ପାରାଦୀପ: ସରକାରଙ୍କ କଡ଼ା ନିୟମ ସତ୍ତ୍ୱେ ସୁଧୁରୁ ନାହାଁନ୍ତି ଶିକ୍ଷକ ଶିକ୍ଷୟତ୍ରୀ । ବିଦ୍ୟାଳୟ କାନ୍ଥରେ ବଡ଼ ବଡ଼ ଅକ୍ଷରରେ ଦଣ୍ଡମୁକ୍ତ ଅଞ୍ଚଳ ଲେଖା ହୋଇଥିଲେ ମଧ୍ୟ ଖାତିର କରୁ ନାହାଁନ୍ତି ଶିକ୍ଷୟତ୍ରୀ । ପୁଣି ଜଣେ ଛାତ୍ରକୁ ଜଣେ ଶିକ୍ଷୟତ୍ରୀ ନିସ୍ତୁକ ମାଡ଼ ମାରି ଥିବା ନେଇ ଆସିଛି ସଙ୍ଗୀନ ଅଭିଯୋଗ ହୋଇଛି । ଏଭଳି ଏକ ଖବର ଆସିଛି ପାରାଦୀପରୁ । ଏକ ଘରୋଇ ସ୍କୁଲରେ ତୃତୀୟ ଶ୍ରେଣୀ ଛାତ୍ରକୁ ମିଳିଛି ଏମିତି ଦଣ୍ଡ । ଏ ନେଇ ଆଦର୍ଶ ଥାନାରେ ଲିଖିତ ଅଭିଯୋଗ କରିଛନ୍ତି ଅଭିଭାବକ ।
ପାରାଦୀପରେ ଏକ ଘରୋଇ ସ୍କୁଲରେ ଜଣେ ତୃତୀୟ ଶ୍ରେଣୀ ଛାତ୍ର ଗଣିତ ଖାତା ଦେଖାଇ ପାରି ନ ଥିଲେ । ଏ ନେଇ ଶିକ୍ଷୟତ୍ରୀ ଜଣକ ଛାତ୍ରଙ୍କୁ ନିସ୍ତୁକ ମାଡ଼ ମାରିଥିଲେ । ଫଳରେ ତାର ଗୋଡ଼ ଏବଂ ହାତରେ ନୀଳ ଚିହ୍ନ ହୋଇଯାଇଛି । ଛାତ୍ର ଜଣକ ତାଙ୍କ ବାପାଙ୍କୁ ଜଣାଇଥିଲେ । ବାପା ବଳରାମ ନାୟକ ବିଦ୍ୟାଳୟ କର୍ତ୍ତୃପକ୍ଷଙ୍କୁ ଭେଟିବାକୁ ଯାଇଥିଲେ, କିନ୍ତୁ ସେ କୌଣସି ଆଲୋଚନା ନ କରି ତାଙ୍କୁ ବିଦା କରିଦେଇଥିଲେ ।
ଏହା ପରେ ବଳରାମ ଆଦର୍ଶ ଥାନାରେ ଲିଖିତ ଅଭିଯୋଗ କରିଛନ୍ତି । ପୋଲିସ ମାମଲାକୁ ଗ୍ରହଣ କରିବା ସହିତ ଛାତ୍ରଟିର ଡାକ୍ତରୀମାଇନା କରାଇଛି । ପୋଲିସ ମାମଲାର ଯାଞ୍ଚ ଆରମ୍ଭ କରିଛି । ଅନ୍ୟପକ୍ଷରେ ଆଲୋଚନା ନ କରିବା ଅଭିଯୋଗକୁ ଖଣ୍ଡନ କରିଛନ୍ତି ପ୍ରିନ୍ସିପାଲ୍ । ସେ କହିଛନ୍ତି ଯେ ଅଭିଭାବକଙ୍କୁ ପରେ ଆଲୋଚନା କରିବାକୁ କହିଥିବାବେଳେ ସେ ବୁଝିପାରି ନାହାଁନ୍ତି । ପୋଲିସ ମାମଲା ହେବା ପରେ ପ୍ରିନ୍ସିପାଲ୍ ଅଭିଭାବକଙ୍କୁ ଆଲୋଚନା ପାଇଁ ଡାକିଥିବା ଜଣାପଡ଼ିଛି ।
ଏଠାରେ ଉଲ୍ଲେଖ ଯୋଗ୍ୟ, ପୁରୀ ଜିଲ୍ଲା ପିପିଲି ବ୍ଲକ୍ ପୋପରଙ୍ଗ ବିଦ୍ୟାଳୟରେ ଜଣେ ଛାତ୍ର ପ୍ରଶ୍ନର ଉତ୍ତର ନ ଦେଇପାରିବାରୁ ଶିକ୍ଷୟତ୍ରୀ ଚାଉଳ ଗୃହକୁ ସଫା କରିବାକୁ ନିର୍ଦ୍ଦେଶ ଦେଇଥିଲେ । ସେଠାରେ ଛାତ୍ରକୁ ଏକ ସର୍ପ ଦଂଶନ କରିଥିଲା । ଏ ଅଭିଯୋଗ ଆସିବାର ବ୍ଲକ୍ ଶିକ୍ଷା ଅଧିକାରୀ ଉକ୍ତ ବିଦ୍ୟାଳୟର ଭାରାପ୍ରାପ୍ତ ପ୍ରଧାନ ଶିକ୍ଷୟତ୍ରୀ ଜୟଶ୍ରୀ ସାହୁଙ୍କୁ ନିଲମ୍ବିତ କରିଥିଲେ ।
ଅଧିକ ପଢ଼ନ୍ତୁ- ପୁଣି ସ୍ଥଗିତ ରହିବ ରତ୍ନ ଭଣ୍ଡାର ମରାମତି: ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ