ପୁରୀ: ପୁଣି ଥରେ ବନ୍ଦ ରହିବ ଶ୍ରୀମନ୍ଦିର ଭିତର ରତ୍ନ ଭଣ୍ଡାର ମରାମତି କାର୍ଯ୍ୟ । ଶ୍ରୀପଞ୍ଚମୀ ଏବଂ ବନକଲାଗି ନୀତି ପାଇଁ ମରାମତି କାର୍ଯ୍ୟ ସ୍ଥଗିତ ରହିବ । ଏ ନେଇ ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ଅରବିନ୍ଦ ପାଢ଼ୀ ସୂଚନା ଦେଇଛନ୍ତି ।
ମୁଖ୍ୟ ପ୍ରଶାସକଙ୍କ ମୁତାବକ, ଶ୍ରୀପଞ୍ଚମୀ ତଥା ବନକଲାଗି ଆଦି ବିଶେଷ ନୀତିକାନ୍ତିକୁ ଦୃଷ୍ଟିରେ ରଖି ଦୁଇଟି ପର୍ଯ୍ୟାୟରେ ରତ୍ନ ଭଣ୍ଡାର କାର୍ଯ୍ୟ ସ୍ଥଗିତ ରହିବ । ଶ୍ରୀପଞ୍ଚମୀ ଉପଲକ୍ଷେ ଫେବ୍ରୁଆରି ୨, ରବିବାର ଏବଂ ୩ ତାରିଖ, ସୋମବାର ମରାମତି ବନ୍ଦ ରହିବାକୁ ଥିବାବେଳେ ଫେବ୍ରୁଆରି ୫, ବୁଧବାର ଓ ୬ ତାରିଖ, ଗୁରୁବାର ଶ୍ରୀଜୀଉଙ୍କ ବନକଲାଗି ନୀତି ଅନୁଷ୍ଠିତ ହେବ । ସେଥିପାଇଁ ରତ୍ନଭଣ୍ଡାର ମରାମତି କାମ ସ୍ଥଗିତ ରଖାଯିବ ।
ଏହି ଦିନ ବ୍ୟତୀତ ଅନ୍ୟ ଦିବସରେ ରାଜ୍ୟ ସରକାରଙ୍କ ଅନୁମୋଦିତ ମାର୍ଗଦର୍ଶିକା ଏବଂ ଶ୍ରୀମନ୍ଦିର ପ୍ରଶାସନ ବ୍ୟବସ୍ଥା ଅନୁସାରେ, ଏଏସ୍ଆଇ ଦ୍ୱାରା ରତ୍ନଭଣ୍ଡାର ମରାମତି କାମ ଚାଲୁ ରହିବ । ଏଥିପାଇଁ ସମସ୍ତଙ୍କ ସହଯୋଗ ଲୋଡ଼ିଛନ୍ତି ମୁଖ୍ୟ ପ୍ରଶାସକ ।
ଏଏସ୍ଆଇ ଦ୍ୱାରା ମରାମତି କାର୍ଯ୍ୟ ଜାରି ରହିଛି । ଭିତର ଭଣ୍ଡାରରେ କାନ୍ଥରେ ପ୍ଲାଷ୍ଟର ଛଡ଼ା ହେବା ସହିତ ପଥର ବଦଳା ଯାଉଛି । ଚଟାଣର ପଥର ବଦଳାଇବାକୁ ପଥର ମଧ୍ୟ ପହଁଚାଯାଇଛି । ତେବେ ଆଗାମୀ ମାର୍ଚ୍ଚ ସୁଦ୍ଧା ରତ୍ନ ଭଣ୍ଡାର ମରାମତି କାର୍ଯ୍ୟ ସାରିବାକୁ କଣ୍ଟ ଦେଇଛି ଏଏସ୍ଆଇ ।
ଅଧିକ ପଢ଼ନ୍ତୁ- କୁମ୍ଭ ମେଳାକୁ ଯିବା ସହଜ ହେବ, ଦର ହ୍ରାସ କଲେ ଇଣ୍ଡିଗୋ-ଆକାସା