ନୂଆଦିଲ୍ଲୀ: କୁଆଲାଲାମ୍ପୁରରେ ଚାଲିଥିଲା ୧୯ବର୍ଷରୁ କମ୍ ମହିଳା ଟି-୨୦ ବିଶ୍ୱକପରେ ଭାରତୀୟ ବ୍ୟାଟରଙ୍କ ଯାଦୁ ଦେଖିବାକୁ ମିଳିଛି । ବିଶ୍ୱକପରେ ଇତିହାସ ରଚିଛନ୍ତି ଗୋଙ୍ଗାଡୀ ତ୍ରିଶା । ସ୍କଟଲ୍ୟାଣ୍ଡ ବିପକ୍ଷରେ ସୁପରସିକ୍ସରେ ଶତକ ମାରିଛନ୍ତି ଏହି ଡାହାଣ ହାତ ବ୍ୟାଟର୍ । ମାତ୍ର ୫୩ଟି ବଲ ଖେଳି ଶତକ ହାସଲ କରିଛନ୍ତି ଜି. ତ୍ରିଶା । ଫଳରେ ସ୍କଟଲ୍ୟାଣ୍ଡ ବିପକ୍ଷରେ ୧୫୦ ରନରେ ବିଜୟ ହାସଲ କରିଛି ଟିମ୍ ଇଣ୍ଡିଆ ।
ଏହା ସହିତ ତ୍ରିଶା ବିଶ୍ୱ ରେକର୍ଡ ସ୍ଥାପନ କରିଛନ୍ତି । ସେ ଟି-୨୦ ବିଶ୍ୱକପ୍ ଚାମ୍ପିଅନସିପର ଇତିହାସରେ ସର୍ବାଧିକ ସ୍କୋର କରି ଇଂଲଣ୍ଡର ବ୍ୟାଟ୍ସମ୍ୟାନ୍ ଗ୍ରେସ ସ୍କ୍ରଭେନ୍ସିଙ୍କୁ ପଛରେ ପକାଇ ଦେଇଛନ୍ତି । ୨୦୨୩ ଜାନୁଆରୀର ଗ୍ରେସ୍ ଆୟରଲ୍ୟାଣ୍ଡ ବିପକ୍ଷରେ ୯୩ ରନ୍ କରିଥିଲେ । ଯାହାକୁ ଭାଙ୍ଗିଛନ୍ତି ତ୍ରିଶା । ଏହା ସହିତ ଆଜିର ମ୍ୟାଚରେ ମ୍ୟାନ୍ ଅଫ୍ ଦ ମ୍ୟାଚ୍ ବିବେଚିତ ହୋଇଛନ୍ତି ।
ଅଧିକ ପଢ଼ନ୍ତୁ- ସୈଫଙ୍କୁ ଛୁରା ମାଡ ଘଟଣାରେ ଟ୍ୱିଷ୍ଟ ; ଘଟଣାରେ ଜଣେ ମହିଳା ସମ୍ପୃକ୍ତ ଅଛନ୍ତି
ଭାରତ ଟସ୍ ହାରି ପ୍ରଥମେ ବ୍ୟାଟିଂ କରିବାକୁ ମଇଦାନକୁ ଓହ୍ଲାଇଥିଲା । କିନ୍ତୁ ଭାରତୀୟ ଖେଳାଳିମାନେ ଧୂଆଁଧାର ବ୍ୟାଟିଂ କରିଥିଲେ । ୨୦ ଓଭର ବିଶିଷ୍ଟ ମ୍ୟାଚରେ ମାତ୍ର ଗୋଟିଏ ହରାଇ ଟିମ୍ ଇଣ୍ଡିଆ ୨୦୮ ରନର ବିଶାଳ ସ୍କୋର୍ କରିଥିଲା । ଯେଉଁଥିରେ ଜି.ତ୍ରିଶାଙ୍କର ବଡ଼ ଯୋଗଦାନ ଥିଲା । କମଳୀନି ଆଉ ତ୍ରିଶା ପାଳି ଖେଳିଥିଲେ । କମଳୀନି ଆଉ ତ୍ରିଶା ଇନିଂସ ଓପନ କରି ପ୍ରଥମ ଓ୍ଵିକେଟରେ ୧୪୭ ରନ୍ କରିଥିଲେ । ବହୁତ ସଂଘର୍ଷ ପରେ ସ୍କଟଲ୍ୟାଣ୍ଡକୁ ସଫଳତା ମିଳିଥିଲା । ମାସେରିଆଙ୍କ ବଲ ଏହି ଯୋଡ଼ିକୁ ଭାଙ୍ଗିଥିଲା । କମଳୀନି ୪୨ଟି ବଲରେ ୯ଟି ଚଉକା ମାରି ୫୧ ରନ୍ କରି ପାଭିଲିୟନ ଫେରିଥିଲେ । ଏହା ପରେ ସନିକା ଚଲକେ ମଇଦାନକୁ ଓହ୍ଲାଇଥିଲେ । କିନ୍ତୁ ତ୍ରିଶାଙ୍କ ବ୍ୟାଟ୍ ଅଟକି ନ ଥିଲା । ତ୍ରିଶା ୫୯ଟି ବଲରେ ୧୧୦ ରନ୍ କରିଥିଲେ, ଯେଉଁଥିରେ ୧୩ଟି ଚଉକା ଏବଂ ୬ଟି ଛକା ସାମିଲ ରହିଛି । ସେହିପରି ୨୦ ବଲରେ ସନିକା ଚଲକେ ୨୯ ରନ୍ କରି ଉଭୟ ନଟ୍ ଆଉଟ୍ ରହିଥିଲେ ।
ଭାରତ ଦ୍ୱାରା ଦିଆଯାଇଥିବା ଟାର୍ଗେଟକୁ ସାମ୍ନା କରି ପାରି ନ ଥିଲା ବିପକ୍ଷ ଦଳ । ମାତ୍ର ୧୪ ଓଭରରେ ମାଟି କାମୁଡ଼ିଥିଲା ସ୍କଟଲ୍ୟାଣ୍ଡ । ୧୪ ଓଭରରେ ସମସ୍ତ ୱିକେଟ୍ ହରାଇ ମାତ୍ର ୫୮ ରନ୍ କରିବାକୁ ସକ୍ଷମ ହୋଇଥିଲା । ଭାରତୀୟ ବୋଲର୍ ଆୟୁଷୀ ଶୁକ୍ଳା ୪ଟି ୱିକେଟ୍ ନେଇଥିବାବେଳେ ବୈଷ୍ଣବୀ ଶର୍ମା ଏବଂ ତ୍ରିଶା ୩-୩ ୱିକେଟ୍ ନିଜ ନାମରେ କରିଥିଲେ ।