ନୂଆଦିଲ୍ଲୀ: ଭାରତ ଓ ଇଂଲଣ୍ଡ ମଧ୍ୟରେ ଖେଳା ଯାଉଥିବା ପାଞ୍ଚ ମ୍ୟାଚ୍ ବିଶିଷ୍ଟ ଟି-୨୦ ସିରିଜର ଆଜି ତୃତୀୟ ମ୍ୟାଚ୍ ଖେଳାଯିବ । ଗୁଜରାଟ ରାଜକୋଟର ନିରଞ୍ଜନ ଶାହ ଷ୍ଟାଡିୟମରେ ଖେଳାଯିବ ଏହି ମ୍ୟାଚ୍ । ସୂର୍ଯ୍ୟକୁମାର ଯାଦବଙ୍କ ନେତୃତ୍ଵାଧୀନ ଭାରତୀୟ ଦଳ ସିରିଜ୍ କବଜା ଲକ୍ଷ୍ୟରେ ରହିଥିବାବେଳେ ଇଂଲଣ୍ଡ ପାଇଁ କର ବା ମର ସ୍ଥିତି । ପାଞ୍ଚ ଟିକିଆ ସିରିଜରେ ଭାରତ ୨ଟି ମ୍ୟାଚକୁ ଜିତି ସିରଜ୍ ରେ ୨-୦ରେ ଆଗୁଆ ରହିଛି । ଯଦି ତୃତୀୟ ମ୍ୟାଚ୍ ଜିତି ଯାଏ ତେବେ ସିରିଜ୍ କବଜା କରିବ ଘରୋଇ ଦଳ । ଅନ୍ୟପକ୍ଷରେ ଭ୍ରମଣକାରୀ ଦଳ ଇଂଲଣ୍ଡ ଟାଇଟଲ୍ ସୁରକ୍ଷିତ ରଖିବାକୁ ଆପ୍ରାଣ ଉଦ୍ୟମ କରିବା । ଏ ଯାଏ ଗୋଟିଏ ବି ମ୍ୟାଚ୍ ଜିତି ନ ଥିବା ଇଂଲଣ୍ଡ ତୃତୀୟ ମ୍ୟାଚକୁ ଜିତିବାକୁ ରଣନୀତି ପ୍ରସୁତ କରିଛି ।
ଭାରତୀୟ ଟିମରେ କ୍ୟାପଟେନ୍ ସୂର୍ଯ୍ୟକୁମାର ଯାଦବ, ସଞ୍ଜୁ ସାମସନ୍ (ୱିକେଟ୍ କିପର୍), ଅଭିଷେକ ଶର୍ମା, ତୀଲକ ବର୍ମା, ହାର୍ଦ୍ଦିକ୍ ପାଣ୍ଡ୍ୟା, ୱାଶିଂଟନ୍ ସୁନ୍ଦର, ଧ୍ରୁବ ଜୁରେଲ୍, ଅକ୍ସର ପଟେଲ, ମହମ୍ମଦ ଶାମୀ, ଅର୍ଶଦୀପ ସିଂହ ଓ ବରୁଣ ଚକ୍ରବର୍ତ୍ତୀ ଖେଳିବାର ସମ୍ଭାବନା ରହିଛି । ତେବେ ମହମ୍ମଦ ଶାମୀ ପ୍ରଥମ ଦୁଇଟି ମ୍ୟାଚରେ ଖେଳି ନ ଥିବାବେଳେ ଆଜିର ମ୍ୟାଚରେ ଖେଳିବାର ଯଥେଷ୍ଟ ସମ୍ଭାବନା ରହିଛି ।
ସୋମବାର ଇଂଲଣ୍ଡ ରାଜକୋଟ୍ ଟି-୨୦ ପାଇଁ ନିଜର ଚୂଡ଼ାନ୍ତ ଏକାଦଶ ଘୋଷଣା କରିଛି । ଜୋସ୍ ବଟଲରଙ୍କ ନେତୃତ୍ଵାଧୀନ ଇଂଲଣ୍ଡ ଦଳରେ କୌଣସି ପରିବର୍ତ୍ତନ ହୋଇ ନାହିଁ । ଇଂଲଣ୍ଡ ତୃତୀୟ ମ୍ୟାଚ୍ ଜିତିବା ପାଇଁ ପୁରୁଣା ଯୋଜନାରେ ବଳବତ୍ତର ରହିବାକୁ ନିଷ୍ପତ୍ତି ନେଇଛନ୍ତି । ବେନ ଡକେଟ୍, ଫିଲ୍ ସଲ୍ଟ, ଜୋସ୍ ବଟଲର(ଅଧିନାୟକ), ହ୍ୟାରି ବ୍ରୁକ, ଲିୟାମ ଲିଭିଙ୍ଗଷ୍ଟୋନ, ଜେମି ସ୍ମିଥ, ଜେମି ଓଭରଟନ, ବ୍ରାଏଡନ କର୍ସ, ଯୋଫ୍ରା ଆର୍ଚର, ମାର୍କ ଉଡ, ଆଦିଲ ରଶିଦ।