ନୂଆଦିଲ୍ଲୀ: ଶ୍ରୀଲଙ୍କା ନୌସେନା ପକ୍ଷରୁ ଡେଲଫେଟ୍ ଦ୍ଵୀପ ନିକଟରେ ମଙ୍ଗଳବାର ହୋଇଥିବା ଗୁଳିମାଡ଼ ଘଟଣାରେ ଭାରତର ପାଞ୍ଚ ଜଣ ମତ୍ସ୍ୟଜୀବୀ ଆହତ ହୋଇଛନ୍ତି। ଏଥିରୁ ଦୁଇ ଜଣଙ୍କ ଅବସ୍ଥା ଗୁରୁତର ରହିଛି। ଶ୍ରୀଲଙ୍କାର ନୌସେନାଙ୍କ ଏମିତି ଗୁଳିମାଡ଼କୁ ନେଇ ଭାରତ କଡ଼ା ପ୍ରତିକ୍ରିୟା ବ୍ୟକ୍ତ କରିଛି ଏବଂ ଏହି ଦ୍ଵୀପ ଦେଶର ଉଚ୍ଚାୟୋଗଙ୍କୁ ତଲବ କରିଛି।
ବୈଦେଶିକ ମନ୍ତ୍ରଣାଳୟ ଦ୍ଵୀପର କାର୍ଯ୍ୟକାରୀ ଉଚ୍ଚାୟୋଗଙ୍କୁ ତଲବ କରିବା ସହ ତାଙ୍କ ବରିଷ୍ଠ କୂଟନୈତିଜ୍ଞଙ୍କ ସାମ୍ନାରେ କଡ଼ା ଆପତ୍ତି ପ୍ରକାଶ କରିଛି। ଭାରତ କହିଛି କୌଣସି ବି ସ୍ଥିତିରେ ଏମିତି ବଳ ପ୍ରୟୋଗକୁ ସ୍ଵୀକାର କରାଯାଇ ପାରିବ ନାହିଁ।
ମନ୍ତ୍ରଣାଳୟ ଅନୁଯାୟୀ, ମଙ୍ଗଳବାର ସକାଳେ ଡେଲଫେଟ୍ ଦ୍ଵୀପ ନିକଟରେ ୧୩ ଭାରତୀୟ ମତ୍ସ୍ୟଜୀବୀଙ୍କୁ ଧରିବା ସମୟରେ ଶ୍ରୀଲଙ୍କାର ନୌସେନା ପକ୍ଷରୁ ଗୁଳିମାଡ଼ କରାଯାଇଥିବା ଜଣା ପଡ଼ିଥିଲା। ମତ୍ସ୍ୟଜୀବୀଙ୍କ ନୌକାରେ ୧୩ ଜଣ ଲୋକ ଥିଲେ। ଏଥିରୁ ୫ ଜଣ ଆହତ ହୋଇଥିବା ବେଳେ ଦୁଇ ଜଣଙ୍କ ଅବସ୍ଥା ଗୁରୁତର ରହିଛି। ମତ୍ସ୍ୟଜୀବୀଙ୍କ ଜାଫନା ଟିଚିଂ ହସ୍ପିଟାଲ୍ରେ ଚିକିତ୍ସା ଜାରି ରହିଛି। ଭାରତୀୟ ବାଣିଜ୍ୟ ଦୂତାବାସର ଅଧିକାରୀମାନେ ଜାଫନାରେ ଆହତ ମତ୍ସ୍ୟଜୀବୀଙ୍କୁ ହସ୍ପିଟାଲ୍ରେ ଭେଟିବା ସହ ସ୍ଵାସ୍ଥ୍ୟବସ୍ଥା ପଚାରି ବୁଝିଛନ୍ତି। ସେମାନଙ୍କ ପରିବାରକୁ ଯଥା ସମ୍ଭବ ସହାୟତା ପ୍ରଦାନ କରିବାକୁ ଆଶ୍ଵାସନ ଦିଆଯାଇଛି।
ବୈଦେଶିକ ମନ୍ତ୍ରଣାଳୟ ଅନୁସାରେ, ନୂଆଦିଲ୍ଲୀରେ ଶ୍ରୀଲଙ୍କାର ଉଚ୍ଚାୟୋଗଙ୍କୁ ମଙ୍ଗଳବାର ସକାଳେ ତଲବ କରାଯାଇ ଘଟଣା ଉପରେ କଡ଼ା ଆପତ୍ତି ପ୍ରକାଶ କରାଯାଇଛି। ଏହା ସହିତ କଲୋମ୍ବୋରେ ଭାରତୀୟ ଉଚ୍ଚାୟୋଗ ଶ୍ରୀଲଙ୍କାର ବୈଦେଶିକ ମନ୍ତ୍ରଣାଳୟ ସାମ୍ନାରେ ଉଠା ଯାଇଛି।
ଅଧିକ ପଢ଼ନ୍ତୁ- ବିଶ୍ୱକପରେ ଗୋଙ୍ଗାଡୀ ତ୍ରିଶାଙ୍କ ବିଶ୍ୱ ରେକର୍ଡ, ସ୍କଟଲ୍ୟାଣ୍ଡ ବିପକ୍ଷରେ ଧୂଆଁଧାର ବ୍ୟାଟିଂ