କାମାକ୍ଷାନଗର: ଯେଉଁ ମା’ ଦିନେ ଜନ୍ମ ଦେଇଥିଲା ସେହି ମା ବୃଦ୍ଧା ଅବସ୍ଥାରେ ହୋଇପଡ଼ିଛି ଅଲୋଡ଼ା । ଯେଉଁ ମା ନିଜ ପିଲାକୁ ୧୦ ମାସ ୧୦ ଦିନ ନିଜ ଗର୍ଭରେ ରଖିଥିଲ, ସେହି ମାକୁ ଏବେ ପାଖରେ ରଖୁ ନାହାଁନ୍ତି ତିନି ତିନିଟା ଚାକିରିଆ ପୁଅ । ପାଖରେ ତ ରଖିବା ଦୂରରେ କଥା ଗୋଟିଏ ବେଳା ଖାଇବା ଦେବାକୁ ବି ଅରାଜି ପୁଅ । ଯେଉଁ ବୟସରେ ପୁଅମାନେ ମାକୁ ତୀର୍ଥ କରିବାକୁ ନେବା କଥା, ସେହି ବୟସରେ ଏବେ ନ୍ୟାୟ ପାଇଁ ଥାନାର ଦ୍ୱାରସ୍ଥ ହୋଇଛି ବୁଢ଼ୀ ।
ଢେଙ୍କାନାଳ ଜିଲ୍ଲା କାମାକ୍ଷାନଗର ଥାନା ବେଢାପାଳ ଗାଁରେ ଦେଖିବାକୁ ମିଳିଛି ଏମିତି ଏକ ଅଭାବନୀୟ ଘଟଣା। ଅଲୋଡ଼ା ହେଲା ଜନ୍ମ କଲା ମାଆ । ବୃଦ୍ଧା ଜନ୍ମ କଲା ମାଆକୁ ଘରୁ ତଡି ଦେଲେ ତିନି ଚାକିରିଆ ପୁଅ । ଯାହାକୁ ନେଇ ଏବେ ମାମଲା କାମାକ୍ଷାନଗର ଥାନାକୁ ଆସିଛି । ବେଢ଼ାପାଳ ଗ୍ରାମର ସ୍ଵର୍ଗତ ଲୋଚନ ଜେନା ଓ ସ୍ତ୍ରୀ ଦ୍ରୌପଦୀ ଜେନାଙ୍କ ତିନି ପୁଅ । ଜଣେ ବଡ଼ ପୁଅ ସୁରଟରେ କାମ କରୁଥିବାବେଳେ, ମଝିଆ ପୁଅ ସେନାରେ ଚାକିରି କରି ଅବସର ନେଇଛନ୍ତି । ଆଉ ସାନ ପୁଅ ବଡ଼ବିଲରେ ଚାକିରି କରୁଛନ୍ତି । କିନ୍ତୁ ସାମାନ୍ୟ ରାସନ ଚାଉଳ ପାଇଁ ମାଆକୁ ଖାଇବାକୁ ନ ଦେଇ ଘରୁ ତଡି ଦେଇଥିବା ସେ କରିଛନ୍ତି ଅଭିଯୋଗ । ଏପରିକି ସାନ ପୁଅ ମାଆଙ୍କୁ ଜୀବିତ ଅବସ୍ଥାରେ ଶୁଦ୍ଧି କ୍ରିୟା କରିଦେଇଥିବା କହିଥିବା ମଧ୍ୟ ଅଭିଯୋଗ କରିଛନ୍ତି ଦ୍ରୌପଦୀ ।
ଆଜକୁ ୬ ବର୍ଷ ତଳେ ସ୍ୱାମୀଙ୍କ ମୃତ୍ୟୁ ପରେ ଦ୍ରୋପଦୀଙ୍କୁ ବଡ଼ ଓ ମଝିଆ ପୁଅ ୬ ମାସ ଲେଖାଏଁ ପାଳି କରି ପାଖରେ ରଖି ଖାଇବାକୁ ଦେଉଥିଲେ । କିନ୍ତୁ ବୃଦ୍ଧାଙ୍କ ରାସନ କାର୍ଡ ଚାଉଳକୁ ନେଇ ଉଭୟେ ଘରୁ ତଡି ଦେଇଥିଲେ । ନିଜ ସମ୍ପତ୍ତି ନେଇ ଝିଅ ଘରକୁ ଚାଲିଯିବାକୁ କହିଲେ ପୁଅମାନେ ।
ଏ ନେଇ କାମାକ୍ଷାନଗର ଥାନାରେ ଅଭିଯୋଗ ପରେ ପୋଲିସ ପକ୍ଷରୁ ତଦନ୍ତ ଆରମ୍ଭ ହୋଇଛି ।