ବରଗଡ: ପରୀକ୍ଷା ପ୍ରଶ୍ନ ପତ୍ର ଲିକ୍ ର ଚେର ବରଗଡ଼ରୁ ସମ୍ବଲପୁର ଯାଏଁ ଲମ୍ବିଛି । ପରୀକ୍ଷା ପ୍ରଶ୍ନ ପତ୍ର ଲିକ୍ କରିବା ମହଙ୍ଗା ସାବ୍ୟସ୍ତ ହୋଇଛି । ବରଗଡ଼ ଜିଲ୍ଲା ବରପାଲି ମହାବିଦ୍ୟାଳୟରେ ଯୁକ୍ତ ତିନି ଥାର୍ଡ ସେମିଷ୍ଟାର ପରୀକ୍ଷାର ପଲିଟିକାଲ ସାଇନ୍ସ ପ୍ରଶ୍ନପତ୍ର ଲିକ୍ ହେବା ମାମଲାର ପୋଲିସ ବଡ଼ କାର୍ୟ୍ୟାନୁଷ୍ଠାନ ଗ୍ରହଣ କରିଛି । ବରପାଲି ପୋଲିସ କଲେଜର ୧୨ ଜଣଙ୍କୁ ଗିରଫ କରିଛି । ଏଥିରେ ୧୦ ଜଣ ଛାତ୍ର, ସମ୍ବଲପୁର ଜିଲ୍ଲା ନାକଟିଦେଉଳ ମହାବିଦ୍ୟାଳୟର କିରାଣୀ ଆଲୋକ ସାହୁ ଏବଂ ଜଣେ କମ୍ପ୍ୟୁଟର୍ ଦୋକାନୀ ସାମିଲ ଅଛନ୍ତି ।
ମିଳିଥିବା ସୂଚନା ଅନୁସାରେ, ଗତକାଲି ବରଗଡ଼ ଜିଲ୍ଲା ବରପାଲି ମହାବିଦ୍ୟାଳୟରେ ଯୁକ୍ତ ତିନି ଥାର୍ଡ ସେମିଷ୍ଟାର ପଲିଟିକାଲ ସାଇନ୍ସ ପରୀକ୍ଷା ଚାଲୁଥିବାବେଳେ ସ୍କ୍ୱାର୍ଡ ଟିମ୍ ପରିଦର୍ଶନ କରିଥିଲେ । ଯାଞ୍ଚବେଳେ କିଛି ଛାତ୍ରଙ୍କ ପ୍ରଶ୍ନ ପତ୍ର ସମାନ ଥିବା ଦେଖିବାକୁ ମିଳିଥିଲା । ତେଣୁ ପ୍ରଶ୍ନ ପତ୍ର ଲିକ୍ ହୋଇଥିବା ସନ୍ଦେହ ଘନୀଭୂତ ହୋଇଥିଲା । ଏ ନେଇ ମହାବିଦ୍ୟାଳୟର ଅଧ୍ୟକ୍ଷା ସୁଶ୍ରୀ ଜୟନ୍ତୀ ଦାଶ ଥାନାରେ ଅବଗତ ହେବା ପରେ ବରପାଲି ଥାନାରେ ଲିଖିତ ଅଭିଯୋଗ କରିଥିଲେ ।
ଏହାର ଚେର ସମ୍ବଲପୁର ଯାଏଁ ଲମ୍ବିଥିବା ନେଇ ପୋଲିସ ଜାଣିବାକୁ ପାଇଥିଲା । ନାକଟିଦେଉଳ ମହାବିଦ୍ୟାଳୟର କିରାଣୀ ଆଲୋକ ସାହୁ ପ୍ରଶ୍ନ ପତ୍ର ଲିକ୍ କରି ତାକୁ ଜେରକ୍ସ କରି ସବୁ ଛାତ୍ରଙ୍କୁ ବିକ୍ରି କରିଥିବା ଜଣାପଡ଼ିଥିଲା । ଏହା ପରେ ୧୦ ଜଣ ଛାତ୍ରଙ୍କ ସମେତ ୧୨ ଜଣଙ୍କୁ ଗିରଫ କରାଯାଇଛି । ସେଥିରେ କିରାଣୀ ଆଲୋକ ସାହୁ ମଧ୍ୟ ରହିଛନ୍ତି । ପୋଲିସ ଆଇପିସି ୩୧୮(୪), ୬୧୨, ୬୬ ଆଇ ଟି ଆର (୯) ଧାରାରେ ଗିରଫ କରି କୋର୍ଟ ଚାଲାଣ କରିଛି ।