ନୂଆଦିଲ୍ଲୀ: ଇଣ୍ଡିଗୋ ଏୟାରଲାଇନ୍ସ ଗୁରୁବାର କହିଛି ଯେ ପ୍ରୟାଗରାଜକୁ ବିମାନ ଭଡ଼ା ସ୍ଥିର ହୋଇଛି ଏବଂ ମହାକୁମ୍ଭ ପାଇଁ ଏହି ରୁଟରେ ବିମାନ ସଂଖ୍ୟା ୯୦୦କୁ ବୃଦ୍ଧି କରାଯାଇଛି। ଯାତ୍ରୀଚାହିଦା ବଢ଼ୁଥିବାରୁ ପ୍ରୟାଗରାଜ ବିମାନ ଭଡ଼ା ବୃଦ୍ଧି ନେଇ ଲଗାତାର ଅଭିଯୋଗ ଆସୁଛି। ଇଣ୍ଡିଗୋ ମଧ୍ୟ ଭଡ଼ା ସ୍ଥିର ରଖିବାକୁ ସୁନିଶ୍ଚିତ କରିଛି। ଟିକେଟ ଦର ସ୍ଥିର ରଖିବା ସହ ଏହି ରୁଟରେ ଅଧିକ ବିମାନ ଚଳାଚଳ କରିବାକୁ ସରକାର ଏୟାରଲାଇନ୍ସ କଂପାନିଗୁଡ଼ିକୁ କହିଛନ୍ତି।
ଇଣ୍ଡିଗୋ କହିଛି ଯେ ଏୟାରଲାଇନ୍ସ ଭଡା ସ୍ଥିର ରଖିବାକୁ ସୁନିଶ୍ଚିତ କରିଛି ଏବଂ ଏହାର ସମସ୍ତ ଗ୍ରାହକଙ୍କୁ ସର୍ବୋତ୍ତମ ଯାତ୍ରା ଅନୁଭୂତି ପ୍ରଦାନ କରିବାକୁ ପ୍ରତିଶ୍ରୁତିବଦ୍ଧ। ବୁଧବାର ସୂତ୍ରରୁ ପ୍ରକାଶ ଯେ ଇଣ୍ଡିଗୋ ପ୍ରୟାଗରାଜକୁ ବିମାନ ଭଡ଼ା ୩୦-୫୦ ପ୍ରତିଶତ ହ୍ରାସ କରିଛି। ଏୟାରଲାଇନ୍ସ ଅନୁଯାୟୀ, ମହାକୁମ୍ଭ ସମୟରେ ପ୍ରୟାଗରାଜ ବିମାନବନ୍ଦରରୁ ବିମାନ ସଂଖ୍ୟା ଏବଂ ସିଟ୍ କ୍ଷମତା ଯଥେଷ୍ଟ ବୃଦ୍ଧି କରାଯାଇଛି।
ଏହି ସମୟ ମଧ୍ୟରେ ଇଣ୍ଡିଗୋ ପ୍ରୟାଗରାଜକୁ ଭାରତର ୧୦ଟି ସ୍ଥାନରେ ସଂଯୋଗ କରିବ ବୋଲି କମ୍ପାନୀ କହିଛି। ଦିଲ୍ଲୀ, ମୁମ୍ବାଇ, ବେଙ୍ଗାଲୁରୁ, ହାଇଦ୍ରାବାଦ, ଲକ୍ଷ୍ନୌ, ରାୟପୁର ଓ ଭୁବନେଶ୍ୱରରୁ ଆସୁଥିବା ବିମାନ ବ୍ୟତୀତ ଅହମ୍ମଦାବାଦ, କୋଲକାତା ଓ ଜୟପୁରରୁ ଆସୁଥିବା ବିମାନମଧ୍ୟ ଏଥିରେ ସାମିଲ ହେବ। ଏୟାରଲାଇନ୍ସ ମଧ୍ୟ ସହରକୁ ବିମାନ ସଂଖ୍ୟା ବୃଦ୍ଧି କରିଛି। ଅନ୍ୟପକ୍ଷରେ ଆକାସା ଏୟାର ପ୍ରୟାଗରାଜକୁ ବିମାନ ଭଡ଼ା ୩୦ରୁ ୪୫ ପ୍ରତିଶତ ହ୍ରାସ କରିଛି। ଏହା ସହ ଏୟାରଲାଇନ ପକ୍ଷରୁ ସହରକୁ ବିମାନ ସଂଖ୍ୟା ମଧ୍ୟ ବୃଦ୍ଧି କରାଯାଇଛି।
ପୁଣେ, ହାଇଦ୍ରାବାଦ, ଅହମ୍ମଦାବାଦ ଏବଂ ବେଙ୍ଗାଲୁରୁରୁ ପ୍ରୟାଗରାଜକୁ ସ୍ୱତନ୍ତ୍ର ବିମାନ ଚଳାଚଳ ଆରମ୍ଭ କରିଛି ଆକାସା ଏୟାର। ଏହା ମୁମ୍ବାଇ ଏବଂ ଦିଲ୍ଲୀରୁ ଦୈନିକ ସିଧାସଳଖ ବିମାନ ସେବା ବ୍ୟତୀତ ଅଟେ। ମହାକୁମ୍ଭ ସମୟରେ ବସନ୍ତ ପଞ୍ଚମୀରେ ଅମୃତ ସ୍ନାନ ଯୋଜନାରେ ଉଲ୍ଲେଖନୀୟ ପରିବର୍ତ୍ତନ କରାଯାଇଛି। ମହାକୁମ୍ଭ ସମୟରେ ଭିଡ଼କୁ ଦୃଷ୍ଟିରେ ରଖି ମେଳା ଅଞ୍ଚଳରେ ଶ୍ରଦ୍ଧାଳୁଙ୍କ ସୁରକ୍ଷା ପାଇଁ ନୂଆ ଯୋଜନା କାର୍ଯ୍ୟକାରୀ କରାଯିବ। ଯେଉଁ ଅଞ୍ଚଳରେ ଭିଡ଼ ଚାପ ବଢ଼ିବ, ସେହି ଅଞ୍ଚଳଗୁଡ଼ିକୁ ଚିହ୍ନଟ କରାଯାଇ ଅତିରିକ୍ତ ସୁରକ୍ଷା ବଳ ମୁତୟନ କରାଯିବ। ଡାଇଭର୍ସନ୍ ଉପରେ ବିଶେଷ ଗୁରୁତ୍ୱ ଦିଆଯିବ ଏବଂ ଭିଡ଼ ଚାପ ଯେପରି ବଢିବ ନାହିଁ ତାହା ସୁନିଶ୍ଚିତ କରାଯିବ। ଆହୁରି ଅନେକ ମାର୍ଗକୁ ଏକତରଫା କରାଯାଉଛି। ସଙ୍ଗମରେ ଅତିରିକ୍ତ ସୁରକ୍ଷା ବ୍ୟବସ୍ଥା କରାଯିବା ସହ ଆଉ ୫ଟି ସ୍ଥାନରେ ବ୍ୟାରିକେଡିଂ କରାଯିବ।