ । ଭୁବନେଶ୍ୱର ଦାମୀ ଦାମୀ ୯ଟି ପ୍ଲଟ୍ କିଣିଛନ୍ତି ଆଇଟିଡିଏ ପ୍ରକଳ୍ପ ଅଧିକାରୀ ବିଶ୍ୱଦର୍ଶୀ ସାହୁ । ଗୁରୁବାର ହୋଇଥିବା ଭିଜିଲାନ୍ସ ଚଢ଼ଉରେ ଏ ସବୁ ଜମିକୁ ଠାବ କରାଯାଇଛି ।
ଗତକାଲି ଭିଜିଲାନ୍ସ ଟିମ୍ ଆୟ ବର୍ହିଭୁତ ସମ୍ପତ୍ତି ଠୁଳ କରିବା ଅଭିଯୋଗରେ ଆଇଟିଡିଏ ବିଭାଗ ପ୍ରକଳ୍ପ ଅଧିକାର ବିଶ୍ୱଦର୍ଶୀ ସାହୁଙ୍କ ଘରେ କରିଛି ଚଢ଼ଉ କରିଥିଲା । ଭୁବନେଶ୍ୱର, ଯାଜପୁର, ବାଲେଶ୍ୱର ଏବଂ ବଣାଇ କାର୍ଯ୍ୟାଳୟରେ ଯାଞ୍ଚ କରାଯାଇଥିଲା । ଚଢ଼ାଉବେଳେ ତାଙ୍କର ଗୋଟିଏ ଦୁଇ ମହଲା ବିଶିଷ୍ଟ ଘର, ଭୁବନେଶ୍ୱରରେ ୨ଟି ଫ୍ଲାଟ୍, ୯ଟି ଦାମୀ ଜମି ଠାବ କରାଯାଇଛଥିଲା । ସେହିପରି ୧୫୦ ଗ୍ରାମ ସୁନା ସହିତ ୨ ଲକ୍ଷ ୫ ହଜାର ନଗଦ ଟଙ୍କା ଜବତ ହୋଇଛି । ଗୋଟିଏ ଚାରି ଚକିଆ ଟାଟା ଟିଆଗୋ ଗାଡ଼ି ସହିତ ୪ଟି ବାଇକ ମିଳିଛି । ଏହା ସହିତ ତାଙ୍କ ସ୍ତ୍ରୀ ନାମରେ ବାପୁଜୀନଗର ଏସବିଆଇ ବ୍ୟାଙ୍କରେ ଗୋଟିଏ ଲକର୍ ଥିବାବେଳେ ବ୍ୟାଙ୍କ ବୀମା, ପୋଷ୍ଟାଲ ଜମା ଏବଂ ଅନ୍ୟ ନିବେଶ ମଧ୍ୟ ରହିଛି । ଭୁବନେଶ୍ୱର ଓଲଡ୍ ଟାଉନସ୍ଥିତ ଶ୍ରୀରାମ ନଗରରେ ଦୁଇ ମହଲା ଘର ରହିଛି । ସେହିପରି ଲକ୍ଷ୍ମୀସାଗର ଭଗବାନ ଟାୱାରରେ ଗୋଟିଏ ଫ୍ଲାଟ୍ ରହିଥିବାବେଳେ ଖାରବେଳ ନଗରରେ ଇଭିଓସ୍ ଗାଲାକ୍ସିରେ ଫ୍ଲାଟ୍ କିଣିବାକୁ ଅଗ୍ରୀମ ୧୫ ଲକ୍ଷ ୭୫ ହଜାର ଟଙ୍କା ଦେଇଛନ୍ତି । ଏହା ସହିତ ଭୁବନେଶ୍ୱର ଓ ପୁରୀରେ ରହିଛି ଏକାଧିକ ଜମି । ପୁରୁଣା ଭୁବନେଶ୍ୱରରେ ୩ଟି ପ୍ଲଟ୍, କୁକୁଡ଼ାଘାଇ, ବିଜିପୁର, ବଡ଼ଗଡ଼, ପାଇକରାପୁର, ବାଟଗାଁ, ଖୋର୍ଦ୍ଧା ଜଟଣୀ ଅନ୍ତର୍ଗତ ସାହାସପରୁରେ ଗୋଟିଏ ଲେଖାଏଁ ପ୍ଲଟ୍ ରହିଛି ।
ଏହି ଚଢ଼ଉରେ ଜଣେ ସହକାରୀ ଏସପି, ୩ ଜଣ ଡିଏସପି, ୧୦ ଇନସ୍ପେକ୍ଟର ଏବଂ ଅନ୍ୟ ସହକାରୀ କର୍ମଚାରୀମାନେ ସାମିଲ ଥିଲେ । ସୁନ୍ଦରଗଡ଼ ଜିଲ୍ଲା ଭିଜିଲାନ୍ସର ସ୍ୱତନ୍ତ୍ର ବିଚାରପତିଙ୍କ ନିର୍ଦ୍ଦେଶରେ ଏହି ଯାଞ୍ଚ କରାଯାଉଛି ।