କଟକ: ଆସନ୍ତ ୯ ତାରିଖରେ ଅନୁଷ୍ଠିତ ହେବାକୁ ଥିବା ଭାରତ-ଇଂଲଣ୍ଡ ଦିନିକିଆ ମ୍ୟାଚ୍ ପୂର୍ବରୁ କଟକ ବାରବାଟୀ ଷ୍ଟାଡିୟମ ପରିଦର୍ଶନ କରିଛନ୍ତି ମୁଖ୍ୟମନ୍ତ୍ରୀ । ଶୁକ୍ରବାର ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଷ୍ଟାଡିୟମରେ ବିଭିନ୍ନ ପ୍ରସ୍ତୁତିର ସମୀକ୍ଷା କରିଛନ୍ତି । ସମସ୍ତ ପ୍ରସ୍ତୁତିରେ ସନ୍ତୁଷ୍ଟ ଥିବା ପ୍ରତିକ୍ରିୟା ରଖିଛନ୍ତି ମୁଖ୍ୟମନ୍ତ୍ରୀ ଶ୍ରୀଯୁକ୍ତ ମାଝୀ ।
ମୁଖ୍ୟମନ୍ତ୍ରୀ କହିଛନ୍ତି, ନୂଆ ସରକାର ଆସିବା ପରେ ପ୍ରଥମ ଥର ପାଇଁ ବାରବାଟୀରେ କ୍ରିକେଟ୍ ମ୍ୟାଚ୍ ଅନୁଷ୍ଠିତ ହେବାକୁ ଯାଉଛି । ଓସିଏ ସମସ୍ତ ନେତୃବୃନ୍ଦ, ସମ୍ପାଦକ ସଞ୍ଜୟ ବେହେରାଙ୍କ ସମସ୍ତ ଟିମ୍, ଜିଲ୍ଲା ପ୍ରଶାସନ, ଏବଂ କ୍ରିଡ଼ା ମନ୍ତ୍ରୀଙ୍କ ପ୍ରତ୍ୟକ୍ଷ ତତ୍ୱାବଧାନରେ ପ୍ରସ୍ତୁତି ଚାଲିଛି । ସମୟ ଅନୁସାରେ ସମସ୍ତ ପ୍ରସ୍ତୁତି ଚାଲୁଛି । ଏହି ମ୍ୟାଚ୍ ଉତ୍ସାହ ଜନକ ହେବା ସହିତ ସଫଳତା ମିଳିବ ବୋଲି ମୁଖ୍ୟମନ୍ତ୍ରୀ ଆଶାବ୍ୟକ୍ତ କରିଛନ୍ତି ।
ଏହା ସହିତ ମ୍ୟାଚ ପାଇଁ ଓସିଏ ପକ୍ଷରୁ ଅନୁଷ୍ଠିତ ହୋଇଥିବା ଥିମ ସଙ୍ଗ ବା ମ୍ୟୁଜିକ ଭିଡ଼ିଓ ରିଲିଜ ହୋଇଛି । ପ୍ରେମାନନ୍ଦଙ୍କ ସଙ୍ଗୀତ ନିର୍ଦ୍ଦେଶନା ଓ ଋତୁରାଜ ଓ ରାପର ବିଗ ଡିଲ ଙ୍କ କଣ୍ଠଦାନରେ ଏହି ଗୀତଟି ମୁକ୍ତିଲାଭ ହୋଇଛି । ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଏହି ମ୍ୟୁଜିକ ଭିଡ଼ିଓକୁ ଉନ୍ମୋଚିତ କରିଛନ୍ତି ।
ଫେବ୍ରୁଆରୀ ୯ରେ ବାରବାଟୀରେ ଖେଳାଯିବ ଭାରତ-ଇଂଲଣ୍ଡ ଦିନିକିଆ ମ୍ୟାଚ୍ । ଫେବ୍ରୁଆରୀ ୨ ତାରିଖରୁ ଅନଲାଇନ ଟିକେଟ ବିକ୍ରି ଆରମ୍ଭ ହେବ । ଫେବ୍ରୁଆରୀ ୬, ୭,୮ରେ ଅଫଲାଇନ ଟିକେଟ ବିକ୍ରି ହେବ । ଅନ୍ୟପଟେ ବାରବାଟୀ ଷ୍ଟାଡିୟମ୍ ମୁଖ୍ୟ ରାସ୍ତା କଡ଼ରେ ଥିବା ଟିକେଟ୍ କାଉଣ୍ଟର ଗୁଡ଼ିକୁ ସ୍ଥାନାନ୍ତର କରାଯାଇଛି। ଯାହାର ସମ୍ପୂର୍ଣ ତଦାରଖ କରିଛନ୍ତି ଓସିଏର ପ୍ରିନ୍ସିପାଲ କନସଲଟାଣ୍ଟ ବିଷ୍ଣୁ ପ୍ରସାଦ ମହାପାତ୍ର। ଚଳିତ ବର୍ଷ ମ୍ୟାଚରେ ପ୍ରତି ତିନୋଟି ପୁରୁଷ କାଉଣ୍ଟରରେ ଗୋଟିଏ ମହିଳା କାଉଣ୍ଟର ରଖାଯାଇଛି।